Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଶ୍ରୀପେରମ୍ବୁଦୂରରେ ସେହି ମେ ୨୧ରେ ଘଟିଥିଲା କ’ଣ ? ଆତ୍ମଜୀବନୀରେ ଲେଖିଛି ନଳିନୀ

21/05/2020 at 5:30 PM

ଚେନ୍ନାଇ ୨୧।୫: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କର ଆଜି ୩୦ତମ ଶ୍ରାଦ୍ଧବାର୍ଷିକ। ଠିକ୍ ୩୦ ବର୍ଷ ପୂର୍ବେ ଆଜିର ଦିନରେ ତାମିଲନାଡୁ ଶ୍ରୀପେରମ୍ବୁଦୂରରେ ଶ୍ରୀଲଙ୍କା ତାମିଲ ବିଦ୍ରୋହୀ ଏଲଟିଟିଇ ଆତ୍ମଘାତୀ ଆକ୍ରମଣକାରୀଙ୍କ ବିସ୍ଫୋରଣରେ ରାଜୀବଙ୍କ ପରଲୋକ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ହତ୍ୟା ସହ ସମ୍ପୃକ୍ତ ୪ ଅପରାଧୀ ଏବେ ଜେଲରେ ଅଛନ୍ତି। ସେମାନଙ୍କ ମଧ୍ୟରେ ବନ୍ଦୀ ଜୀବନ ବିତାଉଥିବା ନଳିନୀ ଶ୍ରୀହରନ୍ ତାମିଲରେ ତାଙ୍କର ଏକ ଆତ୍ମକଥା ‘ରାଜୀବ କୋଲାଇ: ମରିକାପଟ୍ଟା ଉନମେଗଲୁମ ପ୍ରିୟଙ୍କା ନଳିନୀ ସନ୍ତିପ୍ପମ’ ଲେଖିଛନ୍ତି। ୫୦୦ ପୃଷ୍ଠାର ଏହି ଆତ୍ମକଥାରେ ଘଟଣା ଦିନର ନଳନୀ ଯେଉଁ ବିବରଣୀ ଦେଇଛି ସେଥିରେ ରାଜୀବଙ୍କ ହତ୍ୟାର ଅନେକ ରହସ୍ୟ ଖୋଲିଛି।

ଆତ୍ମକଥାରେ ନଳିନୀ ୧୯ ମାର୍ଚ୍ଚ ୨୦୦୮ରେ ପ୍ରିୟଙ୍କା ଗାନ୍ଧିଙ୍କ ସହ ତାଙ୍କର ୯୦ ମିନିଟ୍‌ର ହୋଇଥିବା ଆଳାପକୁ ମଧ୍ୟ ସ୍ଥାନିତ କରିଛି। ଯେଉଁଥିରେ ସେ (ନଳିନୀ) ଅଥବା ତାଙ୍କ ସ୍ୱାମୀଙ୍କୁ ରାଜୀବଙ୍କ ହତ୍ୟା ଷଡଯନ୍ତ୍ର ସମ୍ପର୍କରେ ସାମାନ୍ୟତମ ସୂଚନା ମଧ୍ୟ ନଥିଲା ବୋଲି ଉଲ୍ଲେଖ କରିଛି। ତେବେ ଆସନ୍ତୁ ଜାଣିବା ଘଟଣା ଦିନ ସମ୍ପର୍କରେ ନଳିନୀ ନିଜ ଆତ୍ମ କଥାରେ ଲେଖିଛି କ’ଣ ?

ନଳିନୀର ଏହି ଆତ୍ମଜୀବନୀ ପ୍ରଥମରୁ ହିଁ ବିବାଦୀୟ ହୋଇ ରହିଛି। ଯାହାକୁ ପ୍ରଧାନମନ୍ତ୍ରୀଙ୍କ ହତ୍ୟାର ଏକ ଦସ୍ତାବେଜ୍ ଭାବେ ମଧ୍ୟ ବ୍ୟବହାର କରାଯାଇଛି। ଆତ୍ମକଥା ଅନୁସାରେ ନଳିନୀ ୨୧ ମେ ୧୯୯୧ରେ ଶୁଭା ଓ ଧନୁଙ୍କ ସହ ଶ୍ରୀପେରମ୍ବୁଦୂରରେ ହେଉଥିବା ରାଜୀବଙ୍କ ଜନସଭା ଦେଖିବାକୁ ଯାଇଥିଲେ। ତେବେ ଶୁଭା ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଓ ଏଲଟିଟିଇ ଗୁପ୍ତଚର ଭାବେ ଜଣାସୁଣା ଶିବରାସନର କକାଝିଅ ଭଉଣୀ ଥିଲା।

