Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଶରେ ଘରୋଇ୍ ଟ୍ରେନ୍ ଚଲାଇବା ଲାଗି ୨୩ କମ୍ପାନୀ ଆଗ୍ରହୀ, ଶୀର୍ଷରେ ଅଛନ୍ତି ଜିଏମଆର, L&T ଓ ସିମେନ୍ସ

13/08/2020 at 5:54 PM

ନୂଆଦିଲ୍ଲୀ: ଭାରତରେ ଟ୍ରେନ ଘରୋଇକରଣ ଲାଗି ଉଦ୍ୟମ ଜୋରଦାର ହୋଇଛି। ଏଥିଲାଗି ଭାରତୀୟ ରେଳ ଦ୍ୱିତୀୟ ପ୍ରି ଆପ୍ଲିକେସନ ବୈଠକ କରିଥିବା ବେଳେ ଦେଶ ଓ ବିଦେଶର ୨୩ଟି କମ୍ପାନୀ ଯୋଗଦେଇଥିଲେ। ତେବେ ଦେଶରେ ଘରୋଇ ଟ୍ରେନ ପରିଚାଳନା ଲାଗି ବମ୍ବାର୍ଡିୟର, ଏଲଷ୍ଟମ, ସିମେନ୍ସ, ଜିଏମଆର, ଏଲଏଣ୍ଡ ଟି ଆଦି କମ୍ପାନୀମାନେ ବିଶେଷ ଆଗ୍ରହୀ ଥିବା ଜଣାପଡିଛି।

ରେଳବାଇଙ୍କ ଏହି ବୈଠକରେ ୧୨ଟି କ୍ଲଷ୍ଟରରେ ଘରୋଇ ଟ୍ରେନ ପରିଚାଳନା ନିମନ୍ତେ ଆଲୋଚନା ହୋଇଛି। ଯେଉଁଥିରେ ବିଇଏମଏଲ, ଆଇଆରସିଟିସି, ବିଏଚଇଏଲ, ସିଏଏଫ୍, ମେଧା ଗ୍ରୁପ୍, ଷ୍ଟେରଲାଇଟ୍, ଭାରତ ଫର୍ଜ, ଜେକେବି ଇନଫ୍ରାଷ୍ଟ୍ରକ୍ଚର ଓ ଟିଟାଗଡ ୱାଗନ୍ସ ଲିଃ ଆଦି କମ୍ପାନୀମାନେ ଯୋଗ ଦେଇଥିଲେ।

ରେଳବାଇ ୧୫୧ ଆଧୁନିକ ରେଳଗାଡି (ରେକ୍) ମାଧ୍ୟମରେ ୧୦୯ଟି ମାର୍ଗରେ ଯାତ୍ରୀସେବା ନିମନ୍ତେ ପିପିପି ଅନୁରୋଧ ଆମନ୍ତ୍ରିତ କରିଛନ୍ତି। ଏହି ନେଟୱାର୍କରେ ପୂର୍ବରୁ ଚାଲୁଥିବା ଟ୍ରେନ୍‌ ବାଦେ ଏହି ନୂଆ ଟ୍ରେନ ଚଳାଚଳ କରିବେ। ରେଳ ପରିବହନରେ ଘରୋଇ ନିବେଶ ନିମନ୍ତେ ଏହା ପ୍ରଥମ ଉଦ୍ୟମ। ଏଥିରୁ ପ୍ରାୟ ୩୦ ହଜାର କୋଟି ଟଙ୍କାର ଘରୋଇ ନିବେଶ ମିଳିବ ବୋଲି ଆଶା କରାଯାଉଛି। ତେବେ ଏଥିରେ ପ୍ରବେଶ କରିବାକୁ ଚାହୁଁଥିବା ଘରୋଇ କମ୍ପାନୀଙ୍କୁ ନିଜର ଟ୍ରେନ୍‌ କ୍ରୟ କରିବାରେ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ ବୋଲି ରେଳ ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛନ୍ତି।

ଦେଶରେ ୨୦୨୩ ସୁଦ୍ଧା ଘରୋଇ ଟ୍ରେନ ଚଳାଚଳ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି। ଏଥିଲାଗି ମାର୍ଚ୍ଚ ୨୦୨୧ ସୁଦ୍ଧା ଟେଣ୍ଡର ଚୂଡାନ୍ତ କରିଦିଆଯିବ। ତେବେ ଏଥିରେ ଚାଲିବାକୁ ଥିବା ଅଧିକାଂଶ ଟ୍ରେନ୍‌ ମେକ୍‌ ଇନ୍‌ ଇଣ୍ଡିଆ ପ୍ରକଳ୍ପରେ ଭାରତରେ ହିଁ ନିର୍ମିତ ହେବ ବୋଲି ଆଶା କରାଯାଉଛି। ଏହି ସବୁ ଟ୍ରେନ୍‌ ଶବ୍ଦ ପ୍ରଦୂଷଣ ରହିତ ଓ ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଗତିକରିବେ।

   Related Posts