ଗୁଜରାଟ: ନବବର୍ଷ ସ୍ୱାଗତ ଅବସରରେ ମଦ ପିଇ ୨୯୦ ଗିରଫ, ଗ୍ୟାଙ୍ଗୱାରରେ ଯୁବକକୁ ହତ୍ୟା
1/01/2020 at 3:28 PM

ସୁରଟ/ଅହମ୍ମଦାବାଦ ୧।୧: ନବ ବର୍ଷ ୨୦୨୦କୁ ଗୁଜରାଟରେ ଲୋକେ ଭବ୍ୟ ସ୍ୱାଗତ କରିଛନ୍ତି। ପାର୍ଟି ପ୍ଲଟ, କ୍ଲବ ଆଦି ସ୍ଥାନମାନଙ୍କରେ ନବ ବର୍ଷ ସ୍ୱାଗତ ଓ ପୁରୁଣା ବର୍ଷକୁ ବିଦାୟ ଲାଗି ପ୍ରବଳ ଭିଡ ଦେଖିବାକୁ ମିଳିଛି। ଏଥିଲାଗି ପୋଲିସ ପକ୍ଷରୁ ସୁରକ୍ଷାର କଡା ବ୍ୟବସ୍ଥା କରାଯାଇଥିଲା। ହେଲେ ସୁରଟରେ ଗ୍ୟାଙ୍ଗୱାର ହୋଇଥିବା ବେଳେ ଜଣେ ଯୁବକ ପ୍ରାଣ ହରାଇଥିବା ଜଣାପଡିଛି। ସେହିପରି ନବ ବର୍ଷ ସ୍ୱାଗତ ଲାଗି କାର୍ଯ୍ୟକ୍ରମ ଆୟୋଜନରେ ପ୍ରଚୁର ମଦ୍ୟପାନ କରି ରାସ୍ତାରେ ବାହନ ଚଳାଇ ରାଜ୍ୟର ବିଭିନ୍ନ ସ୍ଥାନରେ ୨୯୦ ଜଣଙ୍କୁ ପୋଲିସ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ ଲୋକଙ୍କ ନୂଆ ବର୍ଷ ସ୍ୱାଗତ ଉନ୍ମାଦନାକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷାର କଡା ବ୍ୟବସ୍ଥା ହୋଇଥିଲା। ଏଥିରେ ବିଭିନ୍ନ ସ୍ଥାନରେ ମଦ୍ୟପାନ କରି ବାହନ ଚଳାଇବା ବେଳେ ୨୯୦ ଜଣଙ୍କୁ ପୋଲିସ ଗିରଫ କରିଛି। କେବଳ ସର୍ଦାର ନଗରରେ ୪୭ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ସହରାଞ୍ଚଳରୁ ବାକି ମଦ୍ୟପ ଗିରଫ ହୋଇଛନ୍ତି।

ତେବେ ସୁରଟ ବେଡ ରୋଡ ପଣ୍ଡୋଲ ଅଞ୍ଚଳରେ ସୂର୍ଯ୍ୟ ମରାଠୀ ଓ ଡାହା ଗ୍ୟାଙ୍ଗର ଲୋକେ ମୁହାଁ ମୁହିଁ ହୋଇଯାଇଥିଲେ। ନବବର୍ଷ ଉତ୍ସବ ପାଳନ ପରେ ପରେ ଘଟିଥିବା ଏହି ଘଟଣାରେ ମାରଠୀ ଗୋଷ୍ଠୀର ଗୁଣ୍ଡାମାନେ ଅଚାନକ ସଶସ୍ତ୍ର ଆକ୍ରମଣ କରି ଡାହା ଗୋଷ୍ଠୀର ଚନ୍ଦ୍ରକାନ୍ତ ପାଟିଲଙ୍କୁ ହାଣି ପକାଇଥିଲେ। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସୂର୍ଯ୍ୟ ଗୋଷ୍ଠୀର ଲୋକେ ଘଟଣାସ୍ଥଳରୁ ପଳାଇଯାଇଥିଲେ। ତେବେ ଅଞ୍ଚଳର ସିସିଟିଭି ଫୁଟେଜ ଆଧାରରେ ପୋଲିସ ସୂର୍ଯ୍ୟା ମରାଠୀ ନାମରେ ମୋକଦ୍ଦମା ରୁଜୁ କରିଥିବା ଜଣାପଡିଛି।