Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୨୬ ଲୋକସଭା ଏବଂ ୧୯୧ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ହେଲା ସିଲ୍, ଏବେ ମେ ୨୩କୁ ଅପେକ୍ଷା…

11/04/2019 at 7:20 PM

ଭୁବନେଶ୍ବର ୧୧|୪:  ଗଣତନ୍ତ୍ରର ବଡ଼ ଉତ୍ସବ ନିର୍ବାଚନ-୨୦୧୯ର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୪ଟି ଲୋକସଭା ଏବଂ ଏହା ଅଧୀନରେ ଥିବା ୨୮ ବିଧାନସଭା ଆସନ ପାଇଁ ଭୋଟର ସେମାନଙ୍କ ଜନପ୍ରତିନିଧି ବାଛିଛନ୍ତି । ସକାଳ ୭ଟାରୁ ବିଭିନ୍ନ ସ୍ଥାନରେ ଭୋଟ୍‌ ଦେବାକୁ ସାଧାରଣ ଲୋକଙ୍କ ଭିତରେ ଏକ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା । ମାଓ ପ୍ରବଣ ଇଲାକାରେ ଅପରାହ୍ଣ ୪ଟା ଓ ଅନ୍ୟ ସ୍ଥାନରେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହୋଇଥିଲା ଭୋଟିଂ । ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏହି ସବୁ ସ୍ଥାନରେ ୬୬ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ଏଥି ସହ ଭୋଟିଂ ବହୁ ହେଭିଓ୍ବେଟ୍‌ଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇସାରିଛି । ….

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାର ୪ଟି ଲୋକସଭା ଓ ୨୮ ବିଧାନସଭା ପାଇଁ ପଡ଼ିଛି ଭୋଟ୍‌ । ଆଜି କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ଏବଂ ଏହା ଅଧୀନରେ ଥିବା ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲୋକେ ସେମାନଙ୍କ ପ୍ରତିନିଧି ବାଛିଛନ୍ତି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ଭୋଟ୍‌ ଦେବାକୁ ବୁଥ ଗୁଡ଼ିକରେ ପହଞ୍ଚିଥିଲେ । ବିଭିନ୍ନ ନିର୍ବାଚନ ମଣ୍ଡଳୀର ବୁଥ୍‌ ଗୁଡ଼ିକରେ ଦେଖିବାକୁ ମିଳିଥିଲା ଭୋଟରଙ୍କ ଲମ୍ବା ଲାଇନ୍‌ ।  ନିଜ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଲୋକଙ୍କ ଭିତରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା ।

ମାଓ ପ୍ରବଣ ଇଲାକାରେ ଅପରାହ୍ଣ ୪ଟା ଓ ଅନ୍ୟ ସ୍ଥାନରେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହୋଇଥିଲା ଭୋଟିଂ । ଅପରାହ୍ଣ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଥିଲା ।  ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମଇଦାନରେ ଥିବା ବହୁ ହେଭିଓ୍ବେଟ୍‌ ମଧ୍ୟ ଭୋଟ୍‌ ଦେବାକୁ ମତଦାନ କେନ୍ଦ୍ରକୁ ଆସିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଜୟପୁର ବିଧାନସଭା ଆସନରେ ନିଜ ଭାଗ୍ୟ ପରୀକ୍ଷା କରିଥିବା କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି, ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦ । କଳାହାଣ୍ଡି ଲୋକସଭା ଓ ବିଧାନସଭା ଆସନ ପାଇଁ ମଇଦାନରେ ଥିବା କଂଗ୍ରେସ ସାଂସଦ ପ୍ରାର୍ଥୀ ଭକ୍ତ ଚରଣ ଦାସ ଏବଂ ତାଙ୍କ ପୁଅ ତଥା ବିଧାୟକ ପ୍ରାର୍ଥୀ ସାଗର ଦାସ । 

କଳାହାଣ୍ଡି ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ତଥା ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ । ନବରଙ୍ଗପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ, ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ, କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀ, ବ୍ରହ୍ମପୁର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ, ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, କୋରାପୁଟ ଲୋକସଭା ପାଇଁ ବିଜେଡି ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା, ବିଜେପି ସାଂସଦ ପ୍ରାର୍ଥୀ ଜୟରାମ ପାଙ୍ଗି, କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା, ଦିଗପହଣ୍ଡିରୁ ବିଜେଡି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ର, ଗୋପାଳପୁରରୁ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ନର୍ଲ୍ଲାରେ ବିଜେଡି ବିଧାୟକ ପ୍ରାର୍ଥୀ ଭୂପିନ୍ଦର ସିଂଙ୍କ ଭଳି ତମାମ ବଡ଼ ନେତାଙ୍କୁ ଭୋଟଦାନ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଲୋକସଭା ପାଇଁ ୨୬ ସାଂସଦ ପ୍ରାର୍ଥୀ ଏବଂ ୨୮ ବିଧାନସଭା ପାଇଁ ୧୯୧ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ବର୍ତ୍ତମାନ ଇଭିଏମରେ ସିଲ୍‌ ହୋଇସାରିଛି । ଏମାନଙ୍କ ଭିତରୁ କେଉଁଠି କାହାକୁ ଲୋକେ ସେମାନଙ୍କ ପ୍ରତିନିଧି ଭାବେ ବାଛିଛନ୍ତି ତାହା ଜାଣିବାକୁ ହେଲେ ମେ’ ୨୩ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

   Related Posts