‘ଅପୁର ମୃତ୍ୟୁକୁ ସହି ପାରିଲିନି, ମୋ ଆଖି ବି ଦାନ କରିବ’: ପୁନୀତଙ୍କ ବିୟୋଗ ପରେ ଗଲାଣି ୧୦ ଜୀବନ

Published By : Prameya-News7 Bureau | November 05, 2021 IST

ବେଙ୍ଗାଲୁରୁ ୦୫/୧୧: କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ମୃତ୍ୟୁକୁ ଏକ ସପ୍ତାହରୁ ଅଧିକ ବିତି ସାରିଲାଣି। କିନ୍ତୁ ତାଙ୍କର ଅକାଳ ବିୟୋଗକୁ ଏଯାଏଁ ଗ୍ରହଣ କରିପାରିନାହାନ୍ତି ତାଙ୍କ ପ୍ରଶଂସକ। ସେହି ଦୁଃଖ​‌ରେ ୧୦ ଜଣଙ୍କ ଜୀବନ ଗଲାଣି । ପୁନୀତଙ୍କ ପାଦଚିହ୍ନରେ ବାଟ ଚାଲିବାକୁ ଯାଇ ତାଙ୍କ ପ୍ରଶଂସକ ନେତ୍ରଦାନ କରିବାକୁ ଆତ୍ମହତ୍ୟା କରୁଛନ୍ତି । ଆଖି ଦାନ କରିବାକୁ ୩ ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ରାଜକୁମାରଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଥିବା ବେଳେ ଅଭିନେତାଙ୍କ ପରିବାର ପକ୍ଷରୁ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରାଯାଇଛି।

ରାଜ୍ୟରେ ରୁଜୁ ହୋଇଥିବା ୧୦ ମୃତ୍ୟୁ ମାମଲାରେ ୭ ଜଣ ଆତ୍ମହତ୍ୟା କରିଛନ୍ତି। ୩ ଜଣଙ୍କ ହୃଦସ୍ପନ୍ଦନ ବନ୍ଦ ହେବା ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହା ସମେତ ୩ ଜଣ ନେତ୍ରଦାନ କରିବାକୁ ଆତତ୍ମହତ୍ୟା କରିଛନ୍ତି। ନଭେମ୍ବର ୩ରେ ଟୁମକୁର ବାସିନ୍ଦା ରଶୀ ଲଗାଇ ଜୀବନ ହାରିଥିବା ବେଳେ ସୁଇସାଇଡ୍‌ ନୋଟ୍‌ରେ ଲେଖିଯାଇଛନ୍ତି, ‘ମୁଁ ଅପୁର ମୃତ୍ୟୁର ଦୁଃଖ ସହ୍ୟ କରିପାରିଲି ନାହିଁ । ମୁଁ ତାହା ସହ ରହିବାକୁ ଯାଉଛି। ତା ଭଳି ମୋ ଆଖି ମଧ୍ୟ ଦାନ କରିଦବ।’

ସେହିଭଳି ଅକ୍ଟୋବର ୩୧ ତାରିଖରେ ଅନେକଲରେ ରହୁଥିବା ରାଜେନ୍ଦ୍ର ମଧ୍ୟ ଆତ୍ମହତ୍ୟା କରିଛନ୍ତି। ରାମନଗର ଜିଲ୍ଲାର ଚନ୍ନାପଟନାର ୨୬ ବର୍ଷୀୟ ଭେଙ୍କଟେଶ ନମ୍ଭେମ୍ବର ୪ରେ ଜୀବନ ହାରିଛନ୍ତି ।ତାଙ୍କ ପରିବାର ଲୋକଙ୍କ ଅନୁସାରେ ଭେଙ୍କଟେଶ ପୁନୀତଙ୍କ ମୃତ୍ୟୁ ପରଠୁ ଦୁଃଖୀ ଥିଲା। ଏପରିକି ସେ ଖାଦ୍ୟ ମଧ୍ୟ ଖାଉନଥିଲା।

ସେପଟେ ପୁନୀତଙ୍କ ନେତ୍ରଦାନ ଯୋଗୁଁ ୪ ଜଣ ଦୁନିଆ ଦେଖିଛନ୍ତି। ଏହା ପରେ ପରେ କର୍ଣ୍ଣାଟକରେ ଏବେ ଲୋକମାନେ ନେତ୍ରଦାନ କରିବାକୁ ସଂକଳ୍ପ ନେଉଥିବା ନେଇ ନାରାୟଣ ନେତ୍ରାଳୟର ଡାକ୍ତର ଭୁଜଙ୍ଗ ଶେଟ୍ଟୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.