କଥା ରଖିଲେନି ସରକାର: ବାସହୀନ ହୋଇଯିବେ ୨୬/୧୧ ମୁମ୍ବାଇ ଆକ୍ରମଣର ସର୍ବକନିଷ୍ଠ ସାକ୍ଷୀ !

Published By : Prameya-News7 Bureau | May 05, 2021 IST

ମୁମ୍ବାଇ ୫/୫:  ୨୬/୧୧ ମୁମ୍ବାଇ ଆକ୍ରମଣ ମାମଲାରେ ସର୍ବକନିଷ୍ଠ ସାକ୍ଷୀ ଦେବୀକା ରୋତାଓ୍ବାନ ଏବେ ବାସହୀନ ହୋଇଯିବେ । ସେତେବେଳ ୧୦ ବର୍ଷୀୟା ସାକ୍ଷୀ ଦେବୀକା ମୁମ୍ବାଇ ଆଟାକରେ ସାମିଲ୍‌ ଆତଙ୍କବାଦୀ ଆଜମଲ କସାବଙ୍କୁ ଟ୍ରାଏଲ କୋର୍ଟରେ ଚିହ୍ନିପକାଇଥିଲେ। କିନ୍ତୁ ଏବେ ସେ ଏବଂ ତାଙ୍କ ପରିବାର ବାସହରା ହେବାକୁ ଯାଉଛନ୍ତି। ସେମାନଙ୍କୁ ଘର ଦେବା ପାଇଁ ବମ୍ବେ ହାଇକୋର୍ଟ କହିବା ପରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ଦେବୀକାଙ୍କ ପରିବାର ନଜର ରଖିଥିବା ବେଳେ କରୋନା ସମୟରେ ଘର ବିନା କେମିତି ରହିବେ ତାହା ସେମାନଙ୍କୁ ବିଚଳିତ କରିଛି। ସେମାନେ ରହୁଥିବା ଘରର ମାଲିକ ମେ’ ୧୦ ସୁଦ୍ଧା ଘର ଖାଲି କରିବାକୁ କହିଛନ୍ତି।

କରୋନାର ଦ୍ବିତୀୟ ଲହରକୁ ଚେକ୍‌ ଦେବାକୁ ସରକାର ରାଜ୍ୟରେ ଲକଡାଉନ୍‌ ଲାଗଇଛନ୍ତି। ଏହି ସମୟରେ ଆଉ ଏକ ଘର ଦେଖିବା ଏବଂ ଏହି ସମୟରେ ସେଠାକୁ ଯିବା ଅସମ୍ଭବ ବୋଲି କହିଛନ୍ତି ଦେବୀକା। ଘର ମାଲିକା ୩ ମାସର ୩୦ ହଜାର ଟଙ୍କା ଭଡ଼ା ଛାଡ଼ କରିବାକୁ ରାଜି ଥିଲେ ମଧ୍ୟ ଏବେ ଆମେ କୁଆଡେ ଯିବୁ ବୋଲି ସେ କହିଛନ୍ତି।  ୨୬/୧୧ ଆକ୍ରମଣ ପୂର୍ବରୁ ଦେବୀକାଙ୍କ ମାଙ୍କ ଦେହାନ୍ତ ହୋଇସାରିଥିବା ବେଳେ ସେମାନଙ୍କ ପରିବାରରେ ସ୍ଥାୟୀ ରୋଜଗାର ନାହିଁ। ଦୁଇ ଦିନ ପୂର୍ବରୁ ଦେବୀକା ନିଜର ଶେଷ ବର୍ଷ ପରୀକ୍ଷା ଦେଇଛନ୍ତି।

ଯଦି ଘର ଖାଲି କରିବାକୁ ପଡ଼େ ତେବେ ସେମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ଆଗରେ ଶୋଇବେ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି ।  ଗତବର୍ଷ ଅଗଷ୍ଟରେ ଦେବୀକାଙ୍କ ଆବେଦନ ଉପରେ ଶୁଣାଣି କରି କ୍ଷିପୂରଣ ବାବଦକୁ ଏକ ଘର ଯୋଗାଇବା ଉପରେ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହା ସହ ତାଙ୍କର ଶିକ୍ଷା ମାଗଣା କରିବାକୁ ସେ ଦାବି କରିଥିଲେ। ଅକ୍ଟୋବରରେ ହାଇକୋର୍ଟଙ୍କ ଅର୍ଡର ଧରି ଦେବୀକା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ପାଖରେ ହାଜର ହୋଇଥିଲେ। ଏବେ ଯାଏ ମଧ୍ୟ ଦେବୀକା ଏବଂ ତାଙ୍କ ପରିବାର ରାଜ୍ୟ ସରକାରଙ୍କ ପଦକ୍ଷେପ କଣ ହେବ ସେନେଇ ଅନାଇ ବସିଛନ୍ତି।

ସେପଟେ ରୋତାଓ୍ବାନଙ୍କ ଓକିଲ ଉତ୍ସବ ବେନ୍ସ ଟ୍ବିଟ୍‌ କରି ଆଦିତ୍ୟ ଠାକରେଙ୍କୁ ସହାୟତା ମାଗିଛନ୍ତି।  ଆତଙ୍କବାଦୀ ଆକ୍ରମଣରେ ଜଣେ ପ୍ରତ୍ୟେକ୍ଷ ସାକ୍ଷୀଙ୍କୁ ଏଭଳି ହଇରାଣ ହରକତ କରିବା ଆଦୌ ଉଚିତ ନୁହେଁ। ଆମେ ପୁଣି ଥରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବୁ ବୋଲି ମଧ୍ୟ ବେନ୍ସ ଲେଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.