ଲକ୍ ଡାଉନ୍ : ସାରା ବିଶ୍ବରେ ୨୩୦ କୋଟିରୁ ଅଧିକ ଲୋକ ଘରେ, ସେଥିରୁ ୧୩୦ କୋଟି ଭାରତୀୟ

Published By : Prameya-News7 Bureau | March 25, 2020 IST

ପ୍ୟାରିସ୍ ୨୫।୩: କରୋନା ଭାଇରସ୍ ର ସଂକ୍ରମଣ ଯୋଗୁଁ ସାରା ବିଶ୍ବର ୫୦ରୁ ଅଧିକ ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଲକ୍ ଡାଉନ୍ ଯୋଗୁଁ ପ୍ରାୟ ୨୩୦ କୋଟିରୁ ଅଧିକ ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି । ଏଥିରୁ ପ୍ରାୟ ୧୩୦ କୋଟି ଲୋକ କେବଳ ଭାରତରେ ହିଁ ଲକ୍ ଡାଉନ୍ ହୋଇଛନ୍ତି । ଏହି ଲକ୍ ଡାଉନ୍ ମଙ୍ଗଳବାର ଅଧରାତ୍ରିରୁ ଆରମ୍ଭ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ମଙ୍ଗଳବାର ରାତି ୧୨ଟାଠାରୁ ୨୧ ଦିନ ପର୍ଯ୍ୟନ୍ତ ଦେଶବ୍ୟାପି ଲକ୍ ଡାଉନ୍ ଘୋଷଣା କରିଛନ୍ତି । ମୋଦି କହିଥିଲେ ଯେ, ଏହି ଲକ୍ ଡାଉନ୍ ଏକ ପ୍ରକାରର କର୍ଫ୍ୟୁ ଭଳି । ଲକ୍ ଡାଉନ୍ ଘୋଷଣା କରିଥିବା କେତକ ଦେଶ ଏହାକୁ ଅନିବାର୍ଯ୍ୟ ଘୋଷମା କରିଥିବା ବେଳେ ଅନ୍ୟ କେତେକ ଦେଶ ଏହାକୁ କଡାକଡି କରିନାହାନ୍ତି । କେବଳ ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରିଛନ୍ତି ।

୩୫ ଦେଶରେ ଅନିବାର୍ଯ୍ୟ ଲକ୍ ଡାଉନ୍, ଏଥିରେ ଭାରତ ସାମିଲ୍ :

ପ୍ରାୟ ୧୯୫.୯ କୋଟି ଜନସଂଖ୍ୟା ବିଶିଷ୍ଟ ୩୫ ଦେଶରେ ଅନିବାର୍ଯ୍ୟ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଅନିବାର୍ଯ୍ୟ ଲକ୍ ଡାଉନ୍ ମାନେ ହେଲା ଅତି ଜରୁରୀ ନହେଲେ ଘରୁ ବାହାରିବା ପୂରାପୁରି ମନା । ଏହା ନମାନୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଦେଶମାନଙ୍କ ମଧ୍ୟରେ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ସବୁଠୁ ବଡ ଦେଶ ହେଉଛି ଭାରତ । ଏହା ବ୍ୟତୀତ ଫ୍ରାନ୍ସ, ଇଟାଲୀ, ଆର୍ଜେଣ୍ଟିନା, ଇରାକ୍, ଗ୍ରୀସ୍, ଆମେରିକା, କାଲିଫର୍ଣ୍ଣିଆ ଆଦି ଦେଶ ରହିଛି । ମଙ୍ଗଳବାର ଦିନ କଲୋମ୍ବିଆ ମଧ୍ୟ ଏହି ତାଲିକାରେ ସାମିଲ୍ ହୋଇଛି । ସେହିଭଳି ନ୍ୟୁଜିଲ୍ୟାଣ୍ଡ ମଧ୍ୟ ବୁଧବାରଠାରୁ ଲକ୍ ଡାଉନ୍ ହୋଇଛି । ଅଧିକାଂଶ ଦେଶରେ ଜରୁରୀ କାମରେ ଯିବା, ମେଡିକାଲ ପାଇଁ ଜରୁରୀ ସାମଗ୍ରୀ ଆଣିବାକୁ ଯିବା ପାଇଁ ଅନୁମତି ରହିଛି ।

୫ ଦେଶରେ ଘରେ ରହିବାକୁ ଲୋକଙ୍କୁ ଅପିଲ୍ :

୨୨.୮ କୋଟି ଜନସଂଖ୍ୟା ବିଶିଷ୍ଟ ୫ଟି ଦେଶ କେବଳ ନିଜ ନିଜ ଦେଶବାସୀଙ୍କୁ ଘରେ ରହିବାକୁ ଅପିଲ୍ କରିଛି । ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହି ଦେଶଗୁଡିକ ମଧ୍ୟରେ ଇରାନ୍, ଜର୍ମାନୀ ଏବଂ ବ୍ରିଟେନ୍ ମଧ୍ୟ ସାମିଲ୍ ରହିଛି । ବ୍ରିଟେନ୍ ରେ ଗତ ସପ୍ତାହରେ ସମୁଦ୍ରକୂଳ ଏବଂ ପାର୍କରେ ଭିଡ ଦେଖିବାକୁ ମିଳିବା ପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ଚେତାବନୀ ଦିଆଯାଇଛି । ସେହିଭଳି ଇରାନ୍ ରେ ଗତ ସପ୍ତାହରେ ନୂଆବର୍ଷ ଉପଲକ୍ଷେ ଲକ୍ଷାଧିକ ଲୋକ ରାସ୍ତାକୁ ଓହ୍ଲାଇଥିଲେ । ଏହାପରେ ଲୋକଙ୍କୁ ଘରେ ରହିବା ପାଇଁ ଅପିଲ୍ କରାଯାଇଛି ।

୧୦ ଦେଶରେ କର୍ଫ୍ୟୁ :

ପ୍ରାୟ ୧୦ଟି ଦେଶ କର୍ଫ୍ୟୁ ଘୋଷଣା କରିଛନ୍ତି । ଏଥିରେ ବର୍କିନା ଫାସୋ, ଚିଲି, ଫିଲିଫିନ୍ସ, ସର୍ବିଆ, ମ୍ୟାରିଟାନିଆ ଏୂବଂ ସାଉଦି ଆରବ ରହିଛି । ଏହି ଦେଶଗୁଡିକର ଜନସଂଖ୍ୟା ୧୧.୭ କୋଟି ରହିଛି ।
ଏହା ବ୍ୟତୀତ କିଛି ଦେଶ ଏଭଳି ଅଛି ଯେଉଁଠାରେ କିଛି ସହରକୁ ଆଇସୋଲେଟ୍ କରାଯାଇଛି । ଏଭଳି ଦେଶଗୁଡିକର ଜନସଂଖ୍ୟା ପ୍ରାୟ ୧ କୋଟି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.