୨୦୧୯ ସାଧାରଣ ନିର୍ବାଚନ ଖର୍ଚ୍ଚ ବିଶ୍ବରେ ସବୁଠୁ ଅଧିକ, ଜାଣନ୍ତୁ କେତେ ହେଲା ଖର୍ଚ୍ଚ

Published By : Prameya-News7 Bureau | May 19, 2019 IST

ନୂଆଦିଲ୍ଲୀ ୧୯|୫: ୨୦୧୯ ସାଧାରଣ ନିର୍ବାଚନରେ ବିଶ୍ବର ଅନ୍ୟ ଯେକୌଣସି ରାଷ୍ଟ୍ରର ନିର୍ବାଚନ ଖର୍ଚ୍ଚଠାରୁ ଅଧିକ ବୋଲି ଜଣାପଡିଛି । ଏହି ନିର୍ବାଚନରେ ୫୦ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ସଂପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ସରିବା ବେଳକୁ ଏହି ରାଶି ଆହୁରି ବଢିଯାଇଥିବ ।

୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଚଳିତଥରର ଖର୍ଚ୍ଚ ୪୦ପ୍ରତିଶତ ବୃଦ୍ଧି ପାଇଛି । ୨୦୧୬ ମସିହାରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପାଖାପାଖି ୪୦ହଜାର କୋଟି ଟଙ୍କା ବା ୬.୫ ଆରବ ଡଲାର ଖର୍ଚ୍ଚ ହୋଇଥିଲା । ଭାରତ ଚଳିତ ନିର୍ବାଚନରେ ଖର୍ଚ୍ଚ କ୍ଷେତ୍ରରେ ଆମେରିକାକୁ ମଧ୍ୟ ପଛରେ ପକାଇ ଦେଇଛି ।

ଯେଉଁ ଦେଶର ୬୦ପ୍ରତିଶତ ଅଞ୍ଚଳର ଦୈନିକ ମୁଣ୍ଡପିଛା ଖର୍ଚ୍ଚ ୩ଡଲାର ରହିଛି ସେଠାରେ ପ୍ରତି ମତଦାତା ପିଛା ଚଳିତ ନିର୍ବାଚନରେ ୮ଡଲାର ଲେଖାଏଁ ଖର୍ଚ୍ଚ ହୋଇଛି । ନୂଆଦିଲ୍ଲୀ ସ୍ଥିତ ସେଣ୍ଟର ଫର୍ ମିଡିଆ ଷ୍ଟଡିଜ୍ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।

ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଚଳିତ ନିର୍ବାଚନରେ ସୋସିଆଲ୍ ମିଡିଆ, ଗମନାଗମନ ଓ ବିଜ୍ଞାପନ କ୍ଷେତ୍ରରେ ସର୍ବାଧିକ ଖର୍ଚ୍ଚ ହୋଇଛି । ୨୦୧୪ ମସିହା ନିର୍ବାଚନ ବେଳେ ସୋସିଆଲ ମିଡିଆରେ ମାତ୍ର ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଚଳିତ ନିର୍ବାଚନରେ ସୋସିଆଲ ମିଡିଆରେ ୫ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ଦେଶରେ ଅନୁଷ୍ଠିତ ପ୍ରଥମ ୩ଟି ଲୋକସଭା ନିର୍ବାଚନରେ ନିର୍ବାଚନ ଖର୍ଚ୍ଚ ମାତ୍ର ୧୦କୋଟି ମଧ୍ୟରେ ସୀମିତ ଥିଲା । ୧୯୮୪-୮୫ ମସିହା ନିର୍ବାଚନରେ ନିର୍ବାଚନ ଖର୍ଚ୍ଚ ୧୦୦କୋଟିରୁ କମ୍ ଥିଲା । ୧୯୯୬ ମସିହାରେ ଅନୁଷ୍ଠିତ ଏକାଦଶ ଲୋକସଭା ନିର୍ବାଚନ ଖର୍ଚ୍ଚ ପ୍ରଥମ ଥର ପାଇଁ ୫ଶହ କୋଟି ହୋଇଥିଲା । ୨୦୦୪ ମସିହାରେ ଅନୁଷ୍ଠିତ ପଞ୍ଚଦଶ ଲୋକସଭା ନିର୍ବାଚନ ଖର୍ଚ୍ଚ ହଜାରେ କୋଟି ଅତିକ୍ରମ କରିଥିଲା । ୨୦୧୪ ମସିହା ସାଧାରଣ ନିର୍ବାଚନ ଖର୍ଚ୍ଚ ୩ହଜାର ୭ଶହ କୋଟି ହୋଇଥିଲା ଯାହା ୨୦୦୯ ସାଧାରଣ ନିର୍ବାଚନ ଖର୍ଚ୍ଚର ତିନିଗୁଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.