ଟିକଟକ ଭିଡିଓ ବନାଉଥିବା ମାଲକାନଗିରି ହସପିଟାଲର ୩ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ; ବାଧ୍ୟତାମୂଳକ ଛୁଟିରେ ଯିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | June 27, 2019 IST

ମାଲକାନଗିରି୨୭|୬: ମାଲକାନଗିରି ଜିଲ୍ଲା ସଦର ହସପିଟାଲର SNCU ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ନର୍ସମାନେ ଟିକଟକ ଭିଡିଓ ସୁଟିଂ କରୁଥିବା ଘଟଣାରେ ଜିଲ୍ଲା  ମୁଖ୍ୟ ଚିକ୍ିତ୍ସାଧିକାରୀ ଆକ୍ସନ ମୁଡକୁ ଆସିଛନ୍ତି । ଟିକଟକ ଭିଡିଓ ସୁଟ କରୁଥିବା ୩ ଜଣ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟି ଦେଇଛନ୍ତି । ସେମାନଙ୍କ ବିରୋଧରେ ଅଭିଯୋଗ ନେଇ ତଦନ୍ତ ନସରିବା ଯାଏଁ ସେମାନେ ଛୁଟିରେ ରହିବେ । ଗତକାଲି ନର୍ସଙ୍କ ଟିକଟକ ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

 ଭାରତରେ ଟିକଟକ୍‌ର ଲୋକପ୍ରିୟତା ଖୁବ୍‌ ବଢ଼ୁଥିବା ଦେଖିବାକୁ ମିଳୁଛି । ଯାହାକୁ ଦେଖ ଟିକଟିକରେ ନିଜ ଲୁକାଇତ ପ୍ରତିଭା ଦେଖାଇବାକୁ ବ୍ୟସ୍ତ । ତେବେ ୟାରି ଭିତରେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର SNCU ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ନର୍ସମାନେ ଗୁରୁତର ଶିଶୁଙ୍କ ଚିକିତ୍ସା ଛାଡ଼ି ଟିକ୍‌ଟକ୍‌ ଭିଡିଓ ବନାଇବାରେ ବ୍ୟସ୍ତ ଥିଲେ । ଡ୍ରେସ୍‌ କୋଡ଼ରେ ଥିବା ଏହି ନର୍ସମାନଙ୍କ ଟିକ୍‌ଟକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଅଭିଯୋଗ ପରେ ଆକ୍ସନକୁ ଆସିଛନ୍ତି ସିଡିଏମଓ ।….

ଟିକ୍‌ଟିକ୍‌ ମାୟାରେ ବାୟା ‘ସିଷ୍ଟର’ । ସ୍ଥାନ-କାଳ-ପାତ୍ର ଭୁଲି ମାତିଥିଲେ ମସ୍ତିରେ ହସ୍ପିଟାଲ ଡ୍ରେସ କୋଡ଼ରେ ଥିବା ଏହି ନର୍ସମାନେ ଏମିତି ମସ୍ତିରେ ମାତିଥିଲେ ତାହା ପୁଣି, ହସ୍ପିଟାଲର SNCU ଭିତରେ । ଇଏ ହେଉଛି ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟର ଚିତ୍ର । ଯେଉଁଠି SNCU ଭିତରେ ଗୁରୁତର ଶିଶୁଙ୍କ ଚିକିତ୍ସା ଛାଡ଼ି ଏମିତି ଟିକ୍‌ଟିକ୍‌ ଭିଡିଓ ବନାଇବାରେ ବ୍ୟସ୍ତ ଥିଲେ ଏଇ ନର୍ସମାନେ । ନିଜ ଲୁକାଇତ ପ୍ରତିଭାକୁ ଟିକ୍‌ଟିକ୍‌ ମାଧ୍ୟମରେ ଦୁନିଆକୁ ଦେଖାଇବାକୁ ଚେଷ୍ଟା କରୁଥିଲେ । ଏମାନଙ୍କ ଯେଉଁ ପ୍ରତିଭାକୁ ଦେଖି ମାଲକାନଗିରି ଭଳି ଏକ ଆଦିବାସୀ ଅଧୁଷିତ ଜିଲ୍ଲାରେ ଗରିବ ଲୋକଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ଦିଆଯାଇଛି । ସେମାନେ ତାକୁ ଛାଡ଼ି ଟିକ୍‌ଟିକ୍‌ ଭିଡିଓ ବନାଇବାରେ ବ୍ୟସ୍ତ  । ତାହା ପୁଣି SNCU ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ଭିତରେ । ନବଜାତକଙ୍କୁ ଜରୁରୀକାଳିନ ଚିକିତ୍ସାସେବା ଯୋଗାଇଦେବାକୁ ଥିବା ଏହି ନର୍ସମାନଙ୍କ ଏଭଳି ଅବହେଳାର ଚିତ୍ର ଦେଖିବା ପରେ  ଜିଲ୍ଲାବାସୀ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛନ୍ତି ।

ଟିକ୍‌ଟକ୍‌ ଭିଡିଓରେ ମଡେଲିଂ କରୁଥିବା ଏହି ୩ଜଣ ହେଉଛନ୍ତି ଜିଲ୍ଲା ସଦର ଚିକିତ୍ସାଳୟର ମହିଳା ସ୍ବାସ୍ଥ୍ୟ କର୍ମୀ ନନ୍ଦିନୀ ରାୟ, ରୁବି ରାୟ ଏବଂ ତାପସୀ ବିଶ୍ବାସ । ହସ୍ପିଟାଲ ଭିତରେ ଏଭଳି ଆଚରଣ ପ୍ରଦର୍ଶନ କରିଥିବା ଏହି ନର୍ସମାନଙ୍କ ଟିକ୍‌ଟକ୍‌ ଭିଡିଓ ଦେଖିବା ପରେ ଆକ୍ସନ ମୋଡ୍‌କୁ ଆସିଛନ୍ତି ମାଲକାନଗିରି ସିଡିଏମଓ । ସଂପୃକ୍ତ ନର୍ସମାନଙ୍କୁ ଡାକି ଜେରା କରିବା ପରେ ସେମାନଙ୍କ ବିରୋଧରେ ଆଇନ୍‌ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । କେବଳ ସେତିକି ନୁହେଁ ସେମାନଙ୍କୁ ବାଧ୍ୟତାମୂଳକ ଛୁଟି ପ୍ରଦାନ କରିଛନ୍ତି।

ଟିକ୍‌ଟକ୍‌ ମାଧ୍ୟମରେ ନିଜ ଟାଲେଣ୍ଟ୍‌ ଦେଖାଇବାକୁ କେହି ବିରୋଧ କରୁନାହାନ୍ତି । ହେଲେ ହସ୍ପିଟାଲ ଭିତରେ କାର୍ଯ୍ୟରତ ଥିବା ବେଳେ ଶିଶୁଙ୍କ ଚିକିତ୍ସାରେ ଅବହେଳା କରି ଏମିତି ଟିକ୍‌ଟକ୍‌ ଭିଡିଓ ବନାଇବାକୁ ନେଇ ଯେ କେହି ବି ପ୍ରଶ୍ନ ଉଠାଇବ । ନିଜ ମସ୍ତି ପାଇଁ  ରୋଗୀସେବାରେ ଅବହେଳାକୁ କୌଣସି ମତେ ବରଦାସ୍ତ କରାଯାଇପାରିବ ନାହିଁ ।

{"id":127909}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.