୩ ପୋଲିସଙ୍କୁ ନିଲମ୍ବନ ସନ୍ତୁଷ୍ଟ କରିପାରିଲାନି ଆଇନଜୀବୀଙ୍କୁ ; ଅଭିଯୁକ୍ତଙ୍କୁ ଗିରଫ ଦାବିକଲା ହାଇକୋର୍ଟ ବାର ଆସୋସିଏସନ

Published By : Prameya-News7 Bureau | August 30, 2018 IST

କଟକ ୩୦/୮ : କଟକ ଆଇନଜୀବୀ ପୋଲିସ ବିବାଦ ଘଟଣାରେ ୩ ଜଣ ପୋଲିସଙ୍କୁ ନିଲମ୍ବନ ପରେ ମଧ୍ୟ ଆଇନଜୀବୀମାନେ ସନ୍ତୁଷ୍ଟ ହୋଇନାହାନ୍ତି | ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ବାର ଆସୋସିଏସନ ଦାବି କରିଛି | ଏପଟେ ଆନ୍ଦୋଳନ ଜାରି ରହିବ ବୋଲି ମଧ୍ୟ ଆସୋସିଏସନ ପକ୍ଷରୁ କୁହାଯାଇଛି | ସୋମବାର ଦିନ ଆସୋସିଏସନର ବୈଠକ ବସିବ ଏବଂ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆସୋସିଏସନ ସୂଚନା ଦେଇଛି | ସୂଚନାଯୋଗ୍ୟ ଯେ ୨୮ ତାରିଖ ସନ୍ଧ୍ୟାରେ କଟକ ନୂଆବଜାର ମାଛ ମାର୍କେଟ ନିକଟରେ ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଜଣେ ଆଇନଜୀବୀ ଓ ପୋଲିସ ମଧ୍ୟରେ ହାହାତୀ ହୋଇଥିଲା | ପୋଲିସ ଦୁର୍ବ୍ୟବହାର ଓ ଆକ୍ରମଣ କରିଥିବା ଅଭିଯୋଗ କରି ଚାଉଳିଆଗଞ୍ଜ ଥାନା ଘେରାଉ ହୋଇଥିଲା | ଏହି ଘଟଣାର ପ୍ରତିବାଦରେ ହାଇକୋର୍ଟ ବାର ଆସୋସିଏସନ ଗତକାଲିଠାରୁ ୨ ଦିନିଆ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲା | ଗତକାଲି ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଓକିଲଙ୍କ ଆନ୍ଦୋଳନ ଚାଲିଥଲାବେଳେ ସେଠାରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପହଞ୍ଚିବାରୁ ଲଙ୍କା କାଣ୍ଡ ଘଟିଥିଲା | ଆନ୍ଦୋଳନକାରୀମାନେ ଗୋଟିଏ ପିସିଆର ଭ୍ୟାନରେ ନିଆଁ ଲଗାଇଦେଇଥିଲେ | ୨୮ ତାରିଖ ସନ୍ଧ୍ୟା ଘଟଣାରେ ଚାଉଳିଆଗଞ୍ଜ ଥାନାରେ ୪ ଟି ମାମଲା ରୁଜ୍ଜୁ ହୋଇଥିଲା | ଅତିରିକ୍ତ ଡିସିପି ଗୁପ୍ତ ମହାକୁଡ଼ ଘଟଣାର ତଦନ୍ତ କରି ଆଜି ପ୍ରାଥମିକ ରିପୋର୍ଟ ପ୍ରଦାନ କରିଥିଲେ | ରିପୋର୍ଟ ଆଧାରରେ ଜଣେ ହାବିଲଦାର ଓ ୨ ଜଣ କନେଷ୍ଟବଳଙ୍କୁ କଟକ ଡିସିପି ନିଲମ୍ବନ ଆଦେଶ ଦେଇଥିଲେ | ଏଥି ସହ ମାମଲାର ତଦନ୍ତ କ୍ରାଇମ ବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟର ଜଣେ ଇନ୍ସପେକ୍ଟର କରିବେ ବୋଲି ନିର୍ଦେଶ ଦେଇଥିଲେ | ଆଶା କରାଯାଉଥିଲା ପୋଲିସର ଏହି ପଦକ୍ଷେପ ଓକିଲମାନଙ୍କୁ ସନ୍ତୁଷ୍ଟ କରିବା ଏବଂ ସେମାନେ ଆନ୍ଦୋଳନ ପ୍ରତ୍ୟହାର କରିବେ | କିନ୍ତୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଆନ୍ଦୋଳନକାରୀଙ୍କ ଦାବି ପୋଲିସକୁ ଅଡୁଆରେ ପକାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.