କେରଳ ବନ୍ୟାରେ ଫସି ରହିଥିବା ଓଡ଼ିଆଙ୍କ ଉଦ୍ଧାର ପାଇଁ ରାଜ୍ୟରୁ ୨୪୦ ଜଣ ଆଗ୍ନିକ ନିୟୋଜିତ

Published By : Prameya-News7 Bureau | August 19, 2018 IST

କେରଳ ୧୯/୮ : କେରଳରେ ରହୁଥିବା ଓଡ଼ିଆଙ୍କ ମଧ୍ୟରୁ ୨ ହଜାରରୁ ଅଧିକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ବିଶେଷକରି ପୁରୀ, ଫୁଲବାଣୀ, କନ୍ଧମାଳ, କଟକ ଜିଲ୍ଲାର ବିଭିନ୍ନ ଗାଁରୁ କେରଳକୁ କାମଧନ୍ଦା ପାଇଁ ଯାଇଥିବା ଶତାଧିକ ଶ୍ରମିକ ବନ୍ୟା ଯୋଗୁଁ ଗତ ୯ ତାରିଖରୁ କେରଳର ଇଲାମକେରା, ଆଲୁଭା, ମୁନ୍ନାର ରୋଡ, ଓଡାପାଲି ଆଦି ଅଞ୍ଚଳରେ ଫସି ରହିଅଛନ୍ତି । ଏର୍ଣ୍ଣାକୁଲମର ଏଲମକିରା ପଞ୍ଚାୟତରେ ଫସି ରହିଛନ୍ତି ୪୦ଜଣ ଓଡ଼ିଆ । ଏଠାରେ ସ୍ଥିତି ଏମିତି ଯେ କୌଣସି ସମୟରେ ଏମାନଙ୍କ ଘର ଭିତରକୁ ଭୟଙ୍କର ବନ୍ୟା ଜଳ ପସିବାର ସମ୍ଭାବନା ରହିଛି । କେରଳ ସରକାରଙ୍କ ପକ୍ଷରୁ ସେମାନଙ୍କୁ ରିଲିଫ୍ ମିଳୁଛି । କିନ୍ତୁ ପାଣି ଘେରରେ ୫ ରୁ ୬ ଦିନ ହେଲା ଫସି ରହିଥିବାରୁ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି ।କେରଳର ବନ୍ୟାବିପନ୍ନଙ୍କୁ ଉଦ୍ଧାର କରିବା ଲାଗି ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଇଁ ସଜାଗ ରହିଥିବା ଅଗ୍ନିଶମ ବିଭାଗର ୨୪୦ ଜଣିଆ ଦଳ ଏବେ କେରଳରେ ପହଞ୍ଚିଛି। ବାୟୁସେନାର ଦୁଇଟି ସ୍ବତନ୍ତ୍ର ବିମାନ ଯୋଗେ ପହଞ୍ଚିଥିବା ୨୪୦ ଜଣିଆ ଦଳ ମଧ୍ୟରେ ୨୨୫ ଜଣ ଫାୟାର ମେନ୍, ଲିଡିଂ ଫାୟାର ମେନ୍ ଓ ବୋଟ ଚାଳକ ଅଛନ୍ତି। ୧୫ ଜଣ ବରିଷ୍ଠ ତଦାରଖକାରୀ ଅଧିକାରୀ ରହିଛନ୍ତି। ଏହି ଟିମ୍ ୭୬ଟି ପାୱାର ବୋଟ୍, ୮ଟି ପାଣିରେ ବୁଡି ଖୋଜିବା ପୋଷାକ, ୧୦ଟି ଟାୱାରଲାଇଟ୍, ୩୫ଟି ମୋଟରଚାଳିତ କରତ, ୧୪ଟି ଟର୍ଚ୍ଚ, ୨୩୪ଟି ଲାଇଫ୍ ଜ୍ୟାକେଟ୍, ୧୩୭ଟି ଲାଇଫ୍ ବୟ(ସର୍କଲ), ୩୦ଟି ସ୍ଲିପିଂ ମ୍ୟାଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଧରି ଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.