ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ଆପଣ ମଧ୍ୟ କେଦାରନାଥ ଗୁମ୍ଫାରେ କରିପାରିବେ ସାଧନା: ତିଆରି ହୋଇଛି ତିନିଟି ନୂଆ ଧ୍ୟାନ ଗୁମ୍ଫା
14/10/2020 at 5:54 PM

କେଦାରନାଥ ୧୪/୧୦ : କେଦାରନାଥ ଧାମରେ ୨୦୧୯ ମସିହାରେ ଏକ ଧ୍ୟାନ ଗୁମ୍ଫା ତିଆରି କରାଯାଇଥିଲା। ଏହି ଧ୍ୟାନ ଗୁମ୍ଫାରେ ମେ ୧୮ ତାରିଖରେ ପ୍ରଧାନମନ୍ତ୍ର ମୋଦି ଧ୍ୟାନ କରି ସାରା ଦୁନିଆର ଧ୍ୟାନ କେନ୍ଦ୍ରିତ କରିଥିଲେ। ମୋଦି ଏହି ଗୁମ୍ଫାରେ ଧ୍ୟାନ କରିବା ପରେ ଏହି ଗୁମ୍ଫାରେ ଧ୍ୟାନ କରିବାକୁ ସାଧକଙ୍କ ଲାଇନ ଲାଗିବା ଆରମ୍ଭ ହୋଇଥିଲା। ଧ୍ୟାନ ଗୁମ୍ଫା ପ୍ରତି ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆହୁରି ତିନିଟି ଗୁମ୍ଫା ତିଆରି କରାଯାଇଛି।

ଏହି ଧ୍ୟାନ ଗୁମ୍ଫାରେ ସାଧକଙ୍କ ପାଇଁ ବିଜୁଳି, ପାଣି, ଶୌଚାଳୟ ସମେତ ଅନେକ ସୁବିଧା ରହିଛି। ସାଧକ ଏଠାରେ ରାତ୍ରି ବିରାମ ମଧ୍ୟ କରିପାରିବେ। କେଦାରନାଥରେ ପାଖାପାଖି ୨୭ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହେଉଥିବା ଧ୍ୟାନ ଗୁମ୍ଫାକୁ ଜିଲ୍ଲା ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣର ଲୋକ ନିର୍ମାଣ ବିଭାଗ ଶାଖା ତିଆରି କରୁଛି।

ରୁଦ୍ରପ୍ରୟାଗ ଜିଲ୍ଲା ଅଧିକାରୀ ବନ୍ଦନା ସିଂହ କହିଛନ୍ତି ଯେ ନୂଆ ତିଆରି କରାଯାଉଥିବା ତିନିଟି ଧ୍ୟାନ ଗୁମ୍ଫାରେ ସିଭିଲ କାମ ଶେଷ ହୋଇସାରିଛି। ବିଜୁଳି କାମ ଚାଲିଛି ଏବଂ ଏହା ଦୁଇ ତିନି ଦିନ ମଧ୍ୟରେ ପୁରା ହୋଇଯିବ। ଏହି ତିନି ଧ୍ୟାନ ଗୁମ୍ଫାକୁ ସାଧକଙ୍କ ସୁବିଧା ପାଇଁ ଖୋଲିବାକୁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାର ନିର୍ଦେଶକୁ ଅପେକ୍ଷା କରିଛନ୍ତି।

ଚଳିତ ବର୍ଷ ଯାତ୍ରା ସମାପ୍ତି ପାଇଁ ମାତ୍ର ଗୋଟିଏ ମାସ ସମୟ ରହିଛି। ଅନ୍ତିମ ପର୍ଯ୍ୟାୟ ଯାତ୍ରା ସମୟରେ ବାବାଙ୍କ ଧାମରେ ପହଞ୍ଚିଥିବା ସାଧକଙ୍କୁ ଏହି ନୂଆ ଧ୍ୟାନ ଗୁମ୍ଫାରେ ସାଧନା କରିବାକୁ ମଉକା ମିଳିବ।