ପଶ୍ଚିମବଙ୍ଗରେ ବଡ ବିଜୟ ସମ୍ଭାବନାରେ ଟିଏମସି, ନନ୍ଦିଗ୍ରାମରେ କଡା ଫାଇଟ୍ କରୁଛନ୍ତି ଦିଦି, କେରଳରେ ଏଲଡିଏଫ କରିପାରେ ରେକର୍ଡ, ଡିଏମକେ ୧୦ ବର୍ଷ ପରେ ଫେରିବ, ଆସାମ ଓ ପୁଡୁଚେରୀରେ ବିଜେପି

Published By : Prameya-News7 Bureau | May 02, 2021 IST

ନୂଆଦିଲ୍ଲୀ, ୦୨|୦୫ : ଏକଜିଟ୍ ପୋଲ୍ସ ଏକଜାକ୍ଟ ହେବନି କିନ୍ତୁ ହାରାହାରି ଆକଳନ ସମାନ ହୋଇପାରେ । ତେବେ ପଶ୍ଚିମବଙ୍ଗରେ ବିଜେପିକୁ ଝଟ୍‌କା ହୋଇଛି । ଅପରାହ୍ନ ୨ଟା ସୁଦ୍ଧା ୨୦୦ ଆସନରେ ଆଗୁଆ ତୃଣ ମୂଳ କଂଗ୍ରେସ । ଦଳର କର୍ମୀମାନେ ନାତଗୀତ ଆରମ୍ଭ କରିଦେଇଛନ୍ତି । ଏଠାରେ ଆଗୁଆ ତାଲିକାରେ ୯୦ ତଳକୁ ଖସିଛି ବିଜେପି । ତେବେ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ କଡା ଟକ୍କରର ସମ୍ମୁଖୀନ ହୋଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ଲଗାତର ପଛରେ ରହିବା ପରେ ଏବେ ଦିଦି ଅଳ୍ପ ଆଗରେ ରହିଛନ୍ତି । ତେବେ ଟିଏମସି ମ୍ୟାଜିକ୍ ନମ୍ବରଠାରୁ ଅଧିକ ଆସନ ପାଇବା ଆଶା ଅଧିକା । ସେପଟେ ଆସାମାରେ ବିଜେପି ପୁଣି କ୍ଷମତାରେ ରହିବା ଧିରେଧିରେ ନିଶ୍ଚିତ ହେଉଛି । ସେଠାରେ କଂଗ୍ରେସ ଆଶାଠାରୁ କମ୍ ଆସନ ପାଇବ । ତାମିଲନାଡୁରେ  ଏମେକେ ଷ୍ଟାଲିନଙ୍କ ନେତୃତ୍ୱାଧିନ ଡିଏମକେ ୧୦ ବର୍ଷ ପରେ କ୍ଷମତାକୁ ଫେରିବ । କେରଳରେ ବାମପନ୍ଥୀ ମେଣ୍ଟ ରେକର୍ଡ କରିବା ସମ୍ଭାବନା ବେଶୀ । ମୁଖ୍ୟମନ୍ତ୍ରୀ ପି. ବିଜୟାନଙ୍କ ନେତୃତ୍ୱାଧିନ ଏଲଡିଏଫ ମ୍ୟାଜିକ୍ ନମ୍ବରଠାରୁ ବହୁତ ଆଗରେ ଚାଲିଛି । କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ବିଜେପି ଅଧିକ ଆସନରେ ଆଗୁଆ । କଂଗ୍ରେସର ସଂଖ୍ୟାଠାରୁ ବିଜେପି ଢେର୍ ଆଗରେ ଥିବାରୁ ସେଠାରେ ପଦ୍ମ ସରକାର ସମ୍ଭାବନା ।

 ଖେଲ ହୋବେ ନା ଖେଲ ଖତମ । ଏହି ଦୁଇଟି ବାକ୍ୟ ପଶ୍ଚିମବଙ୍ଗ ନିର୍ବାଚନରେ ସବୁଠୁ ଚର୍ଚ୍ଚିତ ଥିଲା । ଗୋଟିଏ ପରେ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ କ୍ୟାମ୍ପେନ୍ ଓ ଅନ୍ୟ ଦିଗରେ ବିଜେପିର ହାଇଭୋଲଟେଜ୍ ପ୍ରଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ତୁଙ୍ଗ ନେତା ଦିନରାତି ଏକ୍ କରିଦେଇଥିଲେ । ତେବେ ଭୋଟ ଗଣତି ଆରମ୍ଭରୁ ବିଜେପି ଓ ଟିଏମସି ମଧ୍ୟରେ କଡା ଫାଇଟ୍ ଦେଖିବାକୁ ମିଳିଥିଲା । ବ୍ୟବଧାନ ୧୦ ଭିତରେ ରହିଥିଲା । ଏବେ କିନ୍ତୁ ଚିତ୍ର ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଟିଏମସି ୨୦୦ରୁ ଅଧିକ ଆସନରେ ଆଗୁଆ ଥିବା ବେଳେ ବିଜେପି ୮୦ରୁ ଅଧିକ ଆସନରେ ଆଗୁଆ ରହିଛି । ସେପଟେ ଲଗାତର ପଛରେ ଥିବା ମମତା ଶୁଭେନ୍ଦୁ ଅଧିକାରୀଙ୍କଠାରୁ ଆଗରେ ରହିଛନ୍ତି ।

ତାମିଲନାଡୁରେ ଦୀର୍ଘ ଦଶନ୍ଧି ପରେ କ୍ଷମତାକୁ ଫେରିବ ଡିଏମକେ । ଷ୍ଟାଲିନଙ୍କ ନେତୃତ୍ୱରେ ଡିଏମକେ ଆସନରେ ଆଗୁଆ ରହିଥିବା ବେଳେ ଡିଏମକେ ୯୫ ଆସନରେ ଆଗୁଆ ରହିଛି । ଏଥିରୁ ଡିଏମକେ ସରକାର ଗଠନନ ନେଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି ।

କେରଳରେ ମଧ୍ୟ ବାମଦଳ ପୂନର୍ବାର ସରକାର ଗଠନ କରିବ । ଏବେସୁଦ୍ଧା ଏଠାରେ ଏଲଡିଏଫ ୯୦ଟି ଆସନରେ ଆଗୁଆ ରହିଥିବା ବେଳେ ୟୁଡିଏଫ ୪୪ ଓ ବିଜେପି ୩ଟି ଆସନରେ ଆଗୁଆ ରହିଛି ।

ତେବେ ପଣ୍ଡିଚେରୀରେ ବିଜେପି ସରକାର ଗଠନ ନେଇ ଆଭାସ ମିଳୁଛି । ଏଠାରେ ବିଜେପି ୯ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୪ଟିରେ ଆଗୁଆ ରହିଛି । ୩୦ ଆସନ ବିଶିଷ୍ଟ ପଣ୍ଡିଚେରୀରେ ମ୍ୟାଜିକ୍ ନମ୍ବର ହେଉଛି ୧୬ ।

ଆସାମରେ ବିଜେପି ସରକାର ଗଠନ ଏକପ୍ରକାର ସ୍ପଷ୍ଟ ହୋଇଛି । ଏଠାରେ ବିଜେପି ୭୮ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୪୭ଟିରେ ଆଗୁଆ ରହିଛି । ଅନ୍ୟମାନେ କେବଳ ଗୋଟିଏ ଆସନରେ ଆଗରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.