୨୦୨୧ରେ ମାଡ ହେବ ବଡ ଧୂମକେତୁ, ବ୍ୟାପିବ ମହାମାରୀ, ସମୁଦ୍ରରେ ଲୀନ ହୋଇଯିବ ଭୂଖଣ୍ଡ ! ଏମିତି କିଛି କହୁଛି ୪୬୫ ବର୍ଷ ତଳର ବହି 'ଲେସ୍ ପ୍ରୋଫେଟିସ୍'

Published By : Prameya-News7 Bureau | December 07, 2020 IST

ନୂଆଦିଲ୍ଲୀ,୦୭/୧୨:    ୨୦୨୧ରେ କଣ ହେବ ପୃଥିବୀର ଭବିଷ୍ୟତ ? କିଛି ବଡ ବିପଦ ଅଛି ନା ନାହିଁ  ? ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବ କି ? ଏହି ଘଟଣା ଉପରୁ ପରଦା ଉଠାଇଛି ଫ୍ରାନ୍ସରେ ଜନ୍ମିତ ମାଇକେଲ୍ ଦି ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀ । ୪୬୫ ବର୍ଷ ତଳର ଏହି ଭବିଷ୍ୟବାଣୀ ଆଜିଯାଏଁ ଲୋକଙ୍କୁ ଚକିତ କରି ଆସିଛି । ସେ 'ଲେସ୍ ପ୍ରୋଫେଟିସ୍' ନାମକ ଏକ ବହିରେ ବିଶ୍ୱକୁ ନେଇ ଅନେକ ଭବିଷ୍ୟବାଣୀ କରିଥିଲେ । ଏହାର ପ୍ରଥମ ସଂସ୍କରଣ ୧୫୫୫ରେ ସାମ୍ନାକୁ ଆସିଥିଲା । ଏଥିରେ ମୋଟ୍ ୬୩୩୮ଟି ଭବିଷ୍ୟବାଣୀ ରହିଛି । ଯାହା ୭୦ ପ୍ରତିଶତ ସତ ସାବ୍ୟସ୍ତ ହୋଇଛି । ତାଙ୍କ ଭବିଷ୍ୟବାଣୀରେ ଅନେକ ଛନ୍ଦ ରହିଛି ଯାହାକୁ 'କ୍ୱାଟ୍ରେନ୍' ବୋଲି କୁହାଯାଏ ।

୨୦୨୦ରେ ବ୍ୟାପିଥିବା କରୋନା ଭାଇରସ ମହାମାରୀକୁ ମଧ୍ୟ ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀ ସହ ଯୋଡାଯାଇ ଦେଖାଯାଉଛି । ଏହା ବ୍ୟତୀତ ଐତିହାସିକ ଘଟଣା ମଧ୍ୟ ସତ ସାବ୍ୟସ୍ତ ହୋଇଛି । ଆସନ୍ତୁ ଜାଣିବା ୨୦୨୧ ବାବଦରେ ସେ କଣ କହିଛନ୍ତି ।

ଭବିଷ୍ୟବାଣୀ ଅନୁସାରେ, ଜଣେ ଏସିଆନ ବୈଜ୍ଞାନିକ ଜୈବିକ ଅସ୍ତ୍ର ପ୍ରସ୍ତୁତ କରିବେ । ଏହାସହ ଏକ ଭାଇରସ ମଧ୍ୟ ତିଆରି କରିବେ । ଯାହା ମଣିଷଙ୍କୁ ରାକ୍ଷସ କରିଦେବ ।ଏପରି ଭାବେ ମଣିଷ ଜାତିର ସର୍ବନାଶ ହେବ । ପୃଥିବୀ ପୃଷ୍ଠରେ ଭୂମିକମ୍ପ ହେବ । ମହାମାରୀ ବ୍ୟାପିବ । ଯାହା ପୃଥିବୀ ଧ୍ୱଂସ ହେବାର ସଙ୍କେତ ଅଟେ । ୨୦୨୦ରେ ଆରମ୍ଭ ହୋଇଥିବା କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିସାରିଛି । ଏପରି ଆଉ ଏକ ରୋଗ ବ୍ୟାପିବ । ଯାହା ପୂର୍ବରୁ ପୃଥିବୀ କେବେ ସାମ୍ନା କରି ନାହିଁ । ମୋଟ ଜନସଂଖ୍ୟାର ବଡ ଅଂଶ ଏଥିରେ ଲୋପ୍ ପାଇଯିବ ।

୨୦୨୧ ଅତ୍ୟନ୍ତ ଘଟଣାବହୁଳ ହେବ । ସୂର୍ଯ୍ୟର ପ୍ରକୋପ ପୃଥିବୀକୁ କ୍ଷତିଗ୍ରସ୍ତ କରିବ । ଏହାସହ ନଷ୍ଟ୍ରାଡମ୍ସ ପୃଥିବୀର କେତେକ ଅଂଶ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି କହିଛନ୍ତି । ଜଳବାୟୂ ପରିବର୍ତ୍ତନ ପାଇଁ ଯୁଦ୍ଧ ସ୍ଥିତି ଉପୁଜିବ । ବିଭିନ୍ନ ପ୍ରାକୃତିକ ସମ୍ବଳ ପାଇଁ ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବ ଓ ଲୋକମାନେ ପଳାୟନ କରିବେ । ପୃଥିବୀ ସହ ଏକ ଧୂମକେତୁ ଧକ୍କା ହେବ । ଫଳରେ ଭୂମିକମ୍ପ ହେବ । ଆକାଶରେ ଏହା ଏକ ଜ୍ୱଳନ୍ତ ବସ୍ତୁ ଭଳି ଦୃଶ୍ୟମାନ ହେବ । ଏହାକୁ ଗ୍ରେଟ୍ ଫାୟାର କୁହାଯାଏ ।

ପୂର୍ବରୁ ନାସାର ବୈଜ୍ଞାନିକମାନେ ମଧ୍ୟ ଏକ ବଡ ଧୂମକେତୁ ପୃଥିବୀକୁ ଧକ୍କା ଦେବ ବୋଲି ଅନୁମାନ କରିଛନ୍ତି । ତେଣୁ ନଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀକୁ ଗମ୍ଭୀରତାର ସହ ନିଆଯାଉଛି । ଏହି ଧୂମକେତୁର ଶକ୍ତି ୧୯୪୫ରେ ହିରୋସୀମାରେ ହୋଇଥିବା ପରମାଣୁ ବୋମା ବିସ୍ଫୋରଣଠୁ ୧୫ ଗୁଣା ଅଧିକ ହେବ ।

ଆହୁରି ମଧ୍ୟ ଭବିଷ୍ୟବାଣୀ ହୋଇଛି ଯେ, ଏକ ପ୍ରଳୟଙ୍କାରୀ ଭୂମିକମ୍ପ ନ୍ୟୁ ଓ୍ୱାର୍ଲ୍ଡକୁ ଧ୍ୱଂସ କରିଦେବ । କାଲିଫର୍ଣ୍ଣିଆରେ ଏହା ଅନୁଭୂତ ହେବାର ସମ୍ଭାବନା ରହିଛି । ପୂର୍ବରୁ ମଧ୍ୟ ତାଙ୍କର ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ହୋଇଥିବା ଭବିଷ୍ୟବାଣୀ ସତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.