ଦେଶରେ ସବୁ ରେକର୍ଡ ଭାଙ୍ଗିଲା : ଗୋଟିଏ ଦିନରେ ପାଖାପାଖି ୨୫ ହଜାର ନୂଆ ମାମଲା, ୬୧୩ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | July 05, 2020 IST

ନୂଆଦିଲ୍ଲୀ ୦୫/୦୭ : ଦେଶରେ କରୋନା ସଂକ୍ରମଣକୁ ବ୍ରେକ ଲାଗୁନି, ହୁ ହୁ ହୋଇ ସଂକ୍ରମଣ ବଢିଚାଲିଛି | ସଂକ୍ରମଣ ମାମଲାରେ ଏବେ ସୁଦ୍ଧା ସମସ୍ତ ରେକର୍ଡ ଭାଙ୍ଗିଛି ଭାରତ | ଦେଶରେ ପ୍ରଥମଥର କରୋନା ସଂକ୍ରମଣ ମାମଲା ଗୋଟିଏ ଦିନରେ ୨୫ ହଜାର ନିକଟତର ହୋଇଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୨୪ ହଜାର ୮୦୫ ନୂଆ ମାମଲା ସାମ୍ନାକୁ ଆସିଛି | ୨୪ ଘଣ୍ଟାରେ ୬୧୩ ଜଣଙ୍କ ମୃତ୍ୟୁ ହୋଇଛି | ନୂଆ ମାମଲା ସାମ୍ନାକୁ ଆସିବା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୬ ଲକ୍ଷ ୭୩ ହଜାର ୧୬୫ ହୋଇଛି | ଦେଶରେ ଏବେ ସୁଦ୍ଧା ୧୯ ହଜାର ୨୬୮ କରୋନା ଜନିତ ମୃତ୍ୟୁ ହୋଇଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ୨ ଲକ୍ଷ ୪୪ ହଜାର ୮୨୪ ଆକ୍ଟିଭ ମାମଲା ରହିଥିବାବେଳେ ୪ ଲକ୍ଷ ୯ ହଜାର ୮୨ ଜଣ ସୁସ୍ଥ ହୋଇଛନ୍ତି |

କରୋନା ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୭ ହଜାର ୭୪ ନୂଆ ମାମଲା ସାମ୍ନାକୁ ଆସିଛି | କରୋନା ମହାମାରୀ ଯୋଗୁଁ ମହାରାଷ୍ଟ୍ରର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି | ସଂକ୍ରମଣ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି | ଗତ ୨୪ ଘଣ୍ଟାରେ ୨୯୫ ଜଣ ପ୍ରାଣ ହରାଇଛନ୍ତି | ପ୍ରଥମଥର ମହାରାଷ୍ଟ୍ରରେ ୭ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି | ନୂଆ ମାମଲା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୬୪ ରେ ପହଞ୍ଚିଛି | ମହାରାଷ୍ଟ୍ରରେ ଏବେ ସୁଦ୍ଧା ୮ ହଜାର ୬୭୧ ଜଣ ପ୍ରାଣ ହରାଇ ସାରିଛନ୍ତି |

ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତି ଭୟଙ୍କର ହୋଇପଡିଛି | ଗତ ୨୪ ଘଣ୍ଟାରେ ୨ ହଜାର ୫୦୫ ନୂଆ ମାମଲା ସାମ୍ନାକୁ ଆସିଛି | ସେହିଭଳି ତାମିଲନାଡୁରେ ୪ ହଜାର ୨୮୦, ଉତ୍ତର ପ୍ରଦେଶରେ ୭୫୭, ପଶ୍ଚିମବଙ୍ଗରେ ୭୪୩, ରାଜସ୍ଥାନରେ ୪୮୦, ଓଡିଶାରେ ୪୬୯, ପଞ୍ଜାବରେ ୧୭୨ ନୂଆ ମାମଲା ରହିଛି | ସଂକ୍ରମଣ ମଧ୍ୟରେ ଏକ ଭଲ ଖବର ମଧ୍ୟ ରହିଛି | ଦେଶରେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇଛି | ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସୁସ୍ଥ ହାର ୬୦.୭୭ ପ୍ରତିଶତ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.