ଚୀନ୍‌ ଡରିଗଲାଣି , କରୋନା ଝଟ୍‌କାରେ ଭାରତ ମୁହାଁ ବିଦେଶୀ କମ୍ପାନୀ

Published By : Prameya-News7 Bureau | May 21, 2020 IST

ନୂଆଦିଲ୍ଲୀ ୨୧।୦୫: କରୋନା ସଙ୍କଟ ଏବଂ ଲକ୍‌ଡାଉନ୍‌ ମଧ୍ୟରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଆର୍ଥିକ ସ୍ଥିତି ଖରାପ । କରୋନାର ଉତ୍ପତ୍ତିସ୍ଥଳ ଚୀନ୍‌ରୁ ନିଜ ନିଜ କାରଖାନା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇସାରିଲେଣି ବିଦେଶୀ କମ୍ପାନି । ଏମାନଙ୍କ ନଜରରେ ଏବେ ଭାରତ । ସେମାନେ ଚୀନ୍‌ ଛାଡି ଭାରତରେ କାରଖାନା ବସାଇବା ପାଇଁ ନିଷ୍ପତ୍ତି ନେଉଛନ୍ତି । ଲାଭା ଇଣ୍ଟର୍‌ନ୍ୟାସ୍‌ନାଲ ଏବଂ ଜର୍ମାନିଭିତ୍ତିକ ଜୋତା କମ୍ପାନି ଭୋନ୍‌ ୱେଲେକ୍ସ ଇତିମଧ୍ୟରେ ଭାରତରେ କାରଖାନା ବସାଇବା ପାଇଁ ନିଷ୍ପତ୍ତି ନେଇସାରିଲେଣି । ଆହୁରି ଅନେକ କମ୍ପାନିଙ୍କ ନଜରରେ ଏବେ ଭାରତ ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍‌ରେ ଅବସ୍ଥାପିତ ଆମେରିକୀୟ କମ୍ପାନିଗୁଡିକୁ ଚୀନ୍‌ ଛାଡ଼ି ଭାରତରେ କାରଖାନା ବସାଇବାକୁ କହିସାରିଛନ୍ତି । ଏଭଳି କ୍ଷେତ୍ରରେ ଭୟଭୀତ ଅବସ୍ଥାରେ ଅଛି ଚୀନ୍‌ । ମନ ଭିତରେ ଡର ଏଭଳି ଭାବେ ବସା ବାନ୍ଧିଲାଣି ଯେ ଏହା କହିହେଉଛି ଯେ, ଚୀନ୍‌ର ସ୍ଥାନ ଭାରତ ନେଇପାରିବ ନାହିଁ ।

ଭାରତ ବିଶ୍ୱର ପରବର୍ତ୍ତୀ ବିନିର୍ମାଣ ହବ୍‌ ପାଲଟିବାର ଯେଉଁ ସ୍ୱପ୍ନ ଦେଖୁଛି ତାହା ପୂରଣ ହେବା ଆଶା କମ୍‌ ବୋଲି ଚୀନ୍‌ ଏବେ କହିହେଉଛି । ଚୀନ୍‌କୁ ପଛରେ ପକାଇବାର ଚିନ୍ତାଧାରା ରାଷ୍ଟ୍ରବାଦୀ ଭାବନା ଛଡ଼ା ଆଉ କିଛି ନୁହେଁ ବୋଲି ଏହା ମନକୁ ବୁଝାଉଛି । ଏସବୁ ମଧ୍ୟରେ ଭାରତ ଉଦ୍ୟମ କରୁଛି ଯେ, ଚୀନ୍‌କୁ ପଛରେ ପକାଇ ଏହାକୁ ଗାଦିରୁ ହଟାଇବା । ଚୀନ୍‌ର ଖବରକାଗଜ ଟାଇମ୍ସ ଗ୍ଲୋବାଲରେ ଭାରତର ଏହି ଉଦ୍ୟମ ଉପରେ ଚିନ୍ତା ପ୍ରକଟ କରାଯାଇଛି ।

