୨୦୧୧ ବିଶ୍ୱକପରେ ହୋଇଥିଲା ଫିକ୍ସିଂ ? ଶ୍ରୀଲଙ୍କା ସରକାର ଆରମ୍ଭ କଲେ ତଦନ୍ତ

Published By : Prameya-News7 Bureau | June 19, 2020 IST

କଲୋମ୍ବୋ, ୧୯|୦୬: ୨୦୧୧ ବିଶ୍ୱକପ୍ ଫାଇନାଲ ମ୍ୟାଚ ଫିକ୍ସ ହୋଇଥିବା ଶ୍ରୀଲଙ୍କାର ତତ୍କାଳୀନ କ୍ରୀଡାମନ୍ତ୍ରୀ ଅଭିଯୋଗ କରିବା ପରେ କ୍ରିକେଟ ଜଗତରେ ଏକ ଝଡ ସୃଷ୍ଟି ହୋଇଛି । ଏହି ଅଭିଯୋଗର କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଶ୍ରୀଲଙ୍କା ସରକାର ଶନିବାର ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କ୍ରୀଡା ମନ୍ତ୍ରାଳୟ ଏହି ମାମଲାରେ ହସ୍ତକ୍ଷେପ କରିବା ସହ ତଦନ୍ତରେ ସହଯୋଗ କରିବ ।

ଗତ ୨ ଦିନ ତଳେ ୨୦୧୧ରେ ଶ୍ରୀଲଙ୍କାର କ୍ରୀଡାମନ୍ତ୍ରୀ ଥିବା ମହିନ୍ଦାନନ୍ଦ ଆଲୁଥଗମାଗେ ଅଭିଯୋଗ କରିଥିଲେ ଯେ, ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଫାଇନାଲ ମୁକାବିଲା ଫିକ୍ସ ହୋଇଥିଲା । ଏହି ମୁକାବିଲାରେ ଭାରତ ବିଜୟୀ ହେବା ସହ ୨୮ ବର୍ଷ ପରେ ବିଶ୍ୱ ଚାମ୍ପିଅନ ହୋଇପାରିଥିଲା ।

ଶନିବାର ଶ୍ରୀଲଙ୍କାର କ୍ରୀଡାମନ୍ତ୍ରୀ ଡୁଲାସ୍ ଆଲାପେରୁମା ଏହି ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପ୍ରତି ୨ ସପ୍ତାହରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ କହିଛନ୍ତି ।

ତତ୍କାଳୀନ କ୍ରୀଡାମନ୍ତ୍ରୀ ଆଲୁଥଗମାଗେ ଅଭିଯୋଗ କରିଥିଲେ ଯେ, ଶ୍ରୀଲଙ୍କା ଜାଣିଶୁଣି ମ୍ୟାଚ ହାରିଥିଲା । ଏଥିପାଇଁ ସେ କୁମାର ସାଙ୍ଗକରା ଓ ମହେଲା ଜୟବର୍ଧନେଙ୍କୁ ଫିକ୍ସିଂ କରିଥିବା ଅଭିଯୋଗରେ କାଠଗଡାକୁ ଟାଣିଥିଲେ । ସେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଥିଲେ ଯେ, ଭାରତ ମହେନ୍ଦ୍ର ସିଂ ଧୋନୀ ଓ ଗୌତମ ଗମ୍ଭୀରଙ୍କ ବ୍ୟାଟିଂରେ ଏହି ମୁକାବିଲା ଜିତିଥିଲା । ତେବେ ଏହି ମ୍ୟାଚ ପିକ୍ସ ଥିଲା ଓ ସେ ଦେଶର ନାଁ ତଳେ ପକାଇବାକୁ ଚାହୁଁନଥିବା କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.