ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍ରେ ଆସିଲା ଟିକା
19/01/2021 at 4:28 PM

ଭୁବନେଶ୍ୱର୧୯/୧: ଭୁବନେଶ୍ବରରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକା। ପୁନେ-ଭୁବନେଶ୍ବର ସ୍ପାଇସ୍ ଜେଟ ଯୋଗେ ଏୟାରପୋର୍ଟରେ ଟିକା ପହଞ୍ଚିଛି। ଏୟାରପୋର୍ଟରୁ ଭ୍ୟାକ୍ସିନ ସେଣ୍ଟରକୁ ଟିକା ଯାଇଛି। ୩ ଲକ୍ଷ ୩୪ ହଜାର ୫ ଶହ ଡୋଜ ଟିକା ଆସି ପହଞ୍ଚିଛି। ତୃତୀୟ ଦିନରେ ଟିକା ନେବେ ଆଗ ଧାଡିର କରୋନା ଯୋଦ୍ଧା । ଗୋଟିଏ ଦିନର ବ୍ୟବଧାନ ପରେ ସୋମବାର ହୋଇଥିବା ଦ୍ବିତୀୟ ଦିନରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି।
ଦ୍ବିତୀୟ ଦିନରେ ସମୁଦାୟ ୩୧,୯୦୨ଜଣଙ୍କୁ ଟିକା ଦେବା ଲାଗି ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ମୋଟ ୩୨ ହଜାର ୫୨୬ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ଅର୍ଥାତ୍ ସମଗ୍ର ରାଜ୍ୟରେ ୧୦୨ ପ୍ରତିଶତ ଟିକାଦାନ ହୋଇଛି । ୧୭ ଜିଲ୍ଲାରେ ଶତ ପ୍ରତିଶତରୁ ଅଧିକ ଟିକାଦାନ କରାଯାଇଛି। କେନ୍ଦ୍ରାପଡ଼ରେ ସର୍ବାଧିକ ୧୬୩ ପ୍ରତିଶତ ଟିକାଦାନ ହୋଇଛି। ପ୍ରଥମ ଦିନରେ ୧୬୧ ସେସନ୍ ରେ ୧୩,୯୮୦ ସ୍ବାସ୍ଥ୍ୟକର୍ମୀ ଟିକା ନେଇଥିଲେ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଟିକାଦାନ ପାଇଁ ୫ଟି ସେସନ୍ ଧାର୍ଯ୍ୟ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସେସନ୍ ଆୟୋଜିତ ହୋଇଥିଲା।