ଧାରା ୩୭୦ ହଟିବା ପରେ ଜାମ୍ମୁ-କାଶ୍ମୀରରେ ପ୍ରଥମ ଥର ହେଲା ବିଡିସି ନିର୍ବାଚନ: ବିଜେପି ୮୧ଟି ଓ ନିର୍ଦଳୀୟ ୨୧୭ ଆସନରେ ନିର୍ବାଚିତ…
25/10/2019 at 4:01 PM

ଶ୍ରୀନଗର୨୫|୧୦: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରଥମ ଥର ଏଠାରେ ଗୋଷ୍ଠୀ ଉନ୍ନୟନ ପରିଷଦ(Block Development Council)ର ଅଧକ୍ଷ ପଦ ପାଇଁ ନିର୍ବାଚନ ହୋଇଛି। ୩୧୦ରୁ ୨୮୩ ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୭ଟି ବ୍ଲକରେ ଚୟନ ପ୍ରକ୍ରିୟ ଦ୍ବାରା ପ୍ରାର୍ଥୀଙ୍କୁ ନିର୍ବାଚିତ କରାଯାଇଥିଲା। ସେହିପରି ୩ଟି ବ୍ଲକର ନିର୍ବାଚନ ଫଳାଫଳ ଏପର୍ଯ୍ୟନ୍ତ ବାହାରି ନାହିଁ। ଏହି ନିର୍ବାଚନରେ ବିଜେପି ୮୧ ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୨୦୦ରୁ ଅଧିକ ଆସନରେ ନିର୍ଦଳୀୟ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। କଂଗ୍ରେସ, ନ୍ୟାସନାଲ କନ୍ଫରେନ୍ସ ଓ ପିଡିପିର ନେତା ନଜର ବନ୍ଦୀ ଥିବାରୁ ସେମାନେ ବିଡିସି ନିର୍ବାଚନରେ ଅଂଶ ଗ୍ରହଣ କରି ନଥିଲେ। ବିଡିସି ନିର୍ବାଚନରୁ କଂଗ୍ରେସ ଦୂରେଇ ରହିବା ପାଇଁ ଘୋଷଣା କରିବା ପୂର୍ବରୁ କଂଗ୍ରେସର କିଛି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ସାରିଥିଲେ।
ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାରଙ୍କ ସୂଚନା ଅନୁସାରେ ଜାମ୍ମୁ ଆଣ୍ଡ୍ କାଶ୍ମୀର ନ୍ୟାସନାଲ ପ୍ୟାନଥର୍ସ ପାର୍ଟି(ଜେକେଏନପିପି) ୮ଟି ଓ କଂଗ୍ରେସ ୧ଟି ଆସନରେ ବିଜୟ ହାସଲ କରିଛି। ମୋଟ୍ ୨୧୭ ନର୍ଦଳୀୟ ପ୍ରାର୍ଥୀ ବିଜୟ କରିଛନ୍ତି। ମୋଟ୍ ଜାମ୍ମୁ-କାଶ୍ମୀରରେ ୯୮.୩ ପ୍ରତିଶତ ମତଦାନ ଗ୍ରହଣ ହୋଇଛି।
ସୂଚନା ଅନୁସାରେ ଜାମ୍ମୁ-କାଶ୍ମୀରରେ ମୋଟ୍ ୩୧୬ ବ୍ଲକ ରହିଛି। ସେଥି ମଧ୍ୟରୁ ୨୮୩ ଟି ବ୍ଲକରେ ବିଡିସି ନିର୍ବାଚନ ହୋଇଥିଲା। ୨୭ଟି ବ୍ଲକର ଅଧ୍ୟକ୍ଷଙ୍କୁ ଚୟନ ପ୍ରକ୍ରିୟା ମାଧ୍ୟମରେ ନିର୍ବାଚିତ କରାଯାଇଥିଲା। ଅନ୍ୟ ଦୁଇଟି ବ୍ଲକରେ ସରପଞ୍ଚ ଓ ପଞ୍ଚାୟତ ନଥିବା ଯୋଗୁଁ ସେଠାରେ ନିର୍ବାଚନ ହୋଇ ପାରିନାହିଁ । ସେହିପରି ୪ ବ୍ଲକ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।
ସୂଚନାଯୋଗ୍ୟ ଯେ କାଶ୍ମୀର ଡିଭିଜନର ୧୨୮ ଟି ବ୍ଳକରେ ନିର୍ବାଚନ ହୋଇଥିଲା। ସେଥିମଧ୍ୟରୁ ବିଜେପି ୧୮, ନିର୍ଦଳୀୟ ପ୍ରାର୍ଥୀ ୧୦୯ ଓ କଂଗ୍ରେସ ୧ଟି ଆସନରେ ବିଜୟ କରିଛନ୍ତି। ସେହିପରି ଲଦାଖରେ ୩୧ଟି ବ୍ଲକରୁ ବିଜେପି ୧୧, ଜେକେଏନପିପି ୮ ଓ ନିର୍ଦଳୀୟ ୮୮ ଆସନରେ ବିଜୟ କରିଛି। ମୁଖ୍ୟ ନିର୍ବାଚନୀ ଅଧିକାରୀଙ୍କ ସୂଚନା ଅନୁସାରେ କାଶ୍ମୀରର ୧୦ଟି ଜିଲ୍ଲାରେ ୯୩.୬୫ ପ୍ରତିଶତ ମତଦାନ ହୋଇଥିବା ବେଳେ ଜାମ୍ମୁର ୧୦ଟି ଜିଲ୍ଲାରେ ୯୯.୪ ପ୍ରତିଶତ ମତଦାନ ହୋଇଥିଲା।