୨୧ ଦିନ ପରେ ଲାଗିଲା ତୈଳ ମୂଲ୍ୟବୃଦ୍ଧିରେ ରୋକ, ନିୟନ୍ତ୍ରିତ ହେବ ବଜାର ଦର

Published By : Prameya-News7 Bureau | June 28, 2020 IST

ନୂଆଦିଲ୍ଲୀ ୨୮।୬:  ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିରେ ବ୍ରେକ୍‌ ଲାଗିଛି।  ରବିବାର  ପେଟ୍ରୋଲ ଓ ଡିଜେଲ ଦରରେ ତୈଳ କମ୍ପାନୀମାନେ ମୂଲ୍ୟବୃଦ୍ଧି କରିନାହାନ୍ତି। ଏଣୁ ଇନ୍ଧନ ମୂଲ୍ୟ ସ୍ଥିର ହେବା ଯୋଗୁ ଉପୁଜିଥିବା ବଜାର ପରିସ୍ଥିତିରେ ସୁଧାର ଆସିବ ବୋଲି ଏବେ ଆଶା କରାଯାଉଛି। ପ୍ରାୟ ୩ ସପ୍ତାହ ପରେ ପ୍ରଥମ ଥର ତୈଳ ମୂଲ୍ୟ ସ୍ଥିର ହୋଇଛି। ତେବେ ଏହି ୨୧ ଦିନରେ ରାଜଧାନୀ ଦିଲ୍ଲୀରେ ଡିଜେଲ ମୂଲ୍ୟ ୧୧.୧ ପଇସା ମହଙ୍ଗା ହୋଇଥିବା ବେଳେ  ପେଟ୍ରୋଲ ଲିଟର ପିଛା ୯ଟଙ୍କା୧୨ ପଇସା ବଢିଛି।

ଆଇଓସିଏଲ ୱେବ୍‌ସାଇଟ୍‌ ଅନୁସାରେ ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ ଯଥାକ୍ରମେ ୮୦ଟଙ୍କା ୩୮ ପଇସା, ୮୨ଟଙ୍କା ୫ ପଇସା, ୮୭ଟଙ୍କା ୧୪ ପଇସା ଓ ଲିଟରପିଛା ୮୩ଟଙ୍କା ୫୯ ପଇସା ଦରରେ ବିକ୍ରି ହେଉଛି। ସେହିପରି ଡିଜେଲ ପ୍ରତି ଲିଟର ଯଥାକ୍ରମେ ୮୦ଟଙ୍କା ୪୦ ପଇସା, ୭୫ଟଙ୍କା ୫୨ ପଇସା,୭୮ଟଙ୍କା ୭୧ ପଇସା ଓ  ୭୭ଟଙ୍କା ୬୧ ପଇସା ଦରରେ ବିକ୍ରି ହେଉଛି।

ଗତ ୨୧ ଦିନ ହେଲା ତୈଳ କମ୍ପାନୀମାନେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି କରିଥିଲେ। ଏଥିରେ ଶନିବାର ଶେଷ ଥର ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦରରେ ୨୫ ପଇସା, କୋଲକାତା ଓ ମୁମ୍ବାଇରେ  ୨୩ ପଇସା ଓ ଚେନ୍ନାଇରେ ୨୨ ପଇସା ବଢିଥିଲା। ସେହିପରି ଡିଜେଲ ମୂଲ୍ୟରେ ଯଥାକ୍ରମେ ୧୭ ପଇସାରୁ ୨୧ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା।  ଡିଜେଲ ମୂଲ୍ୟ ବୃଦ୍ଧିର ପ୍ରଭାବ  ଅତ୍ୟାବସକୀୟ ସାମଗ୍ରୀ ପରିବହନରେ ପଡିଥିବା ବେଳେ ପନିପରିବା, ଫଳ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବଢିବା ଆରମ୍ଭ ହୋଇଥିଲା। ତେବେ ମୂଲ୍ୟ ସ୍ଥିର ହେବା ବଜାରକୁ ଆଶ୍ୱସ୍ତ କରିବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.