Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନାର ମୁକାବିଲା ପାଇଁ ଟୀକା ପ୍ରସ୍ତୁତ, କ୍ଲିନିକାଲ୍ ଟ୍ରାଏଲ ଲାଗି ୩ଟି କମ୍ପାନୀକୁ ଡିସିଜି ଦେଲେ ମଞ୍ଜୁରୀ

5/05/2020 at 11:20 AM

ନୂଆଦିଲ୍ଲୀ ୫।୫: ସାରା ବିଶ୍ବ ପାଇଁ ସଙ୍କଟ ହୋଇଛି କରୋନା ମହାମାରୀ । ଦେଶର ବୈଜ୍ଞାନିକମାନେ କରୋନାକୁ ହରାଇବା ପାଇଁ ସବୁପ୍ରକାର ଚେଷ୍ଟା ଜାରି ରଖିଛନ୍ତି । ଏହି ସମୟରେ ଦେଶର ୩ଟି ବଡ ଫାର୍ମାସ୍ୟୁଟିକାଲ୍ କମ୍ପାନୀକୁ ସଫଳତା ମିଳିଛି । ଏହି କମ୍ପାନୀ କରୋନା ଭାଇରସ୍ ଟୀକା ପ୍ରସ୍ତୁତ କରିଛନ୍ତି । ଏହି ୩ଟି କମ୍ପାନୀର ଟୀକାକୁ ଭାରତରେ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମୋଦନ ମିଳିଛି ।

ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) ଡକ୍ଟର ଭି.ଜି ସୋମାନି ଏହି ଟୀକା ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତ ସପ୍ତାହରେ ଦେଶର କେବଳ ୩ଟି ଫାର୍ମାସ୍ୟୁଟିକାଲ କମ୍ପାନୀକୁ କୋଭିଡ୍-୧୯ ଟୀକାକରଣର କ୍ଲିନିକାଲ ଟ୍ରାଏଲକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଫାଷ୍ଟଟ୍ରାକ୍ ଅଧୀନରେ ଉତ୍ପାଦନ ହେବାକୁ ଥିବା ଟୀକା ଉପରେ ଗୁରୁତ୍ବ ଦିଆଯାଇଛି। ଫଳରେ କରୋନା ଭାଇରସ୍ କବଳରୁ ଲୋକଙ୍କୁ ଯଥାଶୀଘ୍ର ରକ୍ଷା କରାଯାଇପାରିବ । କରୋନାର ଏହି ଟୀକା ଭାରତୀୟ କମ୍ପାନୀ ଗ୍ଲେନମାର୍କ, କ୍ୟାଡିଲା ହେଲଥ କେୟାର ଏବଂ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ କରାଯାଇଛି।

କୁହାଯାଉଛି ଯେ, ଏହି ୩ଟି କମ୍ପାନୀର ଟୀକା ପ୍ରାରମ୍ଭିକ ଅନୁସନ୍ଧାନରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡିଛି । ଯଦି ସେମାନେ ସୁରକ୍ଷା ପରୀକ୍ଷଣରେ ସଫଳ ହୁଅନ୍ତି, ତେବେ କମ୍ପାନୀମାନଙ୍କୁ ଶୀଘ୍ର ଟୀକା ପ୍ରସ୍ତୁତ କରିବାକୁ ଅନୁମତି ଦିଆଯିବ। ଏହି ଟୀକା ବ୍ୟତୀତ ଗ୍ଲେନମାର୍କ କମ୍ପାନୀ ଫାଭିପିରାଭିର ନାମକ ଏକ ଔଷଧ ମଧ୍ୟ ପ୍ରସ୍ତୁତ କରିଛି । ଏହାସହ କ୍ୟାଡିଲା ହେଲଥ କେୟାର ମଧ୍ୟ କରୋନାକୁ ପରାସ୍ତ କରିବା ପାଇଁ ଆଲଫା-୨ ବି ନାମକ ଏକ ଟୀକା ପ୍ରସ୍ତୁତ କରିଛି।

   Related Posts