୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ, ଖର୍ଚ୍ଚ ହେବ ପ୍ରାୟ ଏତେ ଶହ କୋଟି ଟଙ୍କା
24/01/2021 at 6:27 PM

ଅଯୋଧ୍ୟା ୨୪।୦୧: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସମଗ୍ର ଦେଶରେ ଚାନ୍ଦା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟରେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସ୍ର ଜଣେ ଉଚ୍ଚ ପଦାଧିକାରୀ କହିଛନ୍ତି, ମନ୍ଦିରର ନିର୍ମାଣ କାର୍ଯ୍ୟ ପ୍ରାୟ ୩ ବର୍ଷରେ ସଂପୂର୍ଣ୍ଣ ହେବ। ଏଥିରେ ପ୍ରାୟ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ନ୍ୟାସର କୋଷାଧ୍ୟକ୍ଷ ସ୍ଵାମୀ ଗୋବିନ୍ଦ ଦେବ ଗିରି ମହାରାଜ କହିଛନ୍ତି, ମୁଖ୍ୟ ମନ୍ଦିରର ନିର୍ମାଣ ତିନିରୁ ସାଢେ ତିନି ବର୍ଷ ଭିତରେ ପୂରା ହେବ ଓ ଏହା ଉପରେ ୩୦୦-୪୦୦ କୋଟି ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ପୂରା ୭୦ ଏକର ଜମିରେ ବିକାଶ କାର୍ଯ୍ୟରେ ୧୧୦୦ କୋଟିରୁ ଅଧିକ ବଜେଟ୍ ଲାଗିପାରେ।
ସେ କହିଛନ୍ତି, ରାମ ମନ୍ଦିର ନିର୍ମାଣ ପ୍ରକଳ୍ପ ସମ୍ଵନ୍ଧିତ ବିଶେଷଜ୍ଞଙ୍କ ସହିତ ପରାମର୍ଶ ପରେ ବଜେଟ୍ର ଆନୁମାନିକ ମୂଲ୍ୟ କୁହାଯାଇ ପାରିବ। ନ୍ୟାସ୍ ଏ ପର୍ଯ୍ୟନ୍ତ ମନ୍ଦିର ନିର୍ମାଣର ବଜେଟ୍ ଉପରେ କୌଣସି ଆନୁଷ୍ଠାନିକ ବୟାନ ଦେଇ ନାହାନ୍ତି।
ସେ କହିଛନ୍ତି, ରାମ ମନ୍ଦିର ନିର୍ମାଣ ପାଇଁ କିଛି ଉଦ୍ୟୋଗୀଙ୍କଠୁ ଧନ ଏକତ୍ର କରିବା ସମ୍ଭବ ଥିଲା। କିଛି କର୍ପୋରେଟ୍ ପରିବାର ଆମ ପାଖକୁ ଆସିଥିଲେ, ସେମାନେ ଅନୁରୋଧ କରିଥିଲେ ଯେ ମନ୍ଦିରର ଡିଜାଇନ ସେମାନଙ୍କୁ ହସ୍ତାନ୍ତର କରି ଦିଅନ୍ତୁ ଏବଂ ଆଶ୍ଵାସନା ଦେଇଥିଲେ ଯେ ସେମାନେ ମନ୍ଦିର ପ୍ରକଳ୍ପ ସଂପୂର୍ଣ୍ଣ କରିବେ, ମାତ୍ର ମୁଁ ବିନମ୍ରତା ସହ ଏହା ମନା କରି ଦେଇଥିଲି। ଦେଶବାସୀଙ୍କ ଦାନରେ ହିଁ ମନ୍ଦିର ନିର୍ମାଣ ହେବ। ସେ କହିଛନ୍ତି, ଆମର ଲକ୍ଷ୍ୟ ୬.୫ ଲକ୍ଷ ଗାଁ ଓ ୧୫ କୋଟି ଘର ପର୍ଯ୍ୟନ୍ତ ପହଞ୍ଚିବା ରହିଛି।