ଜିପିଏସ ଧରାଇଦେଲା ଚୋରା ଗାଡି, ବେଆଇନ ସ୍କ୍ରାପ ଗୋଦାମରେ ୩ ଜିଲ୍ଲା ପୋଲିସର ଚଢ଼ାଉ

Published By : Prameya-News7 Bureau | November 06, 2021 IST

ଯାଜପୁର, ୦୬/୧୧: ଯାଜପୁର ସହରରେ ଚାଲିଛି ଚୋରା ଗାଡି ସ୍କ୍ରାପ କାରବାର । ବେଆଇନ ଭାବେ ଚୋରା ଗାଡିକୁ ଆଣି ଏଠାରେ ଥିବା କବାଡିଖାନାରେ କଟା ଯାଇ ବିକ୍ରି କରାଯାଉଛି । ଏକ ଗାଡି ହିଁ ସମ୍ପୂର୍ଣ୍ଣ ଚୋରିର ପର୍ଦ୍ଦାଫାସ କରିଛି । 

ସୂଚନା ଅନୂସାରେ ଗତକାଲି ରାତିରେ ଜଗତପୁର ଥାନା ଅଂଚଳରୁ ଜଣେ ବ୍ୟକ୍ତିଙ୍କ ଟାଟା ପିକଅପ ଗାଡି ଚୋରି ହୋଇଯାଇଥିଲା । ଗାଡି ମାଲିକ ଘର ସମ୍ମୁଖରେ ଗାଡି ନଥିବା ଦେଖି ଗାଡିରେ ଲାଗିଥିବା ଜିପିଏସକୁ ସଂଯୋଗ କରିଥିଲେ । ଫଳରେ ଗାଡିଟି ଯାଜପୁର ଅଭିମୁଖେ ଯାଉଥିବା ଜାଣିବାକୁ ପାଇଥିଲେ । କାଳ ବିଳମ୍ବ ନକରି ଗାଡି ମାଲିକ ଗାଡିକୁ ପିଛା କରିଥିଲେ । ପରେ ଯାଜପୁରର ସହର ଶୀତଳେଶ୍ୱର ନିକଟରେ ଥିବା ରାଧା କବାଡିଖାନାରେ ଗାଡିକୁ ପାଇଥିଲେ । ଏନେଇ  ଯାଜପୁର ଟାଉନ ଥାନାକୁ  ଜଣାଇବା ପରେ ପୋଲିସ ଚଢ଼ାଉ କରିଥିଲା ।

ପରେ ବିଭିନ୍ନ ଅଂଚଳର ଗାଡି ଚୋରି ଅଭିଯୋଗକୁ ନେଇ କଟକର ଜଗତପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ବଡଚଣା ପୋଲିସ ଗାଡି ମାଲିକଙ୍କ ସହ ଉକ୍ତ ସ୍ଥାନରେ ପହଂଚି ଗାଡିକୁ ଯାଂଚ କରିଥିଲେ । ଗାଡି ଗୁଡିକ ମଧ୍ୟରୁ ଜଗତପୁର ପୋଲିସ ୨ ଟି ଚୋରି ଗାଡି ଚିହ୍ନଟ କରିଛନ୍ତି । ଅନ୍ୟ ଗାଡି ଗୁଡିକ ଖଣ୍ଡଖଣ୍ଡ କରାଯାଇଥିବାରୁ ମାଲିକଙ୍କ ପକ୍ଷେ ଚିହ୍ନିବା ସମ୍ଭବ ହେଉନାହିଁ । ତେବେ ଏହି ଘଟଣାରେ ପୋଲିସ ଜଣେ ଗାଡି ଚୋର ଓ କବାଡିଖାନା ମାଲିକକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଏହି ଘଟଣାରେ ଏକ ବଡ ରାକେଟ ସକ୍ରୀୟ ଥିବାରୁ ପୋଲିସ ପ୍ରତିକ୍ରିୟା ଦେଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.