ଦ୍ବିତୀୟ ପର୍ଯ୍ୟାୟରେ ଓଡିଶାର ୫ଟି ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ମତଦାନ

Published By : Prameya-News7 Bureau | April 18, 2019 IST

ଭୁବନେଶ୍ବର ୧୮|୪ : ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ । ଓଡ଼ିଶାର ୫ଟି ଲୋକସଭା ଓ ଏହା ଅଧୀନରେ ଥିବା ୩୫ ବିଧାନସଭା ଆସନ ପାଇଁ ମତଦାନ କରିବେ ମୋଟ୍‌ ୭୬ ଲକ୍ଷ ୯୩ହଜାର ୧୨୩ଜଣ ଭୋଟର । ୫ ଲୋକସଭା ପାଇଁ ୩୫ ପ୍ରାର୍ଥୀ ଏବଂ ବିଧାନସଭା ପାଇ ୨୪୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ତେବେ ଏହି ସବୁ ନିର୍ବାଚନ ମଣ୍ଡଳୀରେ ମତଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଏଥିରେ ୫ଟି ଲୋକସଭା ଆସନ ଯଥା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଏବଂ  ଆସ୍କା ସହ ଏହା ଅଧୀନରେ ଥିବା ୩୫ ବିଧାନସଭା ଆସନରେ ନିଜର ମତ ସାବ୍ୟସ୍ତ କରିବେ ମୋଟ୍‌ ୭୬ ଲକ୍ଷ ୯୩ହଜାର ୧୨୩ଜଣ ଭୋଟର । ଏହି ପର୍ଯ୍ୟାୟରେ  ୩୫ ସାଂସଦ ପ୍ରାର୍ଥୀ ଏବଂ ୨୪୪ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । କେବଳ ନକ୍ସଲ ପ୍ରବଣ ଅଂଚଳ ଗୁଡ଼ିକରେ ଘଣ୍ଟାଏ ପୂର୍ବରୁ ଅର୍ଥାତ୍‌ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ ।

ବଲାଙ୍ଗିର ଜିଲ୍ଲାରେ ମୋଟ୍ ୧୫୪୭ଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ସେଥି ମଧ୍ୟରୁ ୨୫୬ଟି ବୁଥକୁ ଉତ୍ତେଜନା ପ୍ରବଣ ଭାବେ ଗଣାଯାଉଛି । ନିର୍ବାଚନ ସୁପରିଚାଳନା ପାଇଁ ମୋଟ ୯ହଜାର ୨୮୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ମାଓ ପ୍ରବଣ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ଲାଠୋର, ଖପ୍ରାଖୋଲ, ତୁରେକେଲା, ମୁରିବାହାଲ, ଗୁଡ଼ଭେଲା, ବେଲପଡ଼ା, ଲରମ୍ଭା ଆଦି ସ୍ଥାନରେ ୨୦ପ୍ଲାଟୁନ୍‌ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ହୋଇଛନ୍ତି ।

ସେପଟେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ୧୮୪୬ ବୁଥରୁ ୩୮୮ ବୁଥକୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି ।

ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ମାଓ ପ୍ରବଣ କନ୍ଧମାଳ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ । ଜିଲ୍ଲାର ମୋଟ ୬୫୯ ବୁଥ୍‌ ମଧ୍ୟରୁ ୨୦୭ ବୁଥ୍‌ ସମ୍ବେଦନଶୀଳ ଓ ୫୦ଟି ବୁଥ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ସୁରକ୍ଷା ପାଇଁ ସିଆରପିଏଫ, ବିଏସଏଫ, କୋବ୍ରା ବାହିନୀ ସହ ମୋଟ ୬୦ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ସୀମାରେ ଗାଡ଼ିମଟର ଯାଂଚ ଏବଂ ପାଟ୍ରୋଲିଂକୁ କଡ଼ା କଡ଼ି କରାଯାଇଛି ।

ସେହଭଳି ଆସିକା ସଂସଦୀୟ କ୍ଷେତ୍ର ସହ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୋଟ ୧୯୪୬ ବୁଥ ପାଇଁ ନିୟୋଜିତ ହୋଇଛନ୍ତି ୧୨ହଜାର ୮୬୪ ପୋଲିଂ କର୍ମଚାରୀ । ଏଥି ମଧ୍ୟରୁ ୨୧ଟି ବୁଥରେ ସିସିଟିଭି, ୨୧୩ ବୁଥରେ ଓ୍ବେବ୍‌ କାଷ୍ଟିଙ୍ଗ, ୭୨ ବୁଥରେ ଭିଡିଓଗ୍ରାଫି ଏବଂ୮୪ ବୁଥରେ ଫଟୋଗ୍ରାଫି ବ୍ୟବସ୍ଥା କରାଯାଇଛି ।

ସେପଟେ ବରଗଡ଼ ଲୋକସଭା କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ବିଧାନସଭା କ୍ଷେତ୍ରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍‌ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ ।

ତେବେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା  ନବରଙ୍ଗପୁର ଲୋକସଭା ଅନ୍ତର୍ଗତ ମାଲକାନଗିରି ଏମପିଭି-୬୫ ଏବଂ ବ୍ରହ୍ମପୁର ସିଟି ହାଇସ୍କୁଲ ବୁଥରେ ପୁଣି ଥରେ ଆଜି ମତଗ୍ରହଣ ପାଇଁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ବ୍ୟାପକ ଅନିୟମିତତା ଅଭିଯୋଗ ପରେ ଏଠାରେ  ମତଦାନକୁ ରଦ୍ଦ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.