ଚାଷୀଙ୍କ ଉତପାତ୍ ବେଳେ ଫସି ରହିଥିଲେ ୨୦୦ କଳାକାର, ଗଣତନ୍ତ୍ର ଦିବସ ପରେଡ୍‌ରେ ହୋଇଥିଲେ ସାମିଲ

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ ୨୬/୦୧ : ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଚାଷୀମାନଙ୍କ ପକ୍ଷରୁ କରାଯାଇଥିବା ଟ୍ରାକ୍ଟର ରାଲିରେ ଚାଷୀମାନେ ବ୍ୟାପକ ହିଂସା ଘଟାଇଥିଲେ । ଦିଲ୍ଲୀ ପୋଲିସକୁ ଚକମା ଦେଇ ଚାଷୀମାନେ ଲାଲ କିଲ୍ଲାକୁ ମଧ୍ୟ କବଜା କରିନେଇଥିଲେ । ଲାଲ କିଲ୍ଲା ପରିସର​‌ରେ ବ୍ୟାପକ ସଂଖ୍ୟାରେ ଆନ୍ଦୋଳନକାରୀ ହଙ୍ଗାମା କରିଥିଲେ । ଏହି ଆନ୍ଦୋଳନ ଫଳରେ ଲାଲ କିଲ୍ଲା ନିକଟରେ ପ୍ରାୟ ୨୦୦ କଳାକାର ଫସିରହିଥିଲେ ।

ଚାଷୀଙ୍କ ଟ୍ରାକ୍ଟର ରାଲି ଏବଂ ଲାଲ କିଲ୍ଲାରେ ହୋଇଥିବା ହଙ୍ଗାମା କାରଣରୁ ରାଷ୍ଟ୍ରୀୟ ରଙ୍ଗଶାଳାର ପ୍ରାୟ ୨ ଶହ ଜଣ କଳାକାର ଦିନ ୧୨ଟାରୁ ସନ୍ଧ୍ୟା ଯାଏଁ ସେଠାରେ ଫସିରହିଥିଲେ । ଏହି କଳାକାରମାନେ ଗଣତନ୍ତ୍ର ଦିବସ ପରେଡ୍‌ରେ ଅଂଶ ଗ୍ରହଣ କରିଥିଲେ । ତେବେ ପୋଲିସ ସେମାନଙ୍କୁ ରାଷ୍ଟ୍ରୀୟ ରଙ୍ଗଶାଳା କ୍ୟାମ୍ପ୍‌ରେ ସୁରକ୍ଷିତ ଭାବେ ଛାଡିଥିବା ସୂଚନା ମିଳିଛି ।

କୁହାଯାଉଛି ଯେ, ରାଷ୍ଟ୍ରୀୟ ରଙ୍ଗଶାଳାର କଳାକାରମାନେ ମଧ୍ୟ ଗଣତନ୍ତ୍ର ଦିବସ ପରେଡରେ ଭାଗ ନେବାକୁ ଆସିଥିଲେ । ପରେଡ୍‌ ଶେଷ ହେବା ପରେ ସେମାନେ ସମସ୍ତେ ଲାଲ କିଲ୍ଲା ନିକଟ​‌ରେ ଥିଲେ । ଦେଠାରୁ ବାହାରିବା ପୂର୍ବରୁ ଚାଷୀମାନେ ଲାଲ କିଲ୍ଲା ପରିସରକୁ ଧସେଇ ପଶିଥିଲେ । ଭୟରେ କଳାକାରମାନେ ବାହାରକୁ ଆସିପାରିନଥିଲେ ଏବଂ ସେହିଠାରେ ହିଁ ଫସିରହିଥିଲେ ।

ପରେ ଚାଷୀମାନଙ୍କୁ ସେଠାରୁ ବହାରକୁ ବାହାର କରାଯିବା ପରେ ପୋଲିସ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ।  ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ କ୍ୟାମ୍ପରେ ଛଡାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପୋଲିସ ବଳ ଏବଂ ଚାଷୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ବେଳେ ପ୍ରାୟ ୮୩ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଦିଲ୍ଲୀ ପୋଲିସର ସଂଯୁକ୍ତ ପୋଲିସ କମିସନର ଆଲୋକ କୁମାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.