କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ବିରୋଧ କରି ଆହୁତ ଧର୍ମଘଟରେ ଯୋଗଦେଲେ ୨୫କୋଟି ଶ୍ରମିକ, ବନ୍ଦସଫଳ କହିଲେ ଟ୍ରେଡୟୁନିୟନ

Published By : Prameya-News7 Bureau | November 26, 2020 IST

ନୂଆଦିଲ୍ଲୀ ୨୬।୧୧: କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ବିରୋଧରେ ଗୁରୁବାର ସାରାଦେଶରେ ଦିଆଯାଇଥିବା ବନ୍ଦ ଡାକରାକୁ ଅଭୂତପୂର୍ବ ସଫଳତା ମିଳିଛି। ସମାଜର ସବୁ ବର୍ଗର ଲୋକେ ଏହି ଧର୍ମଘଟରେ ନିଜକୁ ସାମିଲ କରିଥିବା ବେଳେ ବିଭିନ୍ନ କ୍ଷେତ୍ରର ଅନୁନ୍ୟ ୨୫ କୋଟି  ଶ୍ରମିକ ଯୋଗଦେଇଥିଲେ ବୋଲି ଭାରତୀୟ ମଜଦୂର ସଂଘ ବ୍ୟତୀତ ଅନ୍ୟ ଟ୍ରେଡ ୟୁନିୟନମାନେ ଦାବି କରିଛନ୍ତି।

ଆଇଏନଟିୟୁସି, ଏଆଇଟିୟୁସି, ଏଚେମଏସ୍, ସିଆଇଟିୟୁ, ଏଆଇୟୁଟିୟୁସି, ଟିୟୁସିସି, ଏସଇଡବ୍ଲୁଏ, ଏଆଇସିସିଟିୟୁ, ଏଲପିଏଫ ଓ ୟୁଟିୟୁସି ଆଦି ଟ୍ରେଡ ୟୁନିୟନମାନେ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିକୁ ବିରୋଧ କରି ମିଳିତ ଭାରତ ବନ୍ଦ ଡାକରା ଦେଇଥିଲେ। ଏହି ବନ୍ଦ ଆହ୍ୱାନରେ କେତେକ ରାଜ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ମୁମ୍ବାଇରେ ବିଶାଳ ମାନବଶୃଙ୍ଖଳ ସୃଷ୍ଟି କରାଯାଇଥିଲା।

ମହାରାଷ୍ଟ୍ରର ବିଭିନ୍ନ ସହରାଞ୍ଚଳରେ ଦିନ ତମାମ ଅଟୋରିକ୍ସା ଓ ଟ୍ୟାକ୍ସି ସେବା ବନ୍ଦ ଥିବା ବେଳେ କର୍ଣ୍ଣାଟକ, ତେଲେଙ୍ଗାନା, ପଞ୍ଜାବ, ଦିଲ୍ଲୀ, କେରଳ, ପୁଡୁଚେରୀ, ଓଡିଶା, ଆସାମ ଆଦି ରାଜ୍ୟରେ ବନ୍ଦର ପ୍ରଭାବ ପଡିଛି। କୋଲକାତା, ଚେନ୍ନାଇ, ଟୁଟିକୋରିନ, କୋଚ୍ଚି, ବିଶାଖାପାଟଣା ଓ ପାରାଦ୍ୱୀପ ବନ୍ଦର ଶ୍ରମିକ ଅଚଳ କରିଥିଲେ। ସେହିପରି ବେଙ୍ଗାଲୁରୁରେ ସାର୍ବଜନିକ ଉପକ୍ରମ ସବୁ ବନ୍ଦ ଥିବା ବେଳେ ହାଇଦ୍ରାବାଦରେ ମଧ୍ୟ ବନ୍ଦର ପ୍ରଭାବ ଦେଖାଯାଇଛି।

ତ୍ରୁଟିପୂର୍ଣ୍ଣ କୃଷିନୀତିର ପ୍ରତ୍ୟାହାର ସାଙ୍ଗକୁ ଶ୍ରମିକ ଓ କର୍ମଚାରୀ ବିରୋଧୀନୀତି ପ୍ରତ୍ୟାହାର, ସରକାରୀ ଉଦ୍ୟୋଗର ଘରୋଇକରଣ ବନ୍ଦ, ପୂର୍ବ ପେନସନ୍‌ ଯୋଜନା ଓ ସାମାଜିକ ସୁରକ୍ଷା ଯୋଜାଗୁଡିକର ପୁନରୁଦ୍ଧାର ଆଦି ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଦେଶରେ ପ୍ରଥମ ଥର ଟ୍ରେଡ ୟୁନିୟନଙ୍କ ସମର୍ଥନରେ ୨୫କୋଟି ଦେଶବସୀ ଆସିବା ବିଜେପି ଲାଗି ସତର୍କ ଘଣ୍ଟି ସଦୃଷ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.