ମହିଳାଙ୍କୁ ଫଶାଇବାପରେ ଦୁଷ୍କର୍ମ ଓ ଧର୍ମ ପରିବର୍ତ୍ତନ ପାଇଁ ବ୍ଲାକମେଲିଂ କରୁଥିବା ଅଭିଯୁକ୍ତ ଗିରଫ

Published By : Prameya-News7 Bureau | September 04, 2018 IST

ମୁମ୍ବାଇ  ୪|୯:  ଜଣେ ୨୫ବର୍ଷୀୟ ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ସହ ତାଙ୍କର ଭିଡିଓ ଶୁଟିଂ କରିବା ଅଭିଯୋଗରେ ଓସିଓ୍ବାରା ପୁଲିସ ୨୭ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି । ବ୍ୟକ୍ତି ଜଣଙ୍କ  ସେହି ଭିଡିଓ ଜରିଆରେ ମହିଳାଙ୍କୁ ଧମକ ଦେଇ ୧୦ ଦିନ ପର୍ଯ୍ୟନ୍ତ ଘରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ  ଏବଂ ତାଙ୍କର ଭିଡିଓ ଶୁଟିଂ ମଧ୍ୟ କରିଥିଲେ । ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ଦେବା ସହ ତାଙ୍କ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିଥିଲେ । ବ୍ୟକ୍ତି ଜଣଙ୍କ ସଂପୃକ୍ତ ମହିଳାଙ୍କ ସହ ଗତ ମାର୍ଚ୍ଚ ମାସରେ ଏକ ଡେଟିଂ ଓ୍ବେବସାଇଟ୍ ମାଧ୍ୟମରେ ପରିଚିତ ହୋଇଥିଲେ । ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ବ ହେବା ପରେ ସଂପୃକ୍ତ ବ୍ୟକ୍ତି ମହିଳାଙ୍କୁ ଏକ ଉତ୍ସବରେ ଯୋଗଦେବା ପାଇଁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ । ଘରକୁ ଆସିବା ପରେ ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ମିଠାରେ ନିଶା ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ମହିଳାଙ୍କ ନଗ୍ନ ଫଟୋ ଉଠାଇବା ସହ ଭିଡିଓ ଶୁଟ୍ ମଧ୍ୟ କରିଥିଲେ । ତାପର ଦିନ ତାଙ୍କୁ ବ୍ୟକ୍ତି ଜଣଙ୍କ ଧମକାଇଥିଲେ, ଯଦି ସେ ତାଙ୍କ କଥା ନମାନନ୍ତି ତେବେ ତାଙ୍କର ସବୁ ଫଟୋ ଏବଂ ଭିଡିଓକୁ ସେ ସୋସିଆଲ ମିଡିଆରେ ଅପଲୋଡ୍ କରିଦେବେ । ସଂପୃକ୍ତ ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ସେ ତାଙ୍କ ଭଲପାଉଥିଲେ ଏବଂ ତାଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ । ସେ ତାଙ୍କୁ ବାଧ୍ୟ କରୁଥିଲେ ବିବାଦୀୟ ଭିଡିଓ ଦେଖିବା ପାଇଁ । ଯଦି ସେ ତାହା ନକରନ୍ତି ତେବେ ତାଙ୍କୁ ମାରପିଟ୍ କରୁଥିଲେ । ପୁଲିସ କହିଛି ଯେ ଅଭିଯୁକ୍ତ ଜଣଙ୍କ ପାଖରେ ପାକିସ୍ତାନୀ ପାସପୋର୍ଟ ସହ ଦୁଇଟି ପାସପୋର୍ଟ ରହିଥିଲା, ଏବଂ ଜଣେ ବ୍ୟକ୍ତିର ଫଟୋ ସେ ଦେଖାଇଥିଲେ ଯେଉଁଥିରେ ତାଙ୍କୁ ଅସ୍ତ୍ରଶସ୍ତ୍ର ଧରିଥିବା କିଛି ବ୍ୟକ୍ତି ଘେରି ରହିଥିଲେ । ସେ ମଧ୍ୟ ମହିଳାଙ୍କୁ ଏକ ସୁଇସାଇଡ୍ ନୋଟ୍ ଲେଖିବା ସହ ସାଦା କାଗଜରେ ଦସ୍ତଖତ ମଧ୍ୟ ନେଇଥିବା ସ୍ବୀକାର କରିଛନ୍ତି । ତାଙ୍କ ଘରୁ ମହିଳା ଜଣଙ୍କୁ ଉଦ୍ଧାର କରିବା ପରେ ପୁଲିସ ଥାନାରେ ସେ ଏ ନେଇ ଏତଲା ଦେଇଥିଲେ । ତାଙ୍କ ଏତଲା ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.