ଗ୍ରାମକୁ ପଳାୟନ କରୁଥିବା ପ୍ରତି ୧୦ ଶ୍ରମିକଙ୍କ ମଧ୍ୟରୁ ୩ ଜଣ କରୋନା ସଂକ୍ରମିତ ହୋଇପାରନ୍ତି, ସୁପ୍ରିମକୋର୍ଟକୁ କେନ୍ଦ୍ରର ଜବାବ

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ, ୩୧|୦୩:  ସହରରୁ ଗ୍ରାମକୁ ପଳାୟନ କରୁଥିବା ପ୍ରତି ୧୦ଜଣ ଶ୍ରମିକଙ୍କ ମଧ୍ୟରୁ ୩ ଜଣ କରୋନାରେ ସଂକ୍ରମିତ ଥିବା ଆଶଙ୍କା ରହିଛି । ମଙ୍ଗଳବାର ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଦାଖଲ କରିଥିବା ଷ୍ଟାଟସ ରିପୋର୍ଟରେ ଏହା ଉଲ୍ଲେଖ ରହିଛି ।

ଲକଡାଉନ ଘୋଷଣା  ହେବା ପରେ ହଜାର ହଜାର ଶ୍ରମିକ ସେମାନଙ୍କ ଘରକୁ ପଳାୟନ କରିବାକୁ ଚାହିଁଥିଲେ । ଏହାକୁ ନେଇ ନେଇ କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି। ସେଲିସିଟର ଜେନେରାଲ ତୁଷାର ମେହେଟା ସରକାରଙ୍କ ପକ୍ଷରୁ ଏହି ରିପୋର୍ଟ ଦାଖଲ କରିଛନ୍ତି । ଏହାସହ ଶ୍ରମିକଙ୍କ ଅନ୍ତରାଜ୍ୟ ପଳାୟନ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଥିବା ସେ ସୁପ୍ରିମକୋର୍ଟରେ କହିଛନ୍ତି ।

{"id":247016,"width":769,"height":431,"sizeSlug":"large"}

ତୁଷାର ମେହେଟା କହିଛନ୍ତି ଯେ, ଲକଡାଉନକୁ ନେଇ ଶ୍ରମିକଙ୍କ ମନରେ ଭ୍ରମ ସୃଷ୍ଟି ହୋଇଛି । ଏହାକୁ ଦୂର କରିବାକୁ ଏବେ ସରକାର ଚିନ୍ତା କରୁଛନ୍ତି। ତେବେ ଏଭଳି ଲୋକଙ୍କ ଲାଗି ବିଭିନ୍ନ ସ୍ଥାନରେ ଆଶ୍ରୟ ସ୍ଥଳ ଖୋଲାଯାଇଥିବା ବେଳେ ୨୨ଲକ୍ଷ ୮୮ ହଜାର ଶ୍ରମିକ ଓ ସେମାନଙ୍କ ପରିବାରକୁ ନିଶୁଳ୍କ ଭୋଜନ ଯୋଗାଇ ଦିଆଯାଉଛି। ତେବେ ପଳାୟନ କରୁଥିବା ପ୍ରତି ୧୦ ଜଣ ଶ୍ରମିକଙ୍କ ମଧ୍ୟରୁ ୩ଜଣ କରୋନାରେ ସଂକ୍ରମିତ ଥିବା ଆଶଙ୍କା କରାଯାଉଛି । 

ଭାଇରସ ଯୋଗୁ ଯେତିକି ଲୋକଙ୍କ ମୃତ୍ୟୁ ହେବ ନାହିଁ କିନ୍ତୁ ଏ ନେଇ ଭ୍ରମ ଅନେକଙ୍କ ମୃତ୍ୟୁର କାରଣ ହୋଇପାରେ ବୋଲି କୋର୍ଟ ଆଶଙ୍କା ପ୍ରକଟ କରିଛନ୍ତି। ତେଣୁ କରୋନା ଭାଇରସର ରିୟଲ ଟାଇମ ସୂଚନା ପ୍ରଦାନ ନିମନ୍ତେ ୨୪ ଘଣ୍ଟା ମଧ୍ୟରେ ଏକ ପୋର୍ଟାଲ ସ୍ଥାପନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ବିଭିନ୍ନ ଆଶ୍ରୟ ସ୍ଥଳରେ ରହୁଥିବା ଲୋକଙ୍କୁ ଭାଇରସ ସଂକ୍ରମଣ ସମ୍ପର୍କରେ ବାସ୍ତବ ସୂଚନା ପ୍ରଦାନ ଲାଗି ବିଭିନ୍ନ ଧର୍ମ ଓ ସମୂଦାୟର ନେତାଙ୍କ ସହାୟତା ନେବାକୁ ମଧ୍ୟ କୋର୍ଟ ପରାମର୍ଶ ଦେଇଛନ୍ତି। ତେବେ ଏଭଳି ଶ୍ରମିକଙ୍କ ଉପରକୁ ରସାୟନିକ ମିଶ୍ରିତ ପାଣି ସିଞ୍ଚନ ନ କରିବାକୁ କୋର୍ଟ ସରକାରଙ୍କୁ ସତର୍କ କରାଇଦେଇଛନ୍ତି। ଏଭଳି ସିଞ୍ଚନ ଲୋକଙ୍କୁ ସଂକ୍ରମଣ ମୁକ୍ତ ରଖିବା କଥା ବୈଜ୍ଞାନ ସମ୍ମତ ନୁହେଁ  ବୋଲି କୋର୍ଟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.