NCBର ଏହି ୩ ହାର୍ଡକୋର୍‌ ଅଫିସର : ନାଁ ଶୁଣିଲେ ଥରହର୍‌ ହେଉଛନ୍ତି ଡ୍ରଗ୍ସ ମାଫିଆ, ରିୟାଠୁ ଆର୍ଯ୍ୟନ୍‌ ଯାଏଁ ସମସ୍ତଙ୍କୁ କରିଛନ୍ତି ଜେରା

Published By : Prameya-News7 Bureau | October 04, 2021 IST

ନୂଆଦିଲ୍ଲୀ ୦୪/୧୦ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଗତ ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ୍‌ ଜାହଜ ଉପରେ ରେଡ୍‌ କରିଥିଲା । କ୍ରୁଜ୍‌ ଭିତରେ ଡ୍ରଗ୍ସ ପାର୍ଟିର ଭାଣ୍ଡାଫୋଡ୍‌ କରିଥିଲା ଏନ୍‌ସିବି । ଏହି ଚଢାଉରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟାନ ଖାନ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ଏନ୍‌ସିବି ରିମାଣ୍ଡରେ ଅଛି ଆର୍ଯ୍ୟନ୍‌ ଖାନ । ତେବେ ଏତେ ବଡ ସେଲିବ୍ରିଟିଙ୍କ ପୁଅକୁ ଗିରଫ କରିବାକୁ ସାହସ ଜୁଟାଇଥିବା ଦବଙ୍ଗ ଅଫିସରଙ୍କୁ ଚାରିଆଡୁ ମିଳୁଛି ପ୍ରଶଂସା । ପୁରା ଅପରେସନ ପଛରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ୩ ଜଣ ସିଂଘମ ଅଫିସର । ସେମାନେ ହେଉଛନ୍ତି ସମୀର ଓ୍ବାଙ୍ଖେଡେ, ବିଶ୍ବ ବିଜୟ ସିଂହ ଏବଂ ଆଶିଷ ରଙ୍ଗନ ପ୍ରସାଦ । ଏମାନଙ୍କ ନାଁ ଶୁଣିଲେ କେବଳ ମହାରାଷ୍ଟ୍ର ନୁହେଁ ଦେଶରେ ଡ୍ରଗ୍ସ ମାଫିଆମାନେ ଏବେ ଥରହର ହେଉଛନ୍ତି ।

ବିଶ୍ବ ବିଜୟ ସିଂହ

ଏନ୍‌ସିବିର ଦକ୍ଷ ଏବଂ ଚତୁର ଅଫିସର ବିଶ୍ବ ବିଜୟ ସିଂହ । ଯିଏକି ସର୍ବପ୍ରଥମେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନକୁ ହେପାଜତକୁ ନେବା ସହିତ ପରେ ଗିରଫ କରିଥିଲେ । ସେ ପୂର୍ବରୁ ମଧ୍ୟ ନିଜ ଦକ୍ଷତାର ପରିଚୟ ଦେଇସାରିଛନ୍ତି । ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲେ । ରିୟାଙ୍କ ସହ ତାଙ୍କ ଭାଇ ସୌବିକ୍‌ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଗିରଫ କରିଥିଲେ । ଡ୍ରଗ୍ସ ଲିଙ୍କ ମାମଲାରେ ଅର୍ଜୁନ ରାମପାଲଙ୍କୁ ମଧ୍ୟ ପଚରା ଉଚରା କରିଥିଲେ ବିଶ୍ବ ବିଜୟ ସିଂହ । ସେ ୧୦ ବର୍ଷ ହେଲା ଏନ୍‌ସିବିରେ କାର୍ଯ୍ୟରତ ଅଛନ୍ତି । ୨୦୧୮ ମସିହାରେ ହେରୋଇନ୍‌ କାରବାର ମାମଲାରେ ଏକ ବଡ ଧରଣର ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଥିଲେ । ନିଜ ଦକ୍ଷତା ପାଇଁ ବିଶ୍ବ ବିଜୟ ସିଂହଙ୍କୁ ବେଷ୍ଟ ଅପରେସନ ଅଫିସର ଭାବେ ସମ୍ମାନୀତ ମଧ୍ୟ କରାଯାଇଛି ।

ଆଶିଷ ରାଜନ ପ୍ରସାଦ

କ୍ରୁଜ୍‌ ଭିତରେ ଏନ୍‌ସିବିର ଅପରେସନକୁ ସଫଳ କରିବା ପଛରେ ଆଉ ଜଣେ ଦକ୍ଷ ଅଫିସର ହେଉଛନ୍ତି ଆଶିଷ ରାଜନ ପ୍ରସାଦ । ଯିଏକି ଜଣେ ଇଣ୍ଟେଲିଜେନ୍ସ ଅଫିସର । ଅକ୍ଟୋବର ୨ ତାରିଖରେ ସେ କ୍ରୁଜ୍‌ ମଧ୍ୟରେ ହିଁ ଉପସ୍ଥିତ ଥିଲେ ଏବଂ ଡ୍ରଗ୍ସ ଜବତ କରିଥିଲେ । ଆଶିଷ, ଏହା ପୂର୍ବରୁ ସିଆଇଏସ୍‌ଏଫ୍‌ର ସ୍ପେଶାଲ ଇଣ୍ଟେଲିଜେନ୍ସ ୟୁନିଟ୍‌ରେ କାମ କରୁଥିଲେ । ତାଙ୍କୁ ମିନିଷ୍ଟର ଏକ୍ସିଲେକନ୍ସ ସର୍ଭିସେସ୍‌ ମେଡାଲ ମଧ୍ୟ ମିଳିଛି । ସେ ୨୦୧୭ ମସିହାରୁ ଡେପୁଟେସନ୍‌ରେ ଏନ୍‌ସିବିରେ ଅଛନ୍ତି ।

ସମୀର ଓ୍ବାଙ୍ଖେଡେ

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)ର ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖେଡେଙ୍କ ନାଁ ଖୁବ ଶୀଘ୍ର କୌଣସି ରେକର୍ଡ ବୁକ୍‌ରେ ସ୍ଥାନ ପାଇବ । ଗତ ବର୍ଷେ ମଧ୍ୟରେ ଏଭଳି କୌଣସି ଦିନ ନାହିଁ ଯେଉଁ ଦିନ ସମୀର ଓ୍ବାଙ୍ଖେଡେ ଡ୍ରଗ୍ସ ଅପରେସନ କରିନାହାନ୍ତି । ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଆନ୍ତର୍ଜାତୀୟ ଆତଙ୍କବାଦୀ ଦାଉଦ ଇବ୍ରାଇମ ଗ୍ୟାଙ୍ଗ୍‌ର ଅନେକ ସଦସ୍ୟଙ୍କୁ ଗିରଫ କରିଛନ୍ତି । ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ଠାରୁ ଆରମ୍ଭ କରି ବର୍ତ୍ତମାନ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନକୁ ମଧ୍ୟ ପଚରାଉଚରା କରୁଛନ୍ତି । ସମୀର ଏହା ପୂର୍ବରୁ ରାଗସ୍ବ ବିଭାଗରେ କାର୍ଯ୍ୟ କରୁଥିଲେ । ତାଙ୍କ ପିତା ମଧ୍ୟ ମୁମ୍ବାଇ ପୋଲିସରେ କାର୍ଯ୍ୟରତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.