ଭୁଶୁଡିଲା ମେଟ୍ରୋ ଟ୍ରେନ୍ ବ୍ରିଜ୍ : ୨୦ ମୃତ, ୭୦ ଆହତ

Published By : Prameya-News7 Bureau | May 04, 2021 IST

ମେକ୍ସିକୋ ସିଟି ୪।୫: ମେକ୍ସିକୋ ସିଟିରେ ସୋମବାର ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମେଟ୍ରୋ ବ୍ରିଜର ଖୁଣ୍ଟି ଭୁଶୁଡି ପଡିବାରୁ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମୟରେ ମେଟ୍ରୋ ଟ୍ରେନ୍ ବ୍ରିଜ୍ ଉପରେ ଯାଉଥିଲା । ଏହି ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ମେକ୍ସିକୋ ସିଟିର ନାଗରିକ ସୁରକ୍ଷା ଏଜେନ୍ସି ଟ୍ବିଟ୍ କରି କହିଛନ୍ତି ଯେ, ରାଜଧାନୀର ଦକ୍ଷିଣ ଭାଗରେ ଘଟିଥିବା ଏହି ଦୁର୍ଘଟଣାରେ ୭୦ ଜଣ ଆହତ ହୋଇଛନ୍ତି ଏବଂ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଘଟଣାସ୍ଥଳରେ ପହଞ୍ଚିଥିବା ମେକ୍ସିକୋ ସିଟି ମେୟର କ୍ଲାଉଡିଆ ସିନବମ୍ କହିଛନ୍ତି ଯେ, ବ୍ରିଜ୍ ଖୁଣ୍ଟି ଭୁଶୁଡିବା କାରଣରୁ ଏହି ଦୁର୍ଘଟଣା ଘଟିଛି । ଖୁଣ୍ଟ ଭୁଶୁଡିବା କାରଣରୁ ବ୍ରିଜର ଏକ ଅଂଶ ରାସ୍ତାରେ ପଡିଯାଇଥିଲା, ଯାହା ଅନେକ କାରକୁ ପୋତି ଦେଇଥିଲା । ସ୍ଥାନୀୟ ସମୟ ରାତି ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।

ବୈଦେଶିକ ମନ୍ତ୍ରୀ ମାର୍ସେଲୋ ଏବରାର୍ଡ ମେକ୍ସିକୋ ସିଟିର ମେୟର ଥିବାବେଳେ ଏହି ମେଟ୍ରୋ ଲାଇନ୍ ନିର୍ମାଣ କରାଯାଇଥିଲା । ଏବରାର୍ଡ ଟ୍ବିଟରରେ କହିଛନ୍ତି ଯେ, ମେଟ୍ରୋ ସହ ଯାହା ଘଟିଛି ତାହା ଅତ୍ୟନ୍ତ ଦୁଃଖଦ ଘଟଣା । ଏହି ଘଟଣାର ତଦନ୍ତ କରାଯିବା ସହ ଦୋଷୀଙ୍କୁ ଦଣ୍ଡ ଦିଆଯିବା ଉଚିତ ବୋଲି ସେ କହିଛନ୍ତି । ସାହାଯ୍ୟ ପାଇଁ ଯାହା ଆବଶ୍ୟକ ହେବ ତାହା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.