କେରଳ ବନ୍ୟାରେ ୨୦ ହଜାର କୋଟି ଟଙ୍କାର କ୍ଷତି

Published By : Prameya-News7 Bureau | August 20, 2018 IST

ବର୍ଷା କମିଛି, ବନ୍ୟା ଛିଣ୍ଡୁଛି, ହେଲେ ଦୁର୍ଦ୍ଦଶା ବଢ଼ି ବଢ଼ି ଚାଲିଛି । ଶତାବ୍ଦୀର ସବୁଠାରୁ ପ୍ରଳୟଙ୍କରୀ ବନ୍ୟାରେ କେରଳ ଆଉ କେରଳ ହୋଇ ନାହିଁ । ୩ ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି ବନ୍ୟା । ଏବେ ବି କେତେକ ସ୍ଥାନରୁ କିଛି କିଛି ମୃତଦେହ ମିଳିବାରେ ଲାଗିଛି । ଲକ୍ଷ ଲକ୍ଷା ଲୋକ ରିଲିଫ୍ କ୍ୟାମ୍ପରେ ଅଛନ୍ତି । ତଥାପି ସରିନ ଉଦ୍ଧାର । ଦେଶ, ବିଦେଶରୁ ଆର୍ଥିକ ସହାୟତା ସହ ରିଲିଫ୍ ସାମଗ୍ରୀ ପହଞ୍ଚିବାରେ ଲାଗିଛି । ବନ୍ୟାରେ ରାଜ୍ୟର ପ୍ରାୟ ୨୦ ହଜାର କୋଟି ଟଙ୍କା କ୍ଷତି ହୋଇଛି । କେରଳ ଆଉ କେରଳ ହୋଇ ନାହିଁ । ପ୍ରଳୟଙ୍କରୀ ବନ୍ୟାରେ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି ଗଡସ୍ ଓନ୍ କଂଣ୍ଟ୍ରି । ବର୍ଷା କମିଥିବା ବେଳେ ବନ୍ୟା ପାଣି ଛିଣ୍ଡୁଛି । ଏବେ ବି ଅନେକ ସ୍ଥାନରେ ଜମି ରହିଛି ବନ୍ୟା ପାଣି । ଆଉ ଏବେ ବି ଫସି ରହିଛି ଅନେକ ଲୋକ । ବର୍ଷା କମିଥିବା ବେଳେ ଉଦ୍ଧାର କାମକୁ ଜୋରଦାର କରାଯାଇଛି । ସେନା ସହ ଏନଡିଆରଏଫ୍, ବିଭିନ୍ନ ରାଜ୍ୟରୁ ଆସିଥିବା ଅଗ୍ନିଶମ ବାହିନୀ ଉଦ୍ଧାର କାମରେ ମାତିଛନ୍ତି । ରବର୍ ବୋଟ୍ ଏବଂ ହେଲିକପ୍ଟର ଜରିଆରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । କେରଳ ମତ୍ସ୍ୟଜୀବୀ ହିଁ ପାଲଟିଛନ୍ତି ହିରୋ । ପିଇବା ପାଣି ବଡ଼ ସମସ୍ୟା । ଏ ପର୍ଯ୍ୟନ୍ତ କୌଣସି ସଂକ୍ରାମକ ରୋଗ ଦେଖାଦେଇନି । ରାଜ୍ୟରେ ୩ ହଜାର ୭ ଶହଟି ହଲ୍ଥ କ୍ୟାମ୍ପ ଖୋଲାଯାଇ ବନ୍ୟା ପ୍ରଭାବିତଙ୍କୁ ପ୍ରତିଷେଧମୂଳକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ବନ୍ୟା ପାଣି କମୁଛି ସତ, ହେଲେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି । ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ୩ ଶହରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଏବେ ବି କେତେକ ସ୍ଥାନରେ ପାଣିରୁ ମିଳୁଛି କିଛି କିଛି ମୃତଦେହ । ଭୋକ ଉପାସରେ ପଡ଼ି ରହିଥିବା ଲୋକଙ୍କୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି । ଆକାଶ ମାର୍ଗରୁ ସେମାନଙ୍କ ପାଖକୁ ପକାଯାଉଛି ଖାଦ୍ୟ ପୁଡ଼ିଆ । ଦେଶ ବିଦେଶରୁ ରିଲିଫ୍ ଏବଂ ଆର୍ଥିକ ସହୟତା ବଢ଼ି ଚାଲିଛି । ହେଲେ କେରଳରେ ପୁନଃ ନିର୍ମାଣର ଆବଶ୍ୟକ କରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ କେ. ଜେ. ଆଲଫନ୍ସ । ବନ୍ୟା ଯୋଗୁଁ ରାଜ୍ୟରେ ପାଖାପାଖି ୨୦ ହଜାର କୋଟି ଟଙ୍କା କ୍ଷତି ହୋଇଛି । ବହୁ ଘରଦ୍ବାର ଭାଙ୍ଗି ଯାଇଛି । ତେଣୁ ଏଭଳି ସ୍ଥିତିରେ ପୁନଃ ନିର୍ମାଣ କାମ ପାଇଁ ଦେଶ-ବିଦେଶରୁ ବୈଷୟିକ ସହାୟତା ଲୋଡ଼ିଛନ୍ତି କେ. ଜେ. ଆଲଫନ୍ସ । ୧୯୨୪ ପରେ କେରଳ ଦେଖିଲା ଭୟଙ୍କର ବନ୍ୟା । ସେତେବେଳେ ଲଗାତାର ୩ ସପ୍ତାହ ଧରି ହୋଇଥିଲା ବର୍ଷା । ଆଉ ଏବେ ଦୁଇ ସପ୍ତାହରେ ରାଜ୍ୟର ହାଲ୍ ବେହାଲ୍ ହୋଇଯାଇଛି । ଅଗଷ୍ଟ ୮ରୁ ଅଗଷ୍ଟ ୧୫ ମଧ୍ୟରେ ରାଜ୍ୟରେ ଅଢେଇ ଶହ ପ୍ରତିଶତ ଅଧିକ ବର୍ଷା ହୋଇଛି । ପ୍ରାୟ ସବୁ ନଦୀ କୂଳ ଖାଉଛି । ୩୫ଟି ଡ୍ୟାମରେ ଜଳସ୍ତର ଥିବା ବିପଦ ସଙ୍କେତ ଉପରେ ଥିବାରୁ ସେସବୁରୁ ଗେଟ୍ ଖୋଲାଯିବ, ତେଣୁ ପରିସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା କରାଯାଉଛି । କେରଳ ପାଇଁ ଭାରତୀୟ ପାଣିପାଗ ବିଭାଗ, ଜାରି କରିଥିବା ରେଡ୍ ଆଲର୍ଟ ହଟାଇ ଦେଇଛି । ତେବେ କିଛି ଅଞ୍ଚଳ ପାଇଁ ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଏବେ ବି ଜାରି ରହିଛି । ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ସେଭେନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.