ସୋମବାର ଉଡାଣ ଲାଗି ବେଙ୍ଗାଲୁରୁରେ ୨୧୫ ଫ୍ଲାଇଟ୍ ପ୍ରସ୍ତୁତ, ଏହି ସବୁ ରାଜ୍ୟରୁ ଟଳିନି ଅନିଶ୍ଚିତତା
24/05/2020 at 3:45 PM

ବେଙ୍ଗାଲୁରୁ ୨୪।୫: ଦେଶରେ କରୋନା ଲକଡାଉନ୍ ଯୋଗୁ ଗତ ୨ ମାସ ହେଲା ବସ୍ ଓ ରେଳ ସହ ବିମାନ ସେବା ମଧ୍ୟ ବନ୍ଦ ରହିଛି। ତେବେ ସରକାର ମେ ୨୫ ତାରିଖରୁ ଦେଶର କିଛି ରାଜ୍ୟକୁ ବିମାନ ଚଳାଚଳ ଅନୁମତି ପ୍ରଦାନ କରିଛନ୍ତି। ସେହି ଅନୁସାରେ ପୁଣି ସେବା ଆରମ୍ଭ ଲାଗି ବେଙ୍ଗାଲୁରୁ ବିମାନ ବନ୍ଦରରେ ୨୧୫ଟି ବିମାନ ରବିବାର ନିଜକୁ ପ୍ରସ୍ତୁତ କରିଛନ୍ତି। ତେବେ ଦେଶର କେତେକ ରାଜ୍ୟକୁ ବିମାନ ଚଳାଚଳ ନେଇ ଏବେବି ଅନିଶ୍ଚିତତା ଲାଗି ରହିଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ବେଙ୍ଗାଲୁରୁ ସମେତ ଚଣ୍ଡିଗଡ, ଜମ୍ମୁ, ଦିଲ୍ଲୀ, ଗ୍ୱାଲିୟର ଓ ମୁମ୍ବାଇ ବିମାନ ବନ୍ଦରରୁ ବିମାନ ଉଡିବେ ବୋଲି ଜଣାପଡିଛି। ଏଥିରେ ବେଙ୍ଗାଲୁରୁ ପରେ ଚଣ୍ଡିଗଡରୁ ସୋମବାର ସର୍ବାଧିକ ୭ଟି ବିମାନ ଉଡିବାକୁ ଥିବା ବେଳେ ଶ୍ରୀନଗରରୁ ୩, ଦିଲ୍ଲୀରୁ ୪, ମୁମ୍ବାଇ ଓ ଗ୍ୱାଲିୟରରୁ ଗୋଟିଏ ଲେଖାଏଁ ବିମାନ ଉଡାଣ କରିବେ। ତେବେ ମହାରାଷ୍ଟ୍ର, ଛତିଶଗଡ, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ବିମାନ ସେବାରେ ସଂଯୁକ୍ତ ହେବେ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଘୂର୍ଣ୍ଣିବାତ୍ୟା ଅମ୍ଫାନରେ ପଶ୍ଚିମବଙ୍ଗ ନେତାଜୀ ସୁଭାଷଚନ୍ଦ୍ର ବୋଷ ବିମାନ ବନ୍ଦର କ୍ଷତିଗ୍ରସ୍ତ ହୋଇଛି। ଏଣୁ ଏଠାରୁ ଏବେ ବିମାନ ଉଡାଣ ଓ ଅବତରଣ ସମ୍ଭବ ନୁହେଁ। ତେବେ କରୋନା ସଂକ୍ରମଣ ଜନିତ ପରିସ୍ଥିତି ଯୋଗୁ ମହାରାଷ୍ଟ୍ର ସରକାର ରବିବାର ନିଜର ଅସମର୍ଥତା ପ୍ରକାଶ କରିଛନ୍ତି। ଏଥିଲାଗି ଶନିବାର ମହାରାଷ୍ଟ୍ର ସରକାର କେନ୍ଦ୍ରକୁ କାରଣ ମଧ୍ୟ ଦର୍ଶାଇ ସାରିଛନ୍ତି। ରାଜ୍ୟର ଦୁଇ ଗୁରୁତ୍ୱପୂର୍ଣ୍ଣ ସହର ମୁମ୍ବାଇ ଓ ପୁଣେ ଏବେ ରେଡ ଜୋନରେ । ଏଣୁ ସହରରେ ଟ୍ରାଫିକ ଓ ଲୋକଙ୍କ ଗମନା ଗମନ ଉପରେ କଡାକଟକଣା ଜାରି ରହିଛି। ଏଣୁ ଏବେ ବିମାନ ସେବା ଆରମ୍ଭ କରିବା ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କେନ୍ଦ୍ରକୁ ଜଣାଇ ଦେଇଛନ୍ତି।

ସେହିପରି ଛତିଶଗଡ ଭୂପେଶ ବାଘେଲ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଙ୍କୁ ପତ୍ର ଲେଖି ବିମାନ ଯାତ୍ରୀଙ୍କ ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ କହିଛନ୍ତି। କାରଣ ବିମାନ ଚଳାଚଳ ଆରମ୍ଭ ହେଲେ ରାଜ୍ୟରେ କରୋନା ବ୍ୟାପିବାର ଆଶଙ୍କା ରହିଛି। ଏଣୁ ପ୍ରତ୍ୟେକ ଯାତ୍ରୀଙ୍କ ବିବରଣୀ ପ୍ରଦାନ ସହ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ପେଡ କ୍ୱାରେଣ୍ଟାଇନ ସର୍ତ୍ତରେ ରାଜି ହେଲେ ବିମାନ ଚଳାଚଳ ଲାଗି ଅନୁମତି ଦିଆଯାଇପାରିବ ବୋଲି କହିଛନ୍ତି।