ବାରିପଦା ୮/୭: ଆଜି ୮ ତାରିଖ, +୩ ଆଡମିସନର ଶେଷଦିନ। ହେଲେ ଏ ପର୍ଯ୍ୟନ୍ତ ୨୨ଜଣ ଆଦିବାସୀ ଛାତ୍ରୀ ଙ୍କ ହାତରେ ରେଜଲ୍ଟ ନାହିଁ। ରେଜଲ୍ଟ ଦାବିରେ ୨ ଦିନ ତଳେ କଲେଜ ଫାଟକରେ ତାଲା ପକାଇଥିଲେ। କିଛି ଫଳ ନ ମିଳିବାରୁ ପୁଣି କଲେଜ ଫାଟକରେ ତାଲା ପକାଇଲେ। ଲିଖିତ ପ୍ରତିଶ୍ରୁତି ନ ପାଇବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଅଡି ବସିଛନ୍ତି ୨୨ ଆଦିବାସୀ ଛାତ୍ରୀ।
ଗତ ୨୧ ରେ +୨ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ହେଲେ ବାରିପଦା ଶ୍ରୀମା ମହିଳା ମହାବିଦ୍ୟାଳୟ ଭୋକସୋନାଲ କୋର୍ସ ର ୨୨ ଆଦିବାସୀ ଛାତ୍ରୀଙ୍କର ପରୀକ୍ଷାଫଳ ପ୍ରକାଶ ପାଇ ପାରି ନାହିଁ। ଏ ଭିତରେ ୧୫ ଦିନରୁ ଉଦ୍ଧ୍ର୍ବ ବିତିଗଲାଣି, ପିଲାମାନେ କଲେଜ ଓ କାଉନ୍ସିଲ ଅଫିସ ର ଚକ୍କର କାଟି କାଟି ନୟାନ୍ତ। ଶେଷରେ ଛାତ୍ରୀମାନେ ଉତ୍ତ୍ୟକ୍ତ ହୋଇ ବର୍ଷାରେ ଭିଜି ଭିଜି ୬ତାରିଖ ରେ ୪ ଘଣ୍ଟା ରୁ ଅଧିକ ସମୟ ଧାରଣା ଦେଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରି ନଥିଲା। ଅନ୍ଲାଇନ୍ ମାଧ୍ୟମରେ ଆଜି ହେଉଛି +୩ରେ ଆଡମିସନ୍ ର ଶେଷ ତାରିଖ। ତେଣୁ ନିଜ ଭବିଷ୍ୟତ ଆଶଙ୍କା ରେ ବାଧ୍ୟ ହୋଇ ଆଜି ପୁଣି କଲେଜ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି ଏହି ଛାତ୍ରୀମାନେ।
ଅନ୍ୟପଟେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଏ ବାବଦରେ କାଉନ୍ସିଲ୍ କୁ ଚିଠି ଲେଖିବା ସହିତ ଛାତ୍ରୀ ମାନଙ୍କ ଏଭଳି ଅସୁବିଧା ସମ୍ପର୍କରେ ଜଣାଇ ଥିବା କହିଛନ୍ତି। ତେବେ ସବୁଠାରୁ ବଡକଥା ହେଲା ଛାତ୍ରୀ ମାନଙ୍କର ପରୀକ୍ଷା ଖାତା କେଉଆଡେ ହଜିଯାଇଥିବାରୁ ପରୀକ୍ଷାଫଳ ପ୍ରକାଶ ପାଇ ପାରିନଥିବା କାଉନ୍ସିଲର୍ ଫୋନ୍ ଯୋଗେ ଜଣାଇଥିବା କହିଛନ୍ତି ଅଧ୍ୟକ୍ଷ।
ତେବେ ଶିକ୍ଷା ବିଭାଗରେ ସୁଧାରକୁ ନେଇ ମନ୍ତ୍ରୀ ଓ ସରକାର ଡେଙ୍ଗୁରା ପିଟି ଚାଲିଛନ୍ତି। ହେଲେ ସରକାରୀ ବାବୁ ମାନଙ୍କ ଦାୟିତ୍ବହୀନତା ପାଇଁ ଏବେ ଏହି ୨୨ ଜଣ ଛାତ୍ରୀ ଙ୍କ ଭବିଷ୍ୟତ ଏବେ ଆଶା ଆଶଙ୍କା ମଧ୍ୟରେ ଗତି କରୁଛି। ଆଜି ଶେଷ ଦିନରେ ଶିକ୍ଷାବିଭାଗ ପକ୍ଷରୁ ଏହି ଆଦିବାସୀ ଛାତ୍ରୀ ଙ୍କ ପାଇଁ କେଉଁ ପ୍ରକାର ବ୍ୟବସ୍ଥା କରାଯିବ, ତାହା ହିଁ ଦେଖିବାକୁ ବାକି ରହିଲା।
{"id":131668}