ଭଲ ଖବର: ପୂର୍ବରୁ ସଂକ୍ରମିତ ୧୫ଟି ରାଜ୍ୟର ୨୫ ଜିଲ୍ଲାରୁ ଆସି ନାହିଁ ଗୋଟିଏ ବି କରୋନା କେସ୍, ସୁସ୍ଥ ହୋଇ ଘରକୁ ଫେରିଲେଣି ୮୫୭ ରୋଗୀ

Published By : Prameya-News7 Bureau | April 13, 2020 IST

ନୂଆଦିଲ୍ଲୀ ୧୩।୦୪: କରୋନା ଭାଇରସ୍‌ ସହ ସଂଘର୍ଷ କରୁଥିବା  ଭାରତ ପାଇଁ ଆସିଛି ଭଲ ଖବର। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ ସୋମବାର ନିଜର ଦୈନିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପୂର୍ବରୁ ସଂକ୍ରମିତ ୧୫ଟି ରାଜ୍ୟର ୨୫ ଜିଲ୍ଲାରୁ କରୋନାର ଗୋଟିଏ ହେଲେ କେସ୍ ଆସି ନାହିଁ। ୨୫ ଜିଲ୍ଲାରେ ଗତ ୧୪ ଦିନ ହେବ କରୋନାର ନୂତନ ମାମଲା ସାମ୍ନାକୁ ନ ଆସିବା ଏକ ଭଲ ଖବର। ସେହି ଭଳି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧୫୨କୁ ବୃଦ୍ଧି ଘଟିଛି। ମୋଟ୍ ୮୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ମହାମାରୀରେ ଏ ପର୍ଯ୍ୟନ୍ତ ୩୦୮ ଜଣଙ୍କ ପ୍ରାଣହାନୀ ଘଟିଛି।

ଇଣ୍ଡିଆନ କାଉନ୍‌ସିଲ୍‌ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ପକ୍ଷରୁ କୁହାଯାଇଛି ଯେ, ରବିବାର ସୁଦ୍ଧା ଦେଶରେ ୨ ଲକ୍ଷ ୬ ହଜାର ୨୧୨ ନମୂନା ପରୀକ୍ଷଣ କରାଯାଇଛି। ଭୟଭୀତ ହେବାର ଆବଶ୍ୟକତା ନାହିଁ। ସରକାରୀ ଲ୍ୟାବ୍ ବ୍ୟତୀତ ୧୯୧୩ ଘରୋଇ ଲ୍ୟାବ୍‌ରେ ମଧ୍ୟ କରୋନା ପରୀକ୍ଷଣ କରାଯାଉଛି। ଏବେ ଆମ ପାଖରେ ଯେତେ ଷ୍ଟକ ରହିଛି, ସେଥିରେ ଛଅ ସପ୍ତାହ ପର୍ଯ୍ୟନ୍ତ ଟେଷ୍ଟିଂ କରି ପାରିବା। ଚୀନରୁ ମେଡିକାଲ୍ କିଟ୍  ଆସିବା ବିଷୟରେ ଆଇସିଏମଆରର ରମନ ଆର ଗଙ୍ଗାଖେଡକର କହିଛନ୍ତି ଯେ, ଚୀନରୁ ଆସୁଥିବା କିଟ୍‌ର ପ୍ରଥମ ଦଫା ଏପ୍ରିଲ ୧୫ରେ ଭାରତ ପହଞ୍ଚିବ।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ କହିଛନ୍ତି ଯେ, ନ୍ୟାସନାଲ କ୍ୟାଡେଟ୍ କୋର(ଏନସିସି)ର ମଧ୍ୟ ସାହାଯ୍ୟ ନିଆଯାଉଛି। ଏ ପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଭଲେଣ୍ଟିୟର କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଜାନ ଭି ହେ, ଜହାନ ଭି ହେ। ଏ ପର୍ଯ୍ୟନ୍ତ ୩୦ କୋଟିରୁ ଅଧିକ ଲୋକଙ୍କୁ ୨୮ ହଜାର ୨୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି। ଜନ ଧନ ଯୋଜନା ଆଧାରରେ ମହିଳାଙ୍କ ଖାତାରେ ୯୯୦୩ କୋଟି ଟଙ୍କା ଓ କୃଷକଙ୍କୁ ୧୩ ହଜାର ୮୫୫ କୋଟି ଟଙ୍କା ଜାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.