୨୨ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ ଗେଷ୍ଟହାଉସରେ ୪ଦିନ ଧରି ଗଣ ଦୁଷ୍କର୍ମ କଲେ ୪୦ଜଣ ରାକ୍ଷସ
26/09/2018 at 2:07 PM

ପଞ୍ଚକୁଲା ୨୬/୯: ହରିଆଣାରେ ପୁଣି ଏକ ଲୋମହର୍ଷଣକାରୀ ଗଣଧର୍ଷଣ ଘଟିଛି। ୨୨ବର୍ଷ ବୟସ୍କା ଜଣେ ବିବାହିତା ମହିଳାଙ୍କୁ ୪ଦିନ ଧରି ୪୦ଜଣ ଗଣ ଦୁଷ୍କର୍ମ କରିଥିବା ଖବର ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ପୋଲିସର ଉଦାସୀନତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ହରିଆଣାର ପଞ୍ଚକୁଲା ଅଞ୍ଚଳରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ ପିଡ଼ୀତାଙ୍କ ଘର ପଞ୍ଚକୁଲା ଥାନା ଅନ୍ତର୍ଗତ ମୈାରନୀ ହିଲ୍ସ ଅଞ୍ଚଳରେ। ତାଙ୍କ ସ୍ବାମୀ ଚଣ୍ଡିଗଡ଼ରେ ଦର୍ଜି କାମ କରନ୍ତି। ସୁନୀଲ ଓରଫ ସନ୍ନି ନାମକ ଜଣେ ବ୍ୟକ୍ତି ପିଡ଼ୀତାଙ୍କ ସ୍ବାମୀଙ୍କୁ ଅନ୍ୟଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ପରିଚିତ ହୋଇଥିଲେ। ସନ୍ନି ନିକଟସ୍ଥ କେମବାଲା ଗାଁରେ ଥିବା ଲଭଲି ନାମକ ଏକ ଗେଷ୍ଟହାଉସର ସଞ୍ଚାଳକ। ପିଡ଼ୀତାଙ୍କୁ ଏକ ଫାର୍ମହାଉସରେ ମାସିକ ୧୨ହଜାର ଟଙ୍କା ଦରମାରେ ଚାକିରୀ କରାଇଦେବା ପାଇଁ ସନ୍ନି ପିଡ଼ୀତାଙ୍କ ସ୍ବାମୀଙ୍କୁ କହିଥିଲା। ଏଥିପାଇଁ ପିଡ଼ୀତାଙ୍କ ସ୍ବାମୀ ରାଜି ହେବା ସହ ନିଜ ପତ୍ନୀଙ୍କୁ ସନ୍ନି ସହିତ ତଥାକଥିତ ଫାର୍ମହାଉସକୁ ଯିବା ପାଇଁ ଦେଇଥିଲେ। ପିଡ଼ୀତାଙ୍କୁ ସନ୍ନି ଫାର୍ମହାଉସ ବଦଳରେ କେମବାଲା ଗାଁରେ ଥିବା ଲଭଲି ଗେଷ୍ଟହାଉସକୁ ନେଇଯାଇଥିଲା। ସେଠାରେ ପିଡ଼ୀତାଙ୍କୁ କିଛି ନିଶ୍ଚେତକ ଦେଇ ଅଚେତ କରିବା ପରେ ଗୋଟିଏ କୋଠରୀରେ ବନ୍ଦ କରିଦେଇଥିଲା। ପିଡ଼ୀତାଙ୍କ ହୋସ୍ ଆସିବାପରେ ସେ ନିଜ ସ୍ବାମୀଙ୍କୁ ମୋବାଇଲରେ ଫୋନ୍ କରିବାକୁ ଚାହିଁଥିଲେ। ତେବେ ସନ୍ନି ତାଙ୍କ ମୋବାଇଳ୍ ଛଡ଼ାଇ ନେଇଯାଇଥିଲା ଓ ପିଡ଼ୀତାଙ୍କୁ ନିଶା ଇଞ୍ଜେକସନ୍ ଦେି ଦୁଷ୍କର୍ମ କରିଥିଲା। ପରବର୍ତ୍ତୀ ୪ଦିନ କାଳ ପିଡ଼ୀତାଙ୍କୁ ବାରମ୍ବାର ନିଶା ଇଞ୍ଜେକସନ ଦିଆଯାଉଥିଲା ଏବଂ ସନ୍ନିସହ ଆହୁରି ୪୦ଜଣ ଲୋକ ଦୁଷ୍କର୍ମ କରିଥିଲେ। ୪ଦିନ ପରେ ପିଡ଼ୀତା କୈାଣସିମତେ ଗେଷ୍ଟହାଉସରୁ ଖସି ଆସି ସ୍ବାମୀଙ୍କୁ ଫୋନ୍ କରି ଡାକିଥିଲେ।
ସ୍ବାମୀଙ୍କ ସହ ପିଡ଼ୀତା ପଞ୍ଚକୁଲା ଥାନାରେ ସମସ୍ତ କଥା ଜଣାଇବା ସତ୍ତ୍ବେ ପୋଲିସ୍ କୈାଣସି ପଦକ୍ଷେପ ନେଇନଥିଲେ। ଫଳରେ ପିଡ଼ୀତାଙ୍କ ସ୍ବାମୀ ଚଣ୍ଡୀଗଡ଼ରେ ରହୁଥିବାରୁ ସେମାନେ ଚଣ୍ଡୀଗଡ଼ର ମନିମାଜରା ପୋଲିସ୍ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ‘ଜିରୋ’ ଏଫଆଇଆର୍ ଦାଖଲ କରି ପିଡ଼ୀତାଙ୍କ ଡାକ୍ତରୀ ମାଇନା କରାଇଥିଲେ। ପିଡ଼ୀତାଙ୍କ ସହ ଗଣ ଦୁଷ୍କର୍ମ ହୋଇଥିବା ଡାକ୍ତରୀ ପରୀକ୍ଷାରୁ ସ୍ପଷ୍ଟ ହୋଇଥିଲା। ଚଣ୍ଡୀଗଡ଼ ପୋଲିସ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ଆଉ ଜଣଙ୍କୁ ଗିରଫ କରିବା ସହ ମାମଲା ପଞ୍ଚକୁଲା ଥାନାକୁ ହସ୍ତାନ୍ତର କରିଛି। ଘଟଣା ପ୍ରଚାରିତ ହୋଇ ଚର୍ଚ୍ଚାକୁ ଆସିବା ପରେ ଏବେ ପଞ୍ଚକୁଲା ପୋଲିସ୍ ସକ୍ରିୟ ହୋଇଛି। ୪୦ଜଣ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଅଭିଯାନ ଆରମ୍ଭ କରିଛି।