ପାକିସ୍ତାନକୁ ମହଙ୍ଗା ପଡିଲା ଅସ୍ତ୍ରବିରତି ଉଲଙ୍ଘନ: ଭାରତୀୟ ସେନାର ଜବାବରେ ଟଳିଲେ ୩ ପାକ୍ ସେନା, ୪ ପୋଷ୍ଟ ଧ୍ବଂସ
10/01/2021 at 5:26 PM

ନୂଆଦିଲ୍ଲୀ ୧୦/୦୧ : ପାକିସ୍ତାନ ତରଫରୁ ହୋଇଥିବା ଅସ୍ତ୍ର ବିରତି ଉଲଙ୍ଘନର ଜବାବରେ ଭାରତୀୟ ସେନା ପାକିସ୍ତାନ ସେନାକୁ ମୁହଁତୋଡ ଜବାବ ଦେଇଛନ୍ତି। ଭାରତୀୟ ସେନା ରବିବାର ଦିନ କାଶ୍ମୀର ରଜୋରି ନୌସେରା ସେକ୍ଟରରେ ପାକ ସେନାକୁ ଅସ୍ତ୍ରବିରତି ଉଲଙ୍ଘନର ଜବାବରେ ୩ ପାକ ସେନାକୁ ଗୁଳି କରିଛି। ଅନେକ ପାକ ସେନା ଆହତ ମଧ୍ୟ ହୋଇଛନ୍ତି। ପାକିସ୍ତାନ ସେନାର ୪ଟି ପୋଷ୍ଟ ମଧ୍ୟ ଧ୍ବଂସ ହୋଇଯାଇଛି।
ସୂଚନା ଅନୁଯାୟୀ, ପାକିସ୍ତାନ ସେନା ତରଫରୁ ଏଲଓସିରେ ଅସ୍ତ୍ର ବିରତି ଉଲଙ୍ଘନ କରି ଲଗାତାର ନୌସେରା ସେକ୍ଟରକୁ ଟାର୍ଗେଟ କରାଯାଉଛି। ପାକିସ୍ତାନ ତରଫରୁ କରାଯାଉଥିବା ହମଲାର ଜବାବରେ ରବିବାର ଦିନ ଭାରତୀୟ ସେନା ବଡ ଧରଣର ପଦକ୍ଷେପ ନେଇ ୩ ପାକ ସେନାକୁ ଗୁଳି କରିଛି। ରବିବାର ଦିନ ପାକିସ୍ତାନ ତରଫରୁ ଏକ ବଡ ଧରଣର ଅନୁପ୍ରବେଶ ଷଡଯନ୍ତ୍ର ରଚା ଯାଉଥିଲା। ଭାରତୀୟ ସେନା ଦେଖିବାକୁ ପାଇଥିଲେ ଯେ ରଜୋରି ନୌସେରା ସେକ୍ଟରରେ ଏଲଓସିରେ କଲସିୟା ଅଞ୍ଚଳରେ ସୀମା ପାର କରି ଆତଙ୍କବାଦୀଙ୍କ ଏକ ଗୋଷ୍ଠୀକୁ ପାକିସ୍ତାନ ସେନା କଭର ଫାୟାର ଦେଇଥିଲା। ଆତଙ୍କବାଦୀ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଷଡଯନ୍ତ୍ର କରିଥିଲେ। କିନ୍ତୁ ଭାରତୀୟ ସେନା ସେମାନଙ୍କ ଏହି ଷଡଯନ୍ତ୍ରକୁ ବିଫଳ କରି ପାକ ସେନାକୁ କଡା ଜବାବ ଦେଇଛନ୍ତି। ବର୍ତ୍ତମାନ ସେହି ଅଞ୍ଚଳରେ ଫାଇରିଙ୍ଗ ବନ୍ଦ ଅଛି।
ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଅସ୍ତ୍ରବିରତି ଉଲଙ୍ଘନର ଗତ ୧୭ ବର୍ଷର ରେକର୍ଡ ଭାଙ୍ଗିଛି। ପାକିସ୍ତାନ ଏଲଓସିରେ ୪ ହଜାର ୭୦୦ ଥର ଅସ୍ତ୍ରବିରତି ଉଲଙ୍ଘନ କରିଛି। ଏଥିପାଇଁ ପାକିସ୍ତାନ ଛୋଟ ଅସ୍ତ୍ର ସହ ବଡ ତୋପ ମଧ୍ୟ ବ୍ୟବହାର କରିଛି ଏବଂ ଏଲଓସି ନିକଟରେ ରହୁଥିବା ଗ୍ରାମବାସୀଙ୍କୁ ଟାର୍ଗେଟ କରିଥାଏ।