ଭୁବନେଶ୍ବରରୁ ଦୁଇ ସ୍କୁଲ ଛାତ୍ରୀଙ୍କୁ କାର୍‌ରେ ଉଠାଇନେଲେ ଦୁର୍ବୃତ୍ତ, ୩ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | September 26, 2019 IST

ଭୁବନେଶ୍ବର ୨୬।୯: ଭୁବନେଶ୍ବର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ ସମ୍ମୁଖରୁ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରାଯାଇଥିଲା । ଅପହରଣ କରାଯିବାର ଘଣ୍ଟାଏ ଭିତରେ ପୋଲିସ ଅପହୃତ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ୩ ଅପହର୍ତ୍ତାଙ୍କୁ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଛି । ଏହି ଅପହରଣରେ ସଂପୃକ୍ତ କାର୍‌ ଚାଳକ ଫେରାର୍‌ ହୋଇଯାଇଛି । ତାକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ମଧ୍ୟାହ୍ନ ଭୋଜନ ବିରତି ସମୟରେ ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇ ଛାତ୍ରୀ ସ୍କୁଲ ସମ୍ମୁଖକୁ ଟିଫିନ କିଣିବାକୁ ଆସିଥିଲେ । ଏହି ଏକ କାର୍‌ରେ ୪ ଜଣ ସେଠାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ଯୁବକ ଓହ୍ଲାଇ ଦୁଇ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ କାର୍‌ରେ ପଳାଉଥିବାବେଳେ ସ୍କୁଲ ସିକ୍ୟୁରିଟି ଗାର୍ଡ ଦେଖି ଜଣେ ଅପହର୍ତ୍ତାକୁ ଧରି ପକାଇଥିଲେ । ଅନ୍ୟ ୩ ଜଣ କାର୍‌ ସହ ଦୁଇ ଛାତ୍ରୀଙ୍କୁ ନେଇ ପଳାଇଥିଲେ । ଏହାପରେ ସ୍କୁଲ୍‌ କର୍ତ୍ତୃପକ୍ଷ ଏନେଇ ଇନ୍‌ଫୋସିଟି ଥାନା ପୋଲିସକୁ ଜଣାଇଥିଲେ ।

ଖବର ପାଇ ପୋଲିସ ସ୍କୁଲରେ ପହଞ୍ଚିଥିଲା । ଧରାପଡିଥିବା ଅପହର୍ତ୍ତାକୁ ଥାନାକୁ ନେଇଥିଲା ପୋଲିସ । ଥାନାରେ ସଂପୃକ୍ତ ଯୁବକକୁ ପଚରାଉଚରା କରି ପୋଲିସ ଅନ୍ୟ ୩ ଜଣଙ୍କ ବିଷୟରେ ଜାଣିବାକୁ ପାଇଥିଲା । ସେମାନଙ୍କ ମୋବାଇଲ ଫୋନ୍‌କୁ ଟ୍ରାକିଂ କରି ପୋଲିସ ସ୍କୁଲଠାରୁ କିଛି ଦୂରରେ ଥିବା ଏକ ନିର୍ମାଣାଧୀନ କୋଠାରୁ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅନ୍ୟ ଦୁଇ ଅପହର୍ତ୍ତାଙ୍କୁ କାବୁ କରିଥିଲା ।

ତେବେ କାର୍‌ ଚାଳକ କାର୍‌ ନେଇ ଫେରାର୍‌ ହୋଇ ଯାଇଥିଲେ । ଧରାପଡିଥିବା ୩ ଅପହର୍ତ୍ତା ଉକ୍ତ ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ଜଣାପଡିଛି । ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି । ଫେରାର ହୋଇଯାଇଥିବା ଚାଳକ ଓ କାର୍‌କୁ ଠାବ କରିବା ପାଇଁ ପୋଲିସର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.