ଟ୍ରକ୍ ସହ ଧକ୍କା ହୋଇ ଜଳିଗଲା ବସ୍ : ୨୦ ମୃତ, ୨୧ ଆହତ

Published By : Prameya-News7 Bureau | January 11, 2020 IST

କନୌଜ ୧୧।୧: ଉତ୍ତର ପ୍ରଦେଶର କନୌଜରେ ଏକ ସ୍ଲିପର୍ ବସ୍ ଦୁର୍ଘଟଣା ପରେ ଜଳିଯିବା ଯୋଗୁଁ ୨୦ରୁ ଅଧିକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ବସ୍ ରେ ପ୍ରାୟ ୭୦ ଜଣ ଯାତ୍ରୀ ରହିଥିଲେ । ଅନ୍ୟମାନେ ବସ୍ ରୁ ଡେଇଁ ଜୀବନ ରକ୍ଷା କରିବାକୁ ସମର୍ଥ ହୋଇଛନ୍ତି । ୨୧ଜଣ ଯାତ୍ରୀ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଫରୁଖାବାଦର ବିମଳ ବସ୍ ସର୍ଭିସର ଏହି ବସ୍ ଟି ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ ଟାବେଳେ ଜୟପୁର ଯାଉଥିବା ବେଳେ ଦିଲ୍ଲୀ-କାନପୁର ହାଇୱେର ଚିବ୍ ରାମାଉ ଥାନା ଅଂଚଳରେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଟ୍ରକ୍ ଟିରେ କିଛି ଦହନଶୀଳ ପଦାର୍ଥ ରହିଥିବାରୁ ସଂଗେ ସଂଗେ ନିଆଁ ଲାଗି ଯାଇଥିଲା । ତେବେ ବସ୍ ର ଇନ୍ଧନ ଟାଙ୍କି ଫାଟିଯିବାରୁ ବସ୍ ଟି ଜଳିବାକୁ ଆରମ୍ଭ କରିଥିଲା।

ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ଶୋଇ ଯାଇଥିଲେ ଏବଂ ସମସ୍ତ ଝରକା ମଧ୍ୟ ବନ୍ଦ ଥିଲା । ତେଣୁ ଅନେକ ଯାତ୍ରୀ ଭିତରେ ରହି ଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ତେବେ ମୃତ୍ୟୁ ସଂଖ୍ୟା ୨୦ରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି।

ଅପରପକ୍ଷରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ କନୌଜ ଜିଲ୍ଲାପାଳଙ୍କୁ ଘଟଣାସ୍ଥଳକୁ ଯାଇ ଆହତ ଯାତ୍ରୀମାନଙ୍କୁ ଯେପରି ଉତ୍ତମ ଚିକିତ୍ସା ମିଳିପାରିବ, ତାହା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାଛଡ଼ା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଦେବାକୁ ଯୋଗୀ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.