ସ୍କୁଲ ଖୋଲିବାରୁ ୨୭ ଛାତ୍ର-ଛାତ୍ରୀ କରୋନା ପଜିଟିଭ୍, ଚିନ୍ତାରେ ଅଭିଭାବକ ଓ ପ୍ରଶାସନ

Published By : Prameya-News7 Bureau | October 06, 2020 IST

ହାଇଦ୍ରାବାଦ ୦୬।୧୦: ଆନ୍ଧ୍ର ପ୍ରଦେଶ ସରକାର ନଭେମ୍ବର ୨ରେ ପୁଣି ଥରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ରାଜ୍ୟରେ ସ୍କୁଲ ଖୋଲିବାର ଗୋଟିଏ ମାସ ପୂର୍ବରୁ ବିଜୟନଗରମରେ ୨୭ ସ୍କୁଲ ଛାତ୍ର-ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ ପିଲାମାନେ କରୋନା ସଂକ୍ରମିତ ହେବାରୁ ଅଭିଭାବକ ଚିନ୍ତାରେ ପଡି ଯାଇଛନ୍ତି ଏବଂ ଏଥିପାଇଁ ଦାୟୀ ଅଧିକାରୀଙ୍କ ଉପରେ ନିଜର କ୍ରୋଧ ଜାହିର କରିଛନ୍ତି।

ସୂଚନା ଅନୁଯାୟୀ ବିଜୟନଗରମରେ ଦୁଇ ଜିଲ୍ଲା ପରିଷଦ  ହାଇସ୍କୁଲରେ ନବମ ଓ ଦଶମ ଶ୍ରେଣୀର ପ୍ରାୟ ୨୭ ଛାତ୍ର-ଛାତ୍ରୀ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ସବୁ ଛାତ୍ର-ଛାତ୍ରୀ ନିଜର ଡାଉଟ୍ କ୍ଲିୟର ପାଇଁ ସ୍କୁଲ ଯାଇଥିଲେ। ଶିକ୍ଷା ବିଭାଗର ଅଧିକାରୀ କହିଛନ୍ତି ବିଦ୍ୟାଳୟରେ ସବୁ ପ୍ରକାରର ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଛାତ୍ର-ଛାତ୍ରୀ ଆଉ କୌଣସି ଅନ୍ୟ ଜାଗାରୁ ସଂକ୍ରମିତ ହୋଇ ଥାଇ ପାରନ୍ତି।

ଏହା ବ୍ୟତୀତ କରୋନା ପଜିଟିଭ୍ ହୋଇଥିବା ସବୁ ଛାତ୍ର-ଛାତ୍ରୀ ଦନ୍ତିରାଜୁ ମଣ୍ଡଳର ଦତ୍ତି ଗାଁ ଗେଣ୍ଟ୍ୟାଡା ଜେଡପି ହାଇସ୍କୁଲର। ଗଣଶିକ୍ଷା ଆୟୋଗ ଚିନ୍ନା ବୀରଭଦ୍ରୁଡ କହିଛନ୍ତି ଏହାର ଅର୍ଥ ନୁହେଁ ଯେ ସମସ୍ତ ଛାତ୍ର ସ୍କୁଲରୁ ହିଁ ସଂକ୍ରମିତ ହୋଇଛନ୍ତି। ଯେବେ ସେମାନେ ପ୍ରଥମ ଥର ସ୍କୁଲ ଆସିଲେ ତେବେ ସେମାନଙ୍କର ପରୀକ୍ଷଣ କରାଯାଇଥିଲା। ତେଣୁ ସେମାନେ ଅନ୍ୟ କୌଣସି  ଜାଗାରୁ ସଂକ୍ରମିତ ହୋଇ ଥାଇ ପାରନ୍ତି। ସ୍କୁଲକୁ ବନ୍ଦ କରିବାର ନିର୍ଣ୍ଣୟ ଶୀଘ୍ର ନିଆଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.