ରାଜ୍ୟରେ ୨୭ଶହ ତଲାକୀ ମୁସଲିମ୍ ମହିଳା ସରକାରୀ ସହାୟତାରୁ ବଞ୍ଚିତ : ଘେରିଲେ ଓ୍ବାକଫ୍ ବୋର୍ଡ
18/09/2018 at 6:27 PM

କଟକ୧୮|୯: ରାଜ୍ୟର ପାଖାପାଖି ୨୭ଶହ ସ୍ବାମୀ ପରିତ୍ୟକ୍ତା ମୁସଲିମ୍ ମହିଳା ସରକାରୀ ସହାୟତା ପାଇବାରୁ ବଞ୍ଚିତ । ଏଭଳି ଅଭିଯୋଗ ଆଣିଛି ରାଜ୍ୟ ତଲାକି ମହିଳା ସହାୟତା ସମିତି । କଟକସ୍ଥିତ ରାଜ୍ୟ ଓ୍ବାକଫ୍ ବୋର୍ଡ କାର୍ଯ୍ୟାଳୟ ଆଗରେ ଶତାଧିକ ତଲାକି ମହିଳା ଧାରଣାରେ ଦେଇଛନ୍ତି । ସେପଟେ ବୋର୍ଡର ଅଧ୍ୟକ୍ଷଙ୍କ ସଫେଇ ‘ଏହା ସରକାରଙ୍କ କାମ’ ତାଙ୍କର ଏଥିରେ କିଛି କରିବାର ନାହିଁ ।…..
କଟକସ୍ଥିତ ଓ୍ବାକଫ୍ ବୋର୍ଡ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା ମହିଳାମାନଙ୍କ କ୍ଷେତ୍ରରେ ଯାହାବି କିଛି ଘଟିଛି କିମ୍ବା ଘଟୁଛି, ତାକୁ ସହଜରେ ବୟାନ କରିବା ମୁସ୍କିଲ । ଏମାନେ ସମସ୍ତେ ହେଉଛନ୍ତି ମୁସଲିମ୍ ସମ୍ପ୍ରଦାୟର ଜଣେ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା । ନିଜର ହକ୍ ହାସଲ ପାଇଁ ଏମାନେ ଏବେ ସିଷ୍ଟମ ସହ ଲଢେଇ ଆରମ୍ଭ କରିଛନ୍ତି । ୨୦୧୪ ମସିହା ଠାରୁ ସରକାର ସେମାନଙ୍କର ଭରଣ ପୋଷଣ ବାବଦୀୟ ସହାୟତା ରାଶିକୁ ବନ୍ଦ କରିଦେଇଛନ୍ତି । ଏ ସମ୍ପର୍କରେ ବାରମ୍ବାର ଗୁହାରି ପରେବି କେହି ସେମାନଙ୍କ କଥା ଶୁଣୁନାହାନ୍ତି ।
ରାଜ୍ୟ ଓ୍ବାକଫ୍ ବୋର୍ଡ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ପ୍ରତ୍ୟେକଟି ମହିଳା ହେଉଛନ୍ତି କଟକ ଜିଲ୍ଲାର ବାସିନ୍ଦା । ହେଲେ ରାଜ୍ୟ ତଲାକି ମହିଳା ସହାୟତା ସମିତି କହୁଛି, ରାଜ୍ୟରେ ଏଭଳି ୨୭ ଶହ ସ୍ବାମୀ ପରିତ୍ୟକ୍ତା ମୁସଲିମ୍ ମହିଳା ଅଛନ୍ତି । ଯେଉଁମାନଙ୍କ ବାବଦରେ ସରକାର ଅବିଚାର କରିଛନ୍ତି । ତଲାକ ପାଇ ସାରିଥିବା ଏଭଳି ମହିଳାମାନଙ୍କୁ ମାସିକ ୪ ଶହ ଟଙ୍କାର ସହାୟତା ରାଶି ପ୍ରଦାନ କରିବାଲାଗି ସରକାରୀ ବ୍ୟବସ୍ଥା ଥିଲେ ମଧ୍ୟ ୨୦୧୪ ମସିହା ଠାରୁ ଏହାକୁ ବନ୍ଦ କରିଦିଆଯାଇଛି । ତେବେ ସେମାନଙ୍କ ଏଭଳି ଅଭିଯୋଗକୁ ନେଇ ଆମେ ଓ୍ବାକଫ ବୋର୍ଡ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ । କିନ୍ତୁ ଏ କ୍ଷେତ୍ରରେ ସରକାର ଯାହା କରିବେ ବୋଲି କହି ସେ ଅସହାୟତା ପ୍ରକାଶ କରିଛନ୍ତି।
ତଲାକ୍ ପାଇସାରିଥିବା ମହିଳାମାନଙ୍କ ଭିତରୁ ଅନେକଙ୍କ ଜୀବନଚର୍ଯ୍ୟା ଦୁର୍ବିଶହ ହୋଇପଡିଛି । କେହି କେହି ତ ପର ଘରେ କାମ ପାଇଟି କରି ଘର ଚଳାଉଛନ୍ତି । କିନ୍ତୁ ପେଟ ପୋଷିବା ପାଇଁ ଯେଉଁମାନଙ୍କ ପାଖରେ କୌଣସି ସୁଯୋଗ ବା ସମ୍ଭବନା ନାହିଁ, ସେମାନେ ଏବେ କରିବେ କଣ ?