ସୂଚନାଯୋଗ୍ୟ, ଚୀନ୍‌ରେ ଥିବା କେତେକ କମ୍ପାନି ଭାରତରେ ବିନିର୍ମାଣ ୟୁନିଟ୍‌ ବସାଇବା ପାଇଁ ବିଚାର କରୁଛନ୍ତି । ଏଥିରେ ଚୀନ୍‌ ଭୟଭୀତ ହୋଇପଡିଛି । ଭାରତ ଚୀନ୍‌ର ବିକଳ୍ପ ହୋଇପାରବ ନାହିଁ ବୋଲି ଏହା କହିବୁଲୁଛି । ଚୀନ୍‌ର ଚିନ୍ତା ହେଉଛି, ଏହା ଆଉ କମ୍ପାନିଗୁଡିକର ପସନ୍ଦଯୋଗ୍ୟ ନିବେଶସ୍ଥଳ ହୋଇ ନାହିଁ । ଇତିମଧ୍ୟରେ ଜର୍ମାନିଭିତ୍ତିକ ଜୋତା କମ୍ପାନି ଭୋନ୍‌ ୱେଲେକ୍ସ ଏହାର ୟୁନିଟ୍‌କୁ ଚୀନ୍‌ରୁ ଉତ୍ତର ପ୍ରଦେଶର ଆଗ୍ରାକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତ ନେଇଛି । ଏଭଳି ଭାବେ ଅନ୍ୟ କମ୍ପାନିଗୁଡିକ ମଧ୍ୟ ଭାରତ ଆସିବାକୁ ଉତ୍ସାହିତ ଅଛନ୍ତି ।

ଗ୍ଲୋବାଲ ଟାଇମ୍ସରେ ପ୍ରକାଶ କରାଯାଇଛି ଯେ, କରୋନା ସଙ୍କଟ ମଧ୍ୟରେ ଚୀନ୍‌କୁ ପଛରେ ପକାଇ ଭାରତ ବିଶ୍ୱର ପରବର୍ତ୍ତୀ ଫ୍ୟାକ୍ଟ୍ରି ପାଲଟିବାର ଆଶା କମ୍‌ । ଏହି ଲେଖାରୁ ଜଣାଯାଉଛି ଯେ, ଚୀନ୍‌ କିଭଳି ମାତ୍ରାରେ ଭୟଭୀତ ହୋଇପଡିଲାଣି । ଉକ୍ତ ଖବରକାଗଜରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ଭାରତ ଚୀନ୍‌କୁ ପଛରେ ପକାଇବାର ଚିନ୍ତାଧାରା ରାଷ୍ଟ୍ରବାଦୀ ଭାବନାକୁ ପ୍ରତିପାଦିତ କରୁଛି ।

ତେବେ ବର୍ତ୍ତମାନ ପରିସ୍ଥିତିରେ ପାଶ୍ଚତ୍ୟ ଗଣମାଧ୍ୟମଗୁଡିକ ଭାରତର ଉତ୍ସାହ ବଢ଼ାଉଥିବାବେଳେ ଏହାକୁ ନେଇ ଚୀନ୍‌ ଖବରକାଗଜ ଗ୍ଲୋବାଲ ଟାଇମ୍ସ କହିଛି ଯେ, ପାଶ୍ଚାତ୍ୟ ଗଣମାଧ୍ୟମଙ୍କ ଉତ୍ସାହ ବଳରେ ଭାରତର ଆତ୍ମବିଶ୍ୱାସ ବହୁ ମାତ୍ରାରେ ବଢ଼ିଯାଇଛି । ଏହା ମନରେ ଭ୍ରମ ସୃଷ୍ଟି ହୋଇଛି ଯେ, ଏହା ଚୀନ୍‌କୁ ପଛରେ ପକାଇଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.