Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବନ୍ୟା ଆଶଙ୍କା : ସଂଧ୍ୟାରେ ଖୋଲିବ ହୀରାକୁଦର ୨୫ଟି ଗେଟ୍

28/08/2018 at 2:41 AM

ଭୁବନେଶ୍ୱର ୨୮|୮: ସଂଧ୍ୟାସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ୨୫ଟି ଗେଟ୍ ଖୋଲିପାରେ ବୋଲି ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରରୁ ଅଧିକ ୪ ଲକ୍ଷ କ୍ୟୁସେକ୍ ଜଳ ମହାନଦୀରେ ପ୍ରବାହିତ ହେବ । ଏଥିପାଇଁ ମହାନଦୀ ଅବବାହିକାରେ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ବଲପୁର ତଳି ଅଂଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିାଯାଇଛି । ବର୍ତ୍ତମାନ ହୀରାକୁଦ ଡ୍ୟାମ୍ର ୨୦ଟି ଗେଟ୍ ଖୋଲା ରହିଛି ।
ଆଜି ମହାନଦୀରେ ୬ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ତେବେ ଏହି ଗେଟ୍ ଖୋଲିବାପରେ ୩୧ ତାରିଖ ବେଳକୁ ମୁଣ୍ଡଳିଠାରେ ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ଆଶଂକା କରାଯାଉଛି । ସେହିଭଳି ଭଦ୍ରକ ସାଳନ୍ଦୀ ନଦୀରେ ବନ୍ୟା ଆଶଂକା ଥିବାରୁ ଭଦ୍ରକ ଜିଲ୍ଲାପାଳଙ୍କୁ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ କୁହାଯାଇଛି ।

ଅପରପାର୍ଶ୍ବରେ ୧୪ ଜିଲ୍ଲା ପାଇଁ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି । ଏହି ୧୪ ଜିଲ୍ଲା ହେଲା କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ନୟାଗଡ, କନ୍ଧମାଳ, ବଲାଙ୍ଗିର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର । ଏହି ସବୁ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଯୋଗୁଁ ଦିନ ୧.୩୦ରୁ ଅପରାହ୍ନ ୫.୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଗତକାଲି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ୱେଲମାର୍କରେ ପରିଣତ ହୋଇ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି ।ଏହାର ପ୍ରଭାବରେ ବିଶେଷ କରି ଉତ୍ତର ଓଡିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଘଡଘଡି ସହ ବର୍ଷା ଲାଗି ରହିବ । ତେବେ ଏହା କ୍ରମଶଃ ଦକ୍ଷିଣ ଆଡକୁ ଗତି କରିବ । ୩ ଦିନ ପର୍ଯ୍ୟନ୍ତ ସାରା ଓଡିଶାରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ ।ଭୁବନେଶ୍ବରରେ ମେଘୁଆ ପାଗ ଲାଗି ରହିବ । ୩ ଦିନ ପରେ ପୁଣି ଥରେ ଉତ୍ତର ଓଡିଶାର ୧୩ଟି ଜିଲ୍ଲାରେ ବର୍ଷାର ପରିମାଣ ବଢିବ ।ଚଳିତ ବର୍ଷ ୬ଟି ଜିଲ୍ଲାରେ ଆବଶ୍ୟକତାଠାରୁ ୧୨ ପ୍ରତିଶତ ଅଧିକ ମୌସୁମୀ ବର୍ଷା ହୋଇଥିବା ବେଳେ ୧୯ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ।

   Related Posts