ଭୁଷୁଡିଲା ୧୫୦ବର୍ଷ ପୁରୁଣା ଜେଲ୍‌ର ଛାତ : ୨୧ କଏଦୀ ଗୁରୁତର, ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

Published By : Prameya-News7 Bureau | July 31, 2021 IST

ଭିଣ୍ଡ ୩୧।୭: ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ଶନିବାର ସକାଳେ ୧୫୦ ବର୍ଷ ପୁରୁଣା ଜେଲ୍ ଭୁଷୁଡିପଡିଛି । ଜେଲ୍ ର ୨ଟି ବାରାକର ଛାତ ଭୁଷୁଡିବା ଯୋଗୁଁ ୨୧ ଜଣ କଏଦୀ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଉଭୟ କଏଦୀଙ୍କୁ ଚିକିତ୍ସା ପାଇଁ ଗ୍ବାଲିୟର ସ୍ଥାନାନ୍ତର କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଛାତ ଭୁଷୁଡି ପଡିଥିବା କୁହାଯାଉଛି । ଏହି ମାମଲାରେ ପିଡବ୍ଲୁଡି ବିଭାଗର ଦାୟିତ୍ବହୀନତା ମଧ୍ୟ ସାମ୍ନାକୁ ଆସୁଛି । ଘଟଣା ସଂପର୍କରେ ଖବର ପାଇ ଜିଲ୍ଲାପାଳ ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଜେଲର କହିଛନ୍ତି ଯେ, ଭୋର ୫ଟା ୧୦ରେ ଘଟଣା ଘଟିଛି । ଜଣେ କଏଦୀ ଦେଖିଥିଲେ ଯେ, ବାରାକ ନଂ ୭ର ପ୍ଲାଷ୍ଟର ଖସୁଥିଲା । ସେ ତୁରନ୍ତ ବରିଷ୍ଠ ଅଧିକାରୀଙ୍କୁ ଏହାର ସୂଚନା ଦେଇଥିଲେ । ଅନ୍ୟ କଏଦୀମାନଙ୍କୁ ଏକାଠି କରିଥିଲେ । ଯେମିତି ବାରାକ ଖୋଲାଯାଇଥିଲା ୭ ନମ୍ବର ବାରାକ ସମ୍ପୂର୍ଣ୍ଣ ଭୁଷୁଡି ପଡିଥିଲା । ଏହାପରେ ବାରାକ ୨ର ଛାତ ମଧ୍ୟ ଭୁଷୁଡି ପଡିଥିଲା । ଛାତ ଭୁଷୁଡିବା ଯୋଗୁଁ ପ୍ରାୟ ୨୧ କଏଦୀ ସେହି ଛାତ ତଳେ ରହିଯାଇଥିଲେ । ତୁରନ୍ତ ବାରାକ ୮କୁ ସମସ୍ତ କଏଦୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଛାତ ଭୁଷୁଡିବା ସମୟରେ ବାରାକ ନଂ ୭ରେ ୬୪ କଏଦୀଙ୍କ ସହ ଜେଲ୍ ରେ ମୋଟ୍ ୨୫୫ କଏଦୀ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.