ବିଦ୍ୟୁତ ସଂସ୍ପର୍ଶରେ ଆସି ୨୭ ବର୍ଷୀୟ ଯୁବକ ମୃତ, ଅଭିଯୋଗକୁ ବିଦ୍ୟୁତ୍‌ ବିଭାଗର ଖଣ୍ଡନ

Published By : Prameya-News7 Bureau | April 13, 2021 IST

ସାନଖେମୁଣ୍ଡି,୧୩/୦୪: ଦିଗପହଣ୍ଡି ବ୍ଳକ  ଅନ୍ତର୍ଗତ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ସୋମବାର ରାତିରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ ଶଙ୍କର ନାରାୟଣ ପାଢୀ (୨୭) ବୋଲି ଜଣାପଡ଼ିଛି ।

ଯୁବକ ଜଣକ ଟୋକେଇରେ ଘାସ ଧରି ଘରକୁ ଫେରିବା ବେଳେ ଝୁଲନ୍ତା ତାର ସଂସ୍ପର୍ଶରେ ଆସି ଯାଇଥିବା ଶଙ୍କରଙ୍କ ବାପା ଟୁନା ପାଢ଼ୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଆଇଆଇସି ବସନ୍ତ କୁମାର ସେଠୀ ଥାନାରେ ୮/୨୧ରେ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି । ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୋଲିସ୍‌ ପଠାଇଥିବା ଜଣାପଡିଛି ।

ତେବେ ବିଦ୍ୟୁତ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ପଟ୍ଟନାୟକ ତାର ଝୁଲୁଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଗତ ରାତିରେ ଟ୍ରାନ୍ସଫର୍ମରରୁ ଫ୍ୟୁଜ କଟିଯାଇ ଗ୍ରାମ ଅନ୍ଧାର ଘେରରେ ରହିଥିଲା । ବିଭାଗର କୌଣସି କର୍ମଚାରୀଙ୍କୁ ଡକାଇ ଫ୍ୟୁଜ ପକାଇବା ପରିବର୍ତ୍ତେ ଯୁବକ ଜଣକ ନିଜେ ଫ୍ୟୁଜ ସଜାଡିବା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସେ କହିଛନ୍ତି । ବ୍ୟବଚ୍ଛେଦ ହୋଇ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.