ଦେଶର ୨୩୦ VIPଙ୍କୁ ମିଳୁଛି କେନ୍ଦ୍ରୀୟ ସୁରକ୍ଷା, ଖର୍ଚ୍ଚ ବି ସରକାର ବହନ କରୁଛନ୍ତି

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ ୦୯।୦୩: ଭାରତରେ ଭିଆଇପିଙ୍କୁ ସୁରକ୍ଷା ପ୍ରଦାନ କରିବା କେନ୍ଦ୍ର ସରକାରଙ୍କ ଏକ ବଡ ଦାୟିତ୍ଵ। କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ ମଙ୍ଗଳବାର କହିଛନ୍ତି, ଦେଶରେ ୨୩୦ ଲୋକଙ୍କୁ ସିଆରପିଏଫ ଓ ସିଆଇଏସଏଫ ପରି କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳଙ୍କ ଦ୍ଵାରା 'ଜେଡ୍‌ ପ୍ଲସ୍‌', 'ଜେଡ୍' ଓ 'ଓ୍ଵାଇ' ଶ୍ରେଣୀ ଆଧାରରେ ସୁରକ୍ଷା ପ୍ରଦାନ କରାଯାଉଛି। ରେଡ୍ଡୀ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଦେଶର ବଡ ବଡ ବ୍ୟକ୍ତିଙ୍କ ଜୀବନ ପ୍ରତି ରହିଥିବା ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଏଜେନ୍ସି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି। ସମୟ ସମୟରେ ଏହାର ସମୀକ୍ଷା ମଧ୍ୟ କରାଯାଏ। ଆବଶ୍ୟକ ପଡିଲେ ସୁରକ୍ଷା ବଢାଯାଏ କିମ୍ବା ପ୍ରତ୍ୟାହାର କରାଯାଏ।

ସମୀକ୍ଷା ଆଧାରରେ ସରକାର ବ୍ୟକ୍ତିଙ୍କୁ ବିଭିନ୍ନ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯିବା, ପ୍ରତ୍ୟାହାର କରିବା ସଂଶୋଧନ କରିବାର ନିଷ୍ପତ୍ତି ନେଇଥାନ୍ତି। ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ୨୩୦ ବ୍ୟକ୍ତିଙ୍କ ନାମ କେନ୍ଦ୍ରୀୟ ତାଲିକାରେ ସାମିଲ। ସାଧାରଣ ଏହି ଲୋକଙ୍କୁ ସୁରକ୍ଷା ପ୍ରଦାନରେ ହେଉଥିବା ଖର୍ଚ୍ଚ ସରକାର ବହନ  କରିଥାନ୍ତି। କିନ୍ତୁ ମନ୍ତ୍ରୀ ଏହାର ତଥ୍ୟ ଦେଇ ନାହାନ୍ତି ଯେ ଭିଆଇପିଙ୍କ ସୁରକ୍ଷାରେ କେତେ ଅର୍ଥ ଖର୍ଚ୍ଚ ହୁଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.