ହିମାଚଳ ପ୍ରଦେଶରେ ITBPର ୨୩ ଯବାନ ସହିତ ୩୨ ଜଣ କରୋନା ସଂକ୍ରମିତ
2/07/2020 at 9:58 PM

ସିମଲା ୦୨।୦୭: ହିମାଚଳ ପ୍ରଦେଶରେ ଗୁରୁବାର ଭାରତ ତିବ୍ବତ ସୀମା ପୋଲିସ(ITBP)ର ୨୩ ଯବାନ ସହିତ ମୋଟ୍ ୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୧୨ରେ ପହଞ୍ଚିଛି। ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି।
ଆଇଟିବିପିର ସଂକ୍ରମିତ ୨୩ ଯବାନଙ୍କ ମଧ୍ୟରୁ ୧୭ ଯବାନ କିନ୍ନୋର ଜିଲ୍ଲାର ହୋଇଥିବା ବେଳେ ୬ ଯବାନ ସିମଲା ଜିଲ୍ଲାର। ଏହା ପରେ କିନ୍ନୋର ଜିଲ୍ଲାର ଜାଙ୍ଗୀରେ ଆଇଟିବିପି ବାଟାଲିୟନର କ୍ୟାମ୍ପ ସିଲ୍ କରାଯାଇଛି। ସିଏମଓ କହିଛନ୍ତି, ସମସ୍ତ ୧୭ ଯବାନ ଭାରତ-ତିବ୍ବତ ସୀମା ପୋଲିସ ଗାଡିରେ ଜାମ୍ମୁରୁ କିନ୍ନୋର ଆସିଥିଲେ। ଏହା ପରେ ଯବାନ ପୃଥକବାସରେ ଥିଲେ। ହେଲେ ଆଜି ଆସିଥିବା ରିପୋର୍ଟରେ ୨୩ ଆଇଟିବିପି ଯବାନଙ୍କ କୋଭିଡ୍-୧୯ ପଜିଟିଭ୍ ଆସିଥିଲା।
ଉଲ୍ଲେଖଯୋଗ୍ୟ, ଲଦାଖର ଗଲଓ୍ଵାନ ଘାଟିରେ ଜୁନ ୧୫ରେ ଭାରତ-ଚୀନ ଗତିରୋଧ ପରେ ଆଇଟିବିପିର ସମସ୍ତ ଯବାନଙ୍କ ଛୁଟି ବାତିଲ୍ କରାଯାଇଥିଲା ଏବଂ ନିଜ ନିଜର ବାଟାଲିୟନକୁ ଫେରିବାକୁ କୁହାଯାଇଥିଲା।