କରୋନା କବ୍‌ଜାରେ ପାକିସ୍ତାନୀ ସେନା : ପିଓକେରେ ୫୨ ମୃତ, ୨୫୩୫ ସୈନିକ ଆକ୍ରାନ୍ତ

Published By : Prameya-News7 Bureau | July 05, 2020 IST

ନୂଆଦିଲ୍ଲୀ ୦୫।୦୭: କରୋନା ଭାଇରସ ଯୋଗୁ ଏବେ ପାକ୍‌ ସେନା ଅସ୍ତବ୍ୟସ୍ତ ହୋଇଗଲାଣି । ପାକ୍‌ ସରକାରଙ୍କ ଭଳି ସେଠାକାର ସେନା ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲୁଚାଉଛି । କିନ୍ତୁ କିଛି ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, କେବଳ ପାକ୍‌ ଅଧିକୃତ କାଶ୍ମୀର ଏବଂ ଗିଲଗିଟ୍‌-ବାଲୁଚିସ୍ତାନରେ ନିୟୋଜିତ ପାକ୍‌ ସୈନିକଙ୍କ ଭିତରୁ ଏଯାଏଁ ୨୫୩୫ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇସାରିଥିଲା ବେଳେ ସେମାନଙ୍କ ଭିତରୁ ୫୨ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସମୁଦାୟ ଆକ୍ରାନ୍ତଙ୍କ ଭିତରୁ ୮୨୭ ଜଣ ଏବେ ଚିକିତ୍ସିତ ହେଉଛନ୍ତି ।

କରୋନା ସଂକ୍ରମଣକୁ ନେଇ ପାକ୍‌ ସେନାରେ ବି ତୀବ୍ର ଅସନ୍ତୋଷ ଦେଖାଦେଇଛି । ସୈନିକମାନେ ଅଭିଯୋଗ କରୁଛନ୍ତି ଯେ ୟୁନିଟଗୁଡିକରେ କରୋନା ନିୟନ୍ତ୍ରଣ ପାଇଁ ସମୁଚିତ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଉନାହିଁ । ଯେତେବେଳେ କେହି ସେନାଧିକାରୀ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି, ସେମାନଙ୍କୁ ତୁରନ୍ତ ସବୁ ପ୍ରକାର ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଉଛି । କିନ୍ତୁ ସୈନିକମାନଙ୍କୁ ମରିବା ପାଇଁ ଆଲ୍ଲାଙ୍କ ଭରସାରେ ଛାଡି ଦିଆଯାଉଛି ।

କରୋନା ସଂକ୍ରମଣକୁ ନେଇ ପାକ୍‌ ଅଧିକୃତ କାଶ୍ମୀରର ସାଧାରଣ ଲୋକେ ବି ପାକ୍‌ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସେମାନେ ଅଭିଯୋଗ କରୁଛନ୍ତି ଯେ ପାକ୍‌ ସରକାର ଅନ୍ୟ ପ୍ରଦେଶରୁ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା କରିବା ବାହାନାରେ ପିଓକେକୁ ପଠାଇଦେଉଛନ୍ତି । ଏହାଯୋଗୁ ପିଓକେରେ କରୋନା ଅଧିକ ବ୍ୟାପିବାର ସମ୍ଭାବନା ରହିଛି । ପୂର୍ବରୁ ମଧ୍ୟ ରିପୋର୍ଟ ଆସିଥିଲା ଯେ ପାକ୍‌ ସେନା କରୋନା ଆକ୍ରାନ୍ତ ଆତଙ୍କବାଦୀଙ୍କୁ ଭାରତ ଭିତରକୁ ପ୍ରବେଶ କରାଇବା ପାଇଁ ଉଦ୍ୟମ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.