ଗେହଲଟଙ୍କ ସପକ୍ଷରେ ଭୋଟ୍ ଦେଇଥାନ୍ତେ ବସୁନ୍ଧରାଙ୍କ ୨୦ ବିଧାୟକ: ଗେହଲଟ- ବସୁନ୍ଧରାଙ୍କ ଭିତିରି ସଂପର୍କ ନେଇ ସଙ୍ଗୀନ ଅଭିଯୋଗ ଆଣିଲେ ଆରଏଲପି ନେତା

Published By : Prameya-News7 Bureau | October 10, 2020 IST

ଜୟପୁର ୧୦।୧୦: ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି(ଆରଏଲପି)ର ନାଗପୁର ସାଂସଦ ହନୁମାନ ବେନିଓ୍ଵାଲ ପୁଣି ଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେପି ନେତା ବସୁନ୍ଧରା ରାଜେଙ୍କୁ ଶାଣିତ ସ୍ଵରରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏହି ଦୁଇ ନେତା ଗତ ୨୦ ବର୍ଷ ହେବ ପରସ୍ପର ମଧ୍ୟରେ ଅଲିଖିତ ବୁଝାମଣା କରି ରାଜ୍ୟରେ ଶାସନ ଭୋଗ କରୁଛନ୍ତି। ବିଜେପି ଓ କଂଗ୍ରେସ ରାଜ୍ୟରେ ଅଘୋଷିତ ମେଣ୍ଟ କରିଥିବା ହନୁମାନ ବେନିଓ୍ଵାଲ କହିଛନ୍ତି।

ଆସ୍ଥା ଭୋଟ୍‌ରେ ବସୁନ୍ଧରାଙ୍କ ୨୦ ସମର୍ଥକ ବିଧାୟକ ଗେହଲଟଙ୍କୁ ଭୋଟ୍‌ ଦେଇଥାନ୍ତେ  ବୋଲି ଆରଏଲପି ନେତା ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଗତ ୨୦ ବର୍ଷ ହେବ ବସୁନ୍ଧରା ରାଜେ ଓ ଅଶୋକ ଗେହଲଟ ପରସ୍ପର ମଧ୍ୟରେ ଉତ୍ତମ ସମନ୍ଵୟ ରଖି କାମ କରି ଆସୁଛନ୍ତି। ଫଳସ୍ଵରୂପ ରାଜସ୍ଥାନର ଅର୍ଥନୈତିକ ମେରୁଦଣ୍ଡ ଭୁଶୁଡି ଗଲାଣି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ଗଣଦୁଷ୍କର୍ମର ହବ୍‌ରେ ପରିଣତ ହୋଇ ଗଲାଣି ବୋଲି ବେନିଓ୍ଵାଲ  କହିଛନ୍ତି।

ବେନିଓ୍ଵାଲ କହିଛନ୍ତି, ଅଶୋକ ଗେହଲଟ ସରକାର ଏବଂ ପୂର୍ବର ବସୁନ୍ଧରା ରାଜେ ସରକାରଙ୍କ ମଧ୍ୟରେ କୌଣସି ଫରକ ନାହିଁ। ଏବେ ଆରଏଲପି ଏହି ଦୁଇ ମେଣ୍ଟକୁ ସମାପ୍ତ କରିବାକୁ ଅଣ୍ଟା ଭିଡିଛି। ବେନିଓ୍ଵାଲ ହେଉଛନ୍ତି ଆରଏଲପିର ସଂଯୋଜକ। ଏହି ପାର୍ଟି କେନ୍ଦ୍ର ଓ ରାଜ୍ୟରେ ବିଜେପିର ସହଯୋଗୀ। ଏହା ପରେ ମଧ୍ୟ ବେନିଓ୍ଵାଲ ପୂର୍ବରୁ ଅନେକ ଥର ଗେହଲଟ ଓ ରାଜେଙ୍କୁ ସମାଲୋଚନା କରିଛନ୍ତି।

ନିକଟରେ ସଂସଦରେ ଗୃହୀତ କୃଷି ବିଧେୟକ ଉପରେ ନିଜର ପ୍ରତିକ୍ରିୟା ରଖି ବେନିଓ୍ଵାଲ କହିଛନ୍ତି,  ଆମେ ସମସ୍ତ ବିଲ୍‌କୁ ଭଲ ଭାବେ ପଢିଲୁ ଏବଂ ଜାଣିଲୁ ଯେ ଏହି ବିଧେୟକରେ ଚାଷୀଙ୍କ ପାଇଁ କୌଣସି ଫାଇଦା ନାହିଁ। ଯେତେବେଳେ ଏହି ବିଧେୟକ ଗୃହୀତ ହେଲା ସେହି ସମୟରେ ମୁଁ କୋଭିଡ୍-୧୯ ସଂକ୍ରମିତ ଥିଲି। ତେଣୁ ଗୃହର ଅଧିବେଶନରେ ଯୋଗ ଦେଇ ପାରିନଥିଲି।

ସେ  କହିଛନ୍ତି କେବଳ ଏମ ଏସ ସ୍ଵାମୀନାଥନ ଆୟୋଗଙ୍କ ରିପୋର୍ଟ ଲାଗୁ କଲେ ହିଁ ଚାଷୀଙ୍କ ବିକାଶ ହେବ। ମୁଁ ବି ଜଣେ ଚାଷୀର ପୁଅ।  ଯଦି ପ୍ରଧାନମନ୍ତ୍ରୀ କହୁଛନ୍ତି ଏମଏସପି ସମାପ୍ତ ହେବ ନାହିଁ, ତଥାପି କୃଷକଙ୍କୁ ସେମାନଙ୍କ ଖର୍ଚ୍ଚର ଦେଢ ଗୁଣ ଅଧିକ ରିଟର୍ଣ୍ଣ ଦିଆଯାଉ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.