ଘଟଣା ଦିନ ରାଲିରୁ ଫେରିବା ପରେ ନଳିନୀ ରୋୟାପେଟ୍ଟାରେ ତା ସ୍ୱାମୀକୁ ଭେଟିବାର ଥିଲା। ଏହି ସବୁ ଯୋଜନା ବାଦେ ରାଜୀବଙ୍କ ରାଲିକୁ ନେଇ ସେ ବେଶ ଉତ୍ସାହିତ ମଧ୍ୟ ଥିଲା। ସେଦିନ ସେ ଜଣେ ମହାନ ନେତା ତଥା ଦେଶର ପ୍ରଧାନମନ୍ତ୍ରୀଙ୍କୁ ପାଖରୁ ଦେଖିବ ବୋଲି ଏତେ ଉତ୍ସାହୀ ଥିଲା ବୋଲି ଆତ୍ମକଥାରେ ଲେଖିଛି। ଏଥିପାଇଁ ସକାଳ ୭ଟା ସୁଦ୍ଧା ସେ ଶୁଭା ଓ ଧନୁ( ମାନବ ବୋମା) ସହ କାର୍ଯ୍ୟକ୍ରମ ସ୍ଥଳକୁ ପହଞ୍ଚିସାରିଥିଲା। ସେତେବେଳେ ସଭା ସ୍ଥଳକୁ କେହି ଆସିନଥିଲେ। କିଛି ସମୟ ପରେ ଧିରେ ଧିରେ ସଭା ସ୍ଥଳକୁ ଲୋକେ ଆସିବାକୁ ଲାଗିଥିଲେ ଓ ଭିଡ ବଢିଥିଲା। ଯେମିତି ଜନଗହଳି ବଢିବାରେ ଲାଗିଲା ଲୋକଙ୍କ ସହ ଆମେବି ଚାଲିବାକୁ ଲାଗିଲୁ। ଲୋକ ଗହଳିରେ ଧନୁ ଓ ଶିବରାସନ ଆମଠୁ କେତେବେଳେ ଅଲଗା ହୋଇଯାଇଥିଲେ। ପଛକୁ ବୁଲି ଦେଖିବା ବେଳକୁ ଧନୁ ଓ ଶିବରାସନ ଝଗଡା କରୁଥିଲେ। ସେମାନଙ୍କୁ ଡାକିବାକୁ ଚେଷ୍ଟା କଲୁ। ତେବେ ଲୋକଙ୍କ ଗହଳିରେ ସେମାନେ ଆମ କଥା ଶୁଣି ପାରୁନଥିଲେ। ଘଟଣା ସମ୍ପର୍କରେ ଶୁଭାକୁ ପଚାରିବାରୁ ସେ ସେମିତି କିଛି ନାହିଁ ବୋଲି କହିଥିଲା ଓ କିଛି ସମୟ ପରେ ସେମାନେ ଆମ ସହ ଥିବେ ବୋଲି କହିଥିଲା।

ସଭାସ୍ଥଳ ନିକଟକୁ ଆମେ ଚାଲିଆସିଥିଲୁ। ସେଠାରେ ଲୋକଙ୍କୁ ବାଡ କରି ଅଟକା ଯାଇଥିଲା। ଭିଆଇପିଙ୍କ ଲାଗି ଅନ୍ୟ ଏକ ବାଡ ଥିଲା। ତେବେ ଭିଆଇପି ବାଟରେ କେମିତି ଯିବୁ ସେଥିପାଇଁ ଆମେ ଦ୍ୱନ୍ଦ୍ୱରେ ପଡିଥିଲୁ। ସବୁଆଡେ ସୁରକ୍ଷାର କଡା ବ୍ୟବସ୍ଥା ଥିଲା। ଉଚ୍ଚାଧିକାରୀ ଓ ପୋଲିସ ଫୋର୍ସ ସମଗ୍ର ଅଞ୍ଚଳରେ ଛାଇ ରହିଥିଲେ।  ତେବେ ଘଟଣାର ଦ୍ରୁତ ଅଗ୍ରଗତି ହେଉଥିଲା। ଆମେ ଦେଖୁଥିଲୁ ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାଂଶ ଉଚ୍ଚାଧିକାରୀଙ୍କ ସହ ଶିବରାସନର ଭଲ ସମ୍ପର୍କ ଥିଲା। ଶିବରାସନ ସେମାନଙ୍କ ସହ ହସି ହସି କଥା ବି ହେଉଥିଲା। ଏଥିରେ ଆମେ ମହିଳାଙ୍କ ଲାଗି ଥିବା କ୍ଷେତ୍ରକୁ ପଶି ସାରିଥିଲୁ ଓ ଶିବରାସନ ଧନୁକୁ ଭିଆଇପି କ୍ଷେତ୍ରରେ ଏକାକୀ ପ୍ରବେଶ କରାଉଥିଲା।

ନଳିନୀ ତାର ଆତ୍ମକଥାରେ କାର୍ଯ୍ୟକ୍ରମକୁ ନେଇ ବେଶ୍ ଉତ୍ସାହିତ ଥିବାର ଉଲ୍ଲେଖ କରିଛି। ସେମାନେ ମହିଳାଙ୍କ କ୍ଷେତ୍ରକୁ ଯିବା ବେଳେ ମଞ୍ଚରେ ମ୍ୟୁଜିକ ଡାଇରେକ୍ଟର ଶଙ୍କର ଗଣେଶଙ୍କ ଦ୍ୱାରା ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା।  କେବଳ ନଳିନୀ ନୁହଁନ୍ତି ଉପସ୍ଥିତ ଜନତା ରାଜୀବଙ୍କୁ ନେଇ ବେଶ୍ ଉତ୍ସାହିତ ଥିଲେ। ଜନଗହଳି ମଧ୍ୟ ବଢିବାରେ ଲାଗିଥିଲା। ରାଜୀବ କିଛି ସମୟ ପରେ ସଭାସ୍ଥଳକୁ ପହଞ୍ଚିବେ ବୋଲି ନେତାମାନେ ଘୋଷଣା କରୁଥିଲେ। ସକାଳ ପ୍ରାୟ ୧୦ଟା ୧୫ମିନିଟ୍ ରାଜୀବ ସଭାସ୍ଥଳକୁ ପହଞ୍ଚିବାର ଘୋଷଣା ହେଲା। ଉପସ୍ଥିତ ଜନତା ଆହୁରି ଉତ୍ସାହିତ ହୋଇଉଠିଲେ, ଲୋକେ ରାଜୀବ ଗାନ୍ଧି ଜିନ୍ଦାବାଦ ଧ୍ୱନୀ ଦେଉଥିଲେ। ଭିଷଣ ଭିଡରେ ମୋତେ କିଛି ଦେଖାଯାଉନଥିଲା ବୋଲି ନଳିନୀ ତା ଆତ୍ମକଥାରେ ଲେଖିଛି। ତେବେ ଲୋକେ କଥା ହେଉଥିଲେ ରାଜୀବ ଆସିସାରିଲେଣି ଓ ଇନ୍ଦିରାଙ୍କ ମୂର୍ତ୍ତିରେ ମାଳ ପିନ୍ଧାଇବାକୁ ଯାଉଛନ୍ତି।

କିଛି ସମୟ ପରେ ରାଜୀବ ଆସି ସାରିଥିବାର ଘୋଷଣା ହେଲା। ହେଲେ ଆମେ ଯେଉଁ ସ୍ଥାନରେ ଥିଲୁ ସେଠାରୁ କିଛି ଦେଖାଯାଉନଥିଲା। ଶୁଭାକୁ ଆଗକୁ ଯିବା ଲାଗି କହିଲି,  ହେଲେ ସେ ମନା କରିଦେଲା। ସେ ମୋ ହାତକୁ ଧରି ଷ୍ଟେଜ୍ ନିକଟରୁ ଦୂରକୁ ଭିଡି ନେଉଥିଲା। କଥାକ’ଣ ଜାଣିବାକୁ ଚାହିଁବାରୁ ସେ ମୋତେ ଚୁପ୍ ରହିବାକୁ କହିଥିଲା। ସେ ମୋତେ ଷ୍ଟେଜ୍ ଠାରୁ ଆହୁରି ପଛକୁ ଭିଡିଭଡି ନେଇଯାଉଥିଲା। ମୁଁ ଭାବିଲି ସେ ଅନ୍ୟ କେଉଁ ରାସ୍ତାରେ ହୁଏତ ମୋତେ ଷ୍ଟେଜ୍ ନିକଟକୁ ନେଉଥିବ। ସେ ଖୁବ୍ ଜୋରରେ ମୋ ହାତକୁ ଧରିଥିଲା ଓ ଭିଡରୁ ବାହାରକୁ ନେଇଯାଉଥିଲା। ତେବେ ପରେ ମୁଁ ଜାଣିଲି ସେ ମୋ ହାତକୁ ଏପରି ଜାବୁଡି ଧରିବାରେ ବି ଏକ ବାର୍ତ୍ତା ଥିଲା। ଯାହା ପରେ ମୁଁ ବୁଝିପାରିଥିଲି।

୨୧ ମେ ୧୯୯୧ର ଏହି ଜନସଭାରେ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା। ଏହି ଭୀଷଣ ବିସ୍ଫୋରଣରେ ଆତ୍ମଘାତୀ ଆକ୍ରମଣକାରୀ ଧନୁ ସମେତ ଅନ୍ୟ ୧୫ ଜଣ ମଧ୍ୟ ପ୍ରାଣ ହରାଇଥିଲେ। ଯେଉଁଥିଲାଗି ନଳିନୀ ତା ସ୍ୱାମୀ ସହ ସାରା ଜୀବନ ଜେଲର ୪ କାନ୍ଥରେ ବନ୍ଦୀ ହୋଇଯାଇଥିବା ଜଣାଇବାକୁ ଉଦ୍ୟମ କରିଛି। 

   Related Posts