RBIର ବଡ ଘୋଷଣା: ୦.୨୫% ହ୍ରାସ ପାଇଲା ରିଭର୍ସ ରେପୋ ରେଟ୍, କ୍ୟାସ୍ ସଙ୍କଟ ରୋକିବା ପାଇଁ ୫୦ ହଜାର କୋଟିର ନିବେଶ

Published By : Prameya-News7 Bureau | April 17, 2020 IST

ନୂଆଦିଲ୍ଲୀ, ୧୭|୦୪:  କରୋନା ଭାଇରସର ମହାସଙ୍କଟ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଦେଶର ଅର୍ଥବ୍ୟବସ୍ଥା ଉପରେ ନଜର ରଖାଯାଇଥିବା ସେ କହିଛନ୍ତି । ଆହୁରି ମଧ୍ୟ ଏହି ସଙ୍କଟ ପାଇଁ ଦେଶର ଜିଡିପି ହ୍ରାସ ପାଇବ କିନ୍ତୁ ପରେ ଏହା ବୃଦ୍ଧି ପାଇବ ବୋଲି ସେ ସୂଚନା ଦେଇଛନ୍ତି ।

ଏକ ବଡ ଘୋଷଣା କ୍ରମେ ରିଭର୍ସ ରେପୋ ରେଟରେ ୦.୨୫ ପ୍ରତିଶତ ହ୍ରାସ କରାଯାଇଛି । ଏହାସହ ଏବେ ଏହା ୩.୭୫ ପ୍ରତିଶତ ହୋଇଯାଇଛି । ନାବାର୍ଡ, ଏନଏଚବି ଓ ଏସଆଇଡିବିଆଇ ପାଇଁ ଆରବିଆଇ ବଡ ପ୍ୟାକେଜ ଘୋଷଣା କରିଛି । ଏହି ତିନୋଟି ସଂସ୍ଥାକୁ ରେପୋ ରେଟ୍ ଉପରେ ଋଣ ମିଳିବ । ଏନଏଚବିକୁ ୧୦ ହଜାର କୋଟି ଓ ନାବାର୍ଡକୁ ୨୫ ହଜାର କୋଟି ଟଙ୍କା ମିଳିବ ।ଏହାସହ ବଜାରରେ କ୍ୟାସ ସଙ୍କଟକୁ ପ୍ରତିହତ କରିବା ପାଇଁ ବ୍ୟାଙ୍କ ୫୦ ହଜାର କୋଟିର ଅତିରିକ୍ତ ଆର୍ଥିକ ସାହାଯ୍ୟ କରିବ । ବଜାରରେ ଏହି ଅର୍ଥକୁ ନିବେଶ କରାଯିବ । ଏଥିପାଇଁ ଟିଏଲଟିଆରଓ ଘୋଷଣା କରାଯାଇଛି ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, କରୋନା ସଙ୍କଟ ମଧ୍ୟରେ ସମସ୍ତ ପରିସ୍ଥିତି ଉପରେ ନଜର ରଖାଯାଇଛି । ଆବଶ୍ୟକୀୟ ନିଷ୍ପତ୍ତି ନିଆଯାଇଛି । ୧୫୦ରୁ ଅଧିକ ଅଧିକାରୀ କ୍ୱାରେଣ୍ଟାଇନ ହୋଇ ମଧ୍ୟ କାମ କରୁଛନ୍ତି । ପରିସ୍ଥିତିର ମୁକାବିଲା କରୁଛନ୍ତି । ଆଇଏମଏଫ ବିଶ୍ୱରେ ସବୁଠାରୁ ବଡ ମାନ୍ଦାବସ୍ଥା ନେଇ ଅନୁମାନ ଲଗାଇଥିଲା । ଯାହା ଏକ ସତର୍କ ସୂଚନା । ଅନେକ ଦେଶର ଆମଦାନୀ, ରପ୍ତାନୀ ଉପରେ ପ୍ରଭାବ ପଡିଛି । ତେବ ଭାରତର ଜିଡିପି ୧.୯ ପ୍ରତିଶତ ବୃଦ୍ଧି ପାଇବ । ଜି୨୦ ଦେଶ ମଧ୍ୟରେ ଏହା ସବୁଠାରୁ ଭଲ । ସାରା ବିଶ୍ୱରେ ୯ ଟ୍ରିଲିୟନ ଡଲାରର କ୍ଷତି ହେବ । ଏହା ମଧ୍ୟରେ ଦେଶରେ କୃଷି ଶିଳ୍ପ ଭଲ କାରବାର କରୁଛି । ଭାରତ ପାଖରେ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ଅଛି ।

ସେ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ମୌମୁସୀ ଠିକ ସମୟରେ ଆସିବ ଓ ବର୍ଷା ମଧ୍ୟ ଭଲ ହେବ ବୋଲି ଅନୁମାନ କରାଯାଉଛି । ଫେବ୍ରୁଆରୀ ମାସରେ ଟ୍ରାକ୍ଟର ବିକ୍ରି ବୃଦ୍ଧି ପାଇଛି । ତେବେ ୨୦୨୦ରେ ରପ୍ତାନୀ ହ୍ରାସ ପାଇଛି । ଏହା ସତ୍ୱେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୪୭୬ ଅରବ ଡଲାରର ରହିଛି । ଯାହା ୧୧ ମାସର ଆମଦାନୀ ପାଇଁ ଯଥେଷ୍ଟ । ବିଶ୍ୱରେ ଅଶୋଧିତ ତୈଳ ଦାମ ହ୍ରାସ ପାଉଛି । ଏଥିରୁ ଫାଇଦା ମିଳିପାରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.