ସଂସାର ଉଜାଡି ଦେଲା କରୋନା : ବାପା, ମା’ଙ୍କ ପରେ ଚାଲିଗଲା ପୁଅର ଜୀବନ

Published By : Prameya-News7 Bureau | July 23, 2020 IST

ଦିଗପହଣ୍ଡି ୨୩।୭: ସଂସାର ଉଜାଡି ଦେଲା କରୋନା । ବାପା, ମା’ଙ୍କ ପରେ ଏକମାତ୍ର ପୁଅର ଜୀବନ ନେଲା କରୋନା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବସଷ୍ଟାଣ୍ଡ ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । କରୋନା ଯୋଗୁଁ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ପରେ ଖେଳିଯାଇଛି ଚାଞ୍ଚଲ୍ୟ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବସଷ୍ଟାଣ୍ଡରେ ଇଲକ୍ଟ୍ରୋନିକ୍ସ ଦୋକାନ କରିଥିବା ରିଙ୍କୁ ଓରଫ ଇ.ଜିତେନ୍ଦ୍ର ପାତ୍ରଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ସୋମବାର ଶୀତଳାପଲ୍ଲୀ ସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେ ଜଣେ ମେଳାପି, ମିଷ୍ଟଭାଷୀ ଓ ବନ୍ଧୁ ବତ୍ସଳ ଭାବେ ଜଣାଶୁଣା ଥିଲେ । ଗତ କିଛିଦିନ ହେଲା ଖୁବ୍ କମ୍ ବୟସରେ ସେ ଗୌଡିୟ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇ ନିତ୍ୟ ନିୟମିତ ଶ୍ରୀକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିଆସୁଥିଲେ।

ରବିବାର ତାଙ୍କ ବାପା ଇ. କୃଷ୍ଣ ପାତ୍ରଙ୍କର କରୋନା ସଂକ୍ରମଣରେ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା’ ଇ. ଜାନକୀ ପାତ୍ରଙ୍କର ମଧ୍ୟ କିଛିଦିନ ପୂର୍ବେ କରୋନାରେ ସଂକ୍ରମଣରେ ମୃତ୍ୟୁ ହୋଇଥିଲା ।

ଚଳିତ ମାସ ୯ ତାରିଖରେ ପରିବାରର ସମସ୍ତ ସଦସ୍ୟଙ୍କ ଦିଗପହଣ୍ଡି ସ୍ଥିତ ଚାଚା ନେହେରୁ ପ୍ରାଥମିକ ବିଦ୍ୟାଳୟ କରୋନା ଟେଷ୍ଟିଂ ସେଣ୍ଟରରେ ସ୍ବାବ୍ ସଂଗ୍ରହ କରାଯାଇଥିଲା । ୧୦ ତାରିଖରେ ରିପୋର୍ଟ ପଜିଟିଭ୍ ଆସିବା ପରେ ସେମାନଙ୍କୁ କୋଭିଡ୍ କେୟାର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଇ. ଜିତେନ୍ଦ୍ରଙ୍କ ସ୍ତ୍ରୀ ଅନୁରାଧା ସୁସ୍ଥ ହୋଇ ସେଠାରୁ ଫେରିବାପରେ କରୋନାରେ ସଂକ୍ରମିତ ପରିବାରର ଅନ୍ୟ ସମସ୍ତ ସଦସ୍ୟ ମୃତ୍ୟୁ ହୋଇଥିବାରୁ ସହରରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.