ନାଇଟ୍ କର୍ଫ୍ୟୁ ନେଇ କଟକର ୨୩ଟି ସ୍ଥାନରେ ଚେକ୍ ପଏଣ୍ଟ : ଜଗିବେ ୧୦ପ୍ଲାଟୁନ୍ ଫୋର୍ସ, ପଇଁତରା ମାରିବ ପିସିଆର

Published By : Prameya-News7 Bureau | April 17, 2021 IST

କଟକ ୧୭।୪: କଟକରେ ନାଇଟ୍ କର୍ଫ୍ୟୁକୁ ନେଇ ୨୩ଟି ସ୍ଥାନରେ ହୋଇଛି ଚେକ୍ ପଏଣ୍ଟ । ଏହି ସମୟରେ ସହରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ପୋଲିସ କମିଶନର ପ୍ରତିକ୍ରିୟା ରଖିଛନ୍ତି । ଏହାସହ ପିସିଆର ଭ୍ୟାନ୍ ପଇଁତରା ମାରିବ । ନାଇଟ୍ କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି । ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ଲୋକ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ । ଅମାନିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି । ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପୋଲିସ କମିଶନର ଅପିଲ କରିଛନ୍ତି

ଗତବର୍ଷ ତୁଳନାରେ କରୋନା ସଂକ୍ରମଣ ଢେର ଅଧିକ ବେଗରେ ବ୍ୟାପଛି । କଟକ ସହରରେ ଗତବର୍ଷ ଏହି ସମୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଗୋଟିଏ ଦୁଇଟିରେ ସୀମିତ ଥିଲା । ଚଳିତ ବର୍ଷ ଏହି ସଂଖ୍ୟା ଶହେରୁ ଦେଢ ଶହ ପାଖାପାଖି ରହିଛି । ଲୋକମାନେ କୋଭିଡ୍ କଟକଣା ନମାନିଲେ ଆଗକୁ ସ୍ଥିତି ଅସମ୍ଭାଳ ହେବାର ଆଶଙ୍କା ରହିଛି ବୋଲି ସିଏମସି ପକ୍ଷରୁ କୁହାଯାଇଛି। ସେପଟେ କୋଭିଡ୍ ନିୟମ ଲାଗୁ କରିବା ପାଇଁ ଓ ନାଇଟ୍ କର୍ଫ୍ୟୁ ପାଇଁ ସିଏମସି ପକ୍ଷରୁ ୪ଟି ଏନଫୋର୍ସମେଣ୍ଟ ୟୁନିଟ୍ କରାଯାଇଛି । ନାଇଟ୍ କର୍ଫ୍ୟୁ ଘୋଷଣା ପରେ ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଦୋକାନ ବଜାରରେ ଭିଡ ଦେଖିବାକୁ ମିଳିଛି। ଅଯଥାରେ ଅଧିକ ଜିନିଷ କିଣିବା ପାଇଁ ଲୋକମାନେ ଦୋକାନ ବଜାରରେ ଭିଡ ନକରିବା ପାଇଁ ସିଏମସି ପକ୍ଷରୁ ନିବେଦନ କରାଯାଇଛି।

ନାଇଟ୍ କର୍ଫ୍ୟୁ ଶନିବାରଠାରୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏଥିପାଇଁ ପୋଲିସ ସଂଧ୍ୟା ୭ଟାରୁ ଏନଫୋର୍ସମେଣ୍ଟ ପ୍ରକ୍ରିୟା ଆରମ୍ଭ କରିବ । କଟକ ସହରର ବିଭିନ୍ନ ସ୍ଥାନରେ ୨୩ଟି ଚେକ୍ ପୋଷ୍ଟ କରାଯାଇଛି । ସହରରେ ଶନିବାର ଓ ରବିବାର ରାତିରେ କର୍ଫ୍ୟୁ କଟକଣା ଲାଗୁ କରିବା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିମାନେ